୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପିତ

0

ଗୋଲ୍‍ଡ କୋଷ୍ଟ  : ରବିବାର ଅଷ୍ଟ୍ରେଲିଆର ଏହି ସହରରେ ଉଦ୍‍ଯାପିତ ହୋଇଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଆଶା ଅନୁସାରେ ଆୟୋଜକ ଅଷ୍ଟ୍ରେଲିଆ ପଦକ ତାଲିକାର ଶୀର୍ଷରେ ରହିଛି। ତେବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଭାରତୀୟ କ୍ରୀଡ଼ାବିତ୍‍ଙ୍କ ପ୍ରଦର୍ଶନ। ସମସ୍ତେ ଧରି ନେଇଥିଲେ ଯେ ଅଷ୍ଟ୍ରେଲିଆ ଓ ୨୦୧୪ ଗ୍ଲାସ୍‍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ତାଲିକାର ଶୀର୍ଷରେ ଥିବା ଇଂଲଣ୍ଡ ମଧ୍ୟରେ ଶୀର୍ଷ ସ୍ଥାନ ପାଇଁ ମୁକାବିଲା ହେବ। ସେଇଆ ହିଁ ହୋଇଛି। ଅଷ୍ଟ୍ରେଲିଆ ଶୀର୍ଷରେ ଏବଂ ଇଂଲଣ୍ଡ ୨ୟ ସ୍ଥାନରେ ରହିଛନ୍ତି। ତେବେ ଚିତ୍ତାକର୍ଷକ ହୋଇଛି ଭାରତୀୟ କ୍ରୀଡ଼ାବିତ୍‍ଙ୍କ ପ୍ରଦର୍ଶନ। ଗୋଲ୍‍ଡ କୋଷ୍ଟରେ ଭାରତ ୨୦ଟି ସ୍ୱର୍ଣ୍ଣପଦକ ସ୍ପର୍ଶ କରିପାରିବା ନେଇ ସନ୍ଦିହାନ ଥିବା କ୍ରୀଡ଼ା ବିଶେଷଜ୍ଞ ଏବେ ଭାରତୀୟଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବାରେ ଲାଗିଛନ୍ତି। ଏହି ପ୍ରଦର୍ଶନରୁ ସ୍ପଷ୍ଟହୋଇଛି ଯେ ରାଜ୍ୟଗୋଷ୍ଠୀ ଦେଶଙ୍କ ମଧ୍ୟରେ ଭାରତ ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ାଶକ୍ତି ଭାବେ ଉଭାହୋଇଛି।
୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତ ପାଇଁ ୩ୟ ସଫଳତମ କ୍ରୀଡ଼ା ଭାବେ ପ୍ରମାଣିତ ହୋଇଛି। ଏହି କ୍ରୀଡ଼ାରେ ଭାରତ ୨୬ଟି ସ୍ୱର୍ଣ୍ଣ,
୨୦ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଜ୍‍ ସହ ମୋଟ ୬୬ଟି ପଦକ ଜିତି ପଦକ ତାଲିକାର ୩ୟ ସ୍ଥାନରେ ରହିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଏହା ୩ୟ ସଫଳତମ କ୍ରୀଡ଼ା ପ୍ରମାଣିତ ହୋଇଛି। ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆୟୋଜକ ଭାରତ ୩୮ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଓ ୩୬ଟି ବ୍ରୋଞ୍ଜ୍‍ ସହ ମୋଟ ୧୦୧ଟି ପଦକ ଜିତି ପଦକ ତାଲିକାର ୨ୟ ସ୍ଥାନରେ ରହିଥିଲା। ଅଦ୍ୟାବଧି ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଆସିଛି। ୨୦୦୨ ମାଞ୍ଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୩୦ଟି ସ୍ୱର୍ଣ୍ଣ, ୨୨ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଜ୍‍ ସହ ମୋଟ ୬୯ଟି ପଦକ ଜିତିଥିଲା; ଯାହା ଭାରତର ୨ୟ ସଫଳତମ କ୍ରୀଡ଼ା। ଗୋଲ୍‍ଡକୋଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆ ୮୦ଟି ସ୍ୱର୍ଣ୍ଣ, ୫୯ଟି ରୌପ୍ୟ ଓ ୫୯ଟି ବ୍ରୋଞ୍ଜ୍‍ ସହ ମୋଟ ୧୯୮ଟି ପଦକ ଜିତି ଅନ୍ୟ ଦେଶମାନଙ୍କୁ ବହୁତ ପଛରେ ପକାଇ ଦେଇଛି। ଗତଥର ଶୀର୍ଷରେ ଥିବା ଇଂଲଣ୍ଡ ୪୫ଟି ସ୍ୱର୍ଣ୍ଣ, ୪୫ଟି ରୌପ୍ୟ ଓ ୪୬ଟି ବ୍ରୋଞ୍ଜ୍‍ ସହ ମୋଟ ୧୩୬ଟି ପଦକ ଜିତି ୨ୟ ସ୍ଥାନରେ ରହିଛି।
ଗୋଲ୍‍ଡ କୋଷ୍ଟରେ ଭାରତୀୟ ପଦକ ଅଭିଯାନ ଆରମ୍ଭ କରିଥିଲେ ଏହାର ଭାରୋତ୍ତୋଳକମାନେ। ପରେ ସୁଟର, ମଲ୍ଲଯୋଦ୍ଧା, ବକ୍ସର, ଟେବୁଲ ଟେନିସ ଖେଳାଳି ଓ ବ୍ୟାଡ୍‍ମିଣ୍ଟନ ଖେଳାଳିଙ୍କ ସ୍ୱର୍ଣ୍ଣିମ ପ୍ରଦର୍ଶନ ଯୋଗୁଁ ଭାରତ ଏତେ ସଂଖ୍ୟକ ସ୍ୱର୍ଣ୍ଣପଦକ ଜିତିପାରିଛି। ସୁଟରମାନେ ଭାରତକୁ ସର୍ବାଧିକ ୭ଟି ସ୍ୱର୍ଣ୍ଣପଦକ ଦେଇଥିଲେ। ସୁଟିଂରୁ ଭାରତ ୪ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ୍‍ପଦକ; ଏହିପରି ମୋଟ ୧୬ଟି ପଦକ ଜିତିପାରିଛି। ଭାରୋତ୍ତୋଳନ ଓ କୁସ୍ତିରୁ ଭାରତ ୫ଟି ଲେଖାଏଁ ପଦକ ଜିତିଥିଲା। ପୁଣି ଭାରତୀୟ ମଲ୍ଲଯୋଦ୍ଧା ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ୍‍ ସହ ମୋଟ ୧୨ଟି ପଦକ ଦେଶକୁ ଦେଇଛନ୍ତି। ଭାରତୀୟ ବକ୍ସର ଦେଶକୁ ୩ଟି ସ୍ୱର୍ଣ୍ଣପଦକ ଜିତାଇଛନ୍ତି। ଏହାସହ ବକ୍ସିଂରୁ ଭାରତ ୩ଟି ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ୍‍ପଦକ ମଧ୍ୟ ଜିତିପାରିଛି। ଏଥର ଭାରତକୁ ଉତ୍ସାହିତ କରିଛି ୩ଟି ଽାକେଟ କ୍ରୀଡ଼ା- ବ୍ୟାଡ୍‍ମିଣ୍ଟନ, ଟେବୁଲ ଟେନିସ ଓ ସ୍କ୍ୱାଶ୍‍। ଟେବୁଲ ଟେନିସ୍‍ରୁ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମୋଟ ୮ଟି ପଦକ ଜିତିପାରିଛି; ଯାହା ଏକ ରେକର୍ଡ। ଭାରତୀୟ ପୁରୁଷ ଓ ମହିଳା ଦଳ ସ୍ୱର୍ଣ୍ଣପଦକ ଜିତିଥିଲା। ସୂଚନାଯୋଗ୍ୟ; ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତୀୟ ମହିଳା ଟିଟି ଦଳ ଏବଂ ମହିଳା ସିଙ୍ଗଲ୍‍ସରେ ମାନିକା ବାତ୍ରା ପ୍ରଥମଥର ସ୍ୱର୍ଣ୍ଣପଦକ ଜିତି କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ବ୍ୟାଡ୍‍ମିଣ୍ଟନ୍‍ରେ ଭାରତକୁ ମୋଟ ୬ଟି ପଦକ ମିିଳିଛି; ଯେଉଁଥିରେ ଅଛି ୨ଟି ଲେଖାଏଁ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ୍‍। ଏଥର ଆଥ୍‍ଲେଟିକ୍ସରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣପଦକ ମିଳିଛି। ୨୦ ବର୍ଷ ବୟସ୍କ ନୀରଜ ଚୋପ୍ରା ୮୬.୪୭ ମିଟର ଦୂରକୁ ଜାଭେଲିନ୍‍ ଫିଙ୍ଗି ଭାରତକୁ ଆଥ୍‍ଲେଟିକ୍ସରେ ଏକମାତ୍ର ସ୍ୱର୍ଣ୍ଣପଦକ ଜିତାଇଛନ୍ତି। ମହିଳା ଡିସ୍‍କସ୍‍ରେ ସୀମା ପୁନିଆ ରୌପ୍ୟ ଓ ନବଜିତ କୌର ଧିଲୋଁ ବ୍ରୋଞ୍ଜ୍‍ପଦକ ଜିତି ପାରିଥିଲେ। ଏଥର ଯୁବ କ୍ରୀଡ଼ାବିତ୍‍ ଭାରତର ପଦକ ବିଜୟରେ ବିଶେଷ ଯୋଗଦାନ କରିଛନ୍ତି। ନୀରଜ ଚୋପ୍ରାଙ୍କୁ ଛାଡ଼ି ସୁଟିଂରେ ୧୫ ବର୍ଷ ବୟସ୍କ ଅନିସ୍‍ ଭାନ୍‍ୱାଲା, ୧୬ ବର୍ଷ ବୟସ୍କା ମାନୁ ଭାକର୍‍ ଓ ୧୭ ବର୍ଷ ବୟସ୍କା ମେହୁଲି ଘୋଷ ଦେଶକୁ ପଦକ ଜିତାଇଛନ୍ତି। ୧୫ ବର୍ଷ ବୟସ୍କ ସୁଟର ଅନିସ୍‍ ଭାନ୍‍ୱାଲା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସର୍ବକନିଷ୍ଠ ସ୍ୱର୍ଣ୍ଣପଦକ ବିଜେତା ହୋଇ ପାରିଛନ୍ତି। ତେବେ ଭାରତକୁ ନିରାଶ କରିଛନ୍ତି ପୁରୁଷ ଓ ମହିଳା ହକି ଦଳ। ଅଲିମ୍ପିକ୍‍ସ ପଦକର ସ୍ୱପ୍ନ ଦେଖୁଥିବା ଏହି ଦୁଇ ଦଳ ୪ର୍ଥ ସ୍ଥାନରେ ରହିବା ନିଶ୍ଚୟ ନୈରାଶ୍ୟଜନକ।

Leave A Reply