ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ : ଦୁଇ ମୃତ, ୨୦ ଆହତ

0

ଭଦ୍ରକ : ଶନିବାର ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥର ଚରମ୍ପା ନିକଟରେ ଏକ ତୀର୍ଥଯାତ୍ରୀ ବସ ଏକ ବାଉଁଶ ବୋଝେଇ ଟ୍ରକର ପଛ ପଟକୁ ଧକ୍କା ଦେବା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ୧୫ରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଏକ ବାଉଁଶ ବୋଝେଇ ଟ୍ରକର ଚକା ପଙ୍କଚର ହେବାରୁ ଟ୍ରକଟି ରାଜପଥରେ ଚରମ୍ପା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଅଟକିଥିଲା। ରାତି ପ୍ରାୟ ୨ଟାବେଳେ ଉତ୍ତରପ୍ରଦେଶ ବାରବାଙ୍କି ଜିଲାରୁ ୫୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀ ବସ ଉକ୍ତ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଡ୍ରାଇଭର ରାମସାଗର ଯାଦବ ଓ ଅନ୍ୟଜଣେ ତୀର୍ଥଯାତ୍ରୀ ଶିବ ନାରାୟଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନସ ସହାୟତାରେ ଆହତଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ସୁଚାରୁ ବଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସଚନ୍ଦ୍ର ପରିଡ଼ା, ଚରମ୍ପା ଯୁବ ମଞ୍ଚ, ଭଦ୍ରକ ବସ ସିଣ୍ଡିକେଟର ଶ୍ରୀନିବାସ ପତିଙ୍କ ସମେତ ବହୁ ସଦସ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତଙ୍କ ଅବସ୍ଥା ବୁଝିଥିଲେ।

Leave A Reply