ଦୁର୍ଘଟଣା ରୋକିବାକୁ ଚିନ୍ତା: ପୁରସ୍କୃତ ହେବେ ଚାଳକ

0

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବା ସହିତ ମୃତାହତ ସଂଖ୍ୟା ବି ତଦନୁସାରେ ବଢ଼ୁଛି। ସଡ଼କ ସୁରକ୍ଷା ନିୟମାବଳୀ କଡ଼ାକଡ଼ି ପାଳନ କରିବାକୁ ସରକାରଙ୍କ ସକଳ ପ୍ରଚେଷ୍ଟା ସତ୍ତ୍ବେ ବାସ୍ତବ​‌େ​‌ର ଗାଡ଼ି ଚାଳକଙ୍କ ଭିତରେ ସେଭଳି ସଚେତନତା ସୃଷ୍ଟି ହୋଇପାରୁନି। ତେଣୁ ଆଗକୁ ଅଧିକ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନେବାକୁ ସରକାର ସ୍ଥିର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଦୁର୍ଘଟଣା ଘଟାଉ ନଥିବା ବସ ଓ ଟ୍ରକ ଚାଳକମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ଯୋଜନା କରିଛନ୍ତି। ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗତ ୭ବର୍ଷ ଭିତରେ ଆଦୌ ଦୁର୍ଘଟଣା ଘଟାଇ ନଥିବା ବସ ଓ ଟ୍ରକ ଚାଳକଙ୍କୁ ଏଣିକି ପୁରସ୍କୃତ କରାଯିବ। ଆଞ୍ଚଳିକ ପରିବହନ ଅଧିକାରୀ ବସ ଓ ଟ୍ରକ ମାଲିକ ସଂଘ ସହିତ ଆଲୋଚନା କରି ପ୍ରତି ଜିଲାରୁ ତିନିଜଣ ଚାଳକଙ୍କୁ ଚିହ୍ନଟ କରିବେ। ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଡ଼କ ସୁରକ୍ଷା ସପ୍ତାହ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୪ତାରିଖରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ଥିବା ଜବରଦଖଲ
ହଟାଯିବାକୁ ସ୍ଥିର ହୋଇଛି। ଏ ଦିଗରେ ଜିଲା ଓ ସହରାଞ୍ଚଳ ପ୍ରଶାସନ ପଦକ୍ଷେପ ନେବେ। ଜିଲାପାଳ ଓ ଏସପି ଏଥିପାଇଁ ଯୋଜନା ପ୍ରସ୍ତୁତ କରିବେ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଡାକ୍ତରଖାନା ନିକଟରୁ ସପ୍ତାହ ବ୍ୟାପୀ ଜବରଦଖଲ ହଟାଯିବ।
ଆବଶ୍ୟକତା ଠାରୁ ଅଧିକ ବେଗରେ ଗାଡ଼ି ଚାଳନା, ମୋବାଇଲ ବ୍ୟବହାର ଏବଂ ନିଶାସକ୍ତ ଥାଇ ଗାଡ଼ି ଚଳାଇବା ଏଣିକି ଚାଳକଙ୍କ ପାଇଁ ମହଙ୍ଗା ପଡ଼ିବ। ଏଥିସହିତ ମାଲବାହୀ ଯାନରେ ଯାତ୍ରୀ ପରିବହନ, ଭୂଲ ଦିଗରେ ଚାଳନା, ହେଲମେଟ ନପିନ୍ଧିବା ଆଦି କ୍ଷେତ୍ରରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ, ଆଞ୍ଚଳିକ ପରିବହନ ବିଭାଗ ଏବଂ ଅବକାରୀ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ସ୍କ୍ବାଡ଼ ଚଢ଼ଉ କରି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଗାଡ଼ି ଚାଳନା ସମୟରେ ଚାଳକ ଯେପରି ମୋବାଇଲ ଫୋନ ବ୍ୟବହାର ନକରନ୍ତି ସେ ଦିଗରେ ବସ ମାଲିକ ପଦକ୍ଷେପ ନେବାକୁ କୁହାଯାଇଛି। ଗାଡ଼ି ଚାଳନା ସମରେ ମୋବାଇଲ ଫୋନ ବ୍ୟବହାର ଦୃଷ୍ଟିକୁ ଆସିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦ​‌େ​‌କ୍ଷପ ନିଆଯିବ ବୋଲି ପରିବହନ କମିଶନର କହିଥିଲେ। ସେ କହିଥିଲେ ଯେ ଏଣିକି ସଡ଼କ ସୁରକ୍ଷା ସମ୍ପର୍କରେ ସିଟିଜେନ ରିପୋର୍ଟିଂ ପ୍ରଚଳନ କରାଯିବ। ଫଳରେ ସାଧାରଣ ଜନତା ସଡ଼କ ନିୟମାବଳୀ ଉଲ୍ଲଘଂନ କରୁଥିବା ଚାଳକଙ୍କ ଫଟୋ ଉଠାଇ ପରିବହନ ବିଭାଗ ନିକଟରେ ଦାଖଲ କରିପାରିବେ। ଏହାଦ୍ବାରା ନିୟମ ମାନୁ ନଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ବସରେ ଯାତ୍ରୀଙ୍କ ପାଇଁ ପୋଷ୍ଟର ଲଗାଯିବ। ଏଥିରେ ସେମାନଙ୍କ ପାଇଁ ସୂଚନା ରହିବ। ସେମାନେ ମୋବାଇଲ ଫୋନ ବ୍ୟବହାର କରିବା ସମୟର ଫଟୋ ଓ ଭିଡ଼ିଓ ପରିବହନ ବିଭାଗକୁ ପଠାଇଲେ ନିୟମ ଉଲ୍ଲଘଂନକାରୀ ଦଣ୍ଡିତ ହେବେ। ପୋଷ୍ଟର ଓ ଲିଫଲେଟରେ ପରିବହନ କମିଶନରଙ୍କ ହ୍ବାଟସଆପ ମୋବାଇଲ ନମ୍ବର ରହିବ।
ବୈଠକରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ହେଉଛି ସ୍କୁଲ ବସ ନୀତି ପ୍ରଚଳନ କରିବାରେ ପ୍ରଥମ ରାଜ୍ୟ। ଛାତ୍ରଛାତ୍ରୀଙ୍କ ପରିବହନରେ ପିତାମାତାଙ୍କ ଯୋଗଦାନକୁ ନିଶ୍ଚିତ କରିବା ନିମନ୍ତେ ଏହି ନୀତିରେ ଅଭିଭାବକ-ଶିକ୍ଷକ ସମନ୍ବୟ ସମିତି ଗଠନର ବ୍ୟବସ୍ଥା ରହିଛି। ​‌େ​‌ତଣୁ ଏହି ନୀତି ଅନୁସାରେ କମିଟି ଗଠନ ନିଶ୍ଚିତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆରଟିଓଙ୍କୁ ନିର୍ଦେଶ ଦେଇଥିଲେ। ଆରଟିଓ ଏ ସଂକ୍ରାନ୍ତରେ ପରିବହନ କମିଶନରଙ୍କ ନିକଟରେ ରିପୋଟ ଦାଖଲ କରିବେ।
ବୈଠକରେ ପୁଲିସ ଆଇଜି କହିଥିଲେ ଯେ ପଥଚାରୀମାନେ ସଡ଼କ ଦୁର୍ଘଟଣାରେ ଅଧିକ ସଂଖ୍ୟାରେ ପ୍ରାଣ ହରାଉଛନ୍ତି। ଏଭଳି ଦୁର୍ଘଟଣା ହାର ଜାତୀୟ ହାରଠାରୁ ଓଡ଼ିଶାରେ ଅଧିକ। ତେଣୁ ପଥଚାରୀଙ୍କ ସୁରକ୍ଷା ନିମନ୍ତେ ଫୁଟପାଥ ତିଆରି ଉପରେ ଗୁରୁତ୍ବ ଦିଆଯିବ ଦରକାର। ମାସକ ଭିତରେ ଏ ଦିଗରେ ପଦକ୍ଷେପ ନେବା ପାଇଁ ଅତିରିକ୍ତ ମୁଖ୍ୟ ସଚିବ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଏହାଛଡ଼ା ରାସ୍ତାରେ ମନଇଚ୍ଛା ହମ୍ପସ ନିର୍ମାଣ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ହସ୍ପିଟାଲ ନିକଟରେ ଓଡ଼ିଆ ଏବଂ ଇଂରାଜୀରେ ଦୁର୍ଘଟଣା ପ୍ରବଣ ଛକ ତଥା ବ୍ଳକ ସ୍ପଟରେ ସାଇନବୋର୍ଡ଼ ମରାଯିବାକୁ ନିର୍ଦେଶ ଦିଆଯାଇଛି।
ବାଣିଜ୍ୟ ଓ ପରିବହନ କମିଶନର କହିଥିଲେ ଯେ ୨୦୧୭ରେ ଦେଶରେ ପ୍ରାୟ ୧.୫ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ଏହି ସମୟରେ ଓଡ଼ିଶାରୁ ପ୍ରାୟ ୪୦୦୦ ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏ ଦିଗରେ ବର୍ଷବ୍ୟାପୀ ସଚେତତନା କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ବୈଠକରେ ଆଲୋଚନା ହୋଇଥିଲା । ଆସନ୍ତା ୪ରୁ ୧୦ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଥିବାବେଳେ ଓଡ଼ିଶାରେ ଏହାକୁ ବ୍ୟାପକ ଭାବେ ପାଳନ ପାଇଁ ସ୍ଥିର ହୋଇଛି। ଏହି ଅବସରରେ ଆସନ୍ତା ୪ତାରିଖରେ ଜିଲାପାଳ ଓ ଏସପିଙ୍କ ସହିତ ଭିଡ଼ିଓ କନଫରେନ୍ସିଂର କାର୍ଯ୍ୟକ୍ରମ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
ପୁରସ୍କୃତ ହେବେ…

Leave A Reply