୫ମ ଦିନିକିଆରେ ଇଣ୍ଡିଜ ପରାସ୍ତ ; ଭାରତ ୩-୧ରେ ସିରିଜ ଜିତିଲା

0

ତିରୁଅନନ୍ତପୁରମ : ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ଓ ପରବର୍ତ୍ତୀ ସମୟରେ ଓପନର ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଗୁରୁବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚଟିକିଆ ସିରିଜକୁ ୩-୧ରେ ଜିତିଛି। ରବୀନ୍ଦ୍ର ଜାଡେଜା ‘ପ୍ଲେୟାର ଅଫ୍‍ ଦି ମ୍ୟାଚ’ ଓ ସିରିଜରେ କ୍ରମାଗତ ୩ଟି ଶତକ ଅର୍ଜନ କରିଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ‘ପ୍ଲେୟାର ଅଫ୍‍ ଦି ସିରିଜ’ ବିବେଚିତ ହୋଇଛନ୍ତି। ଏଥରକୁ ମିଶାଇ ଭାରତ ଘରୋଇ ମାଟିରେ କ୍ରମାଗତ ଛଅଟି ଦିନିକିଆ ସିରିଜ ଜିତିବାରେ ସଫଳ ହୋଇଛି। ଆସନ୍ତା ୪ରୁ ଦୁଇ ଦଳ ମଧ୍ୟରେ ତିନିଟିକିଆ ଟ୍ୱେଣ୍ଟି୨୦ ସିରିଜ ଆରମ୍ଭ ହେବ।
ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ୱେଷ୍ଟଇଣ୍ଡିଜ ୩୧.୫ ଓଭରରେ ମାତ୍ର ୧୦୪ ରନରେ ଅଲଆଉଟ ହୋଇଥିଲା। ୧୦୫ ରନ୍‍ର ସ୍ୱଳ୍ପ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ୬ ରନରେ ଓପନର ଶିଖର ଧାୱନଙ୍କ ୱିକେଟ ହରାଇଥିଲା। ଇନିଂସର ଦ୍ୱିତୀୟ ଓଭରରେ ଓସାନେ ଥୋମାସଙ୍କ ଏକ ବଲକୁ ଡ୍ରାଇଭ କରିବାକୁ ଯାଇ ଧାୱନ (୬) କ୍ଲିନ ବୋଲ୍‍ଡ ହୋଇଥିଲେ। ତେବେ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ଇଣ୍ଡିଜ ବୋଲରଙ୍କ ଉଚିତ ମୁକାବିଲା କରି ଦ୍ୱିତୀୟ ୱିକେଟ ପାଇଁ ୧୩ ଓଭରରେ ଅବିଭାଜିତ ୯୯ ରନ ସଂଗ୍ରହ କରିଥିଲେ। ଦୁହିଁଙ୍କ ମଧ୍ୟରୁ ରୋହିତଙ୍କୁ ଅଧିକ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା। ରୋହିତ ୫୬ଟି ବଲରୁ ୫ଟି ଚୌକା ଓ ୪ଟି ଛକା ସହାୟତାରେ ଅପରାଜିତ ୬୩ ରନ କରିଥିଲେ। ଅପରପକ୍ଷରେ କୋହଲି ୨୯ ବଲରୁ ୬ଟି ଚୌକା ସହାୟତାରେ ୩୩ ରନ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ ପକ୍ଷରୁ ଥୋମାସ ଏକମାତ୍ର ସଫଳ ବୋଲରଭାବେ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଭାରତ ୧୪.୫ ଓଭରରେ ୧ ୱିକେଟ ବିନିମୟରେ ୧୦୫ ରନ କରିଥିଲା।
ୱେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲଡର ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ହୋଲଡରଙ୍କ ଏହି ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିଲା। ପ୍ରଥମ ଓଭରର ଚତୁର୍ଥ ବଲରେ ଓପନର କୈରନ ପୱେଲଙ୍କୁ (୦) ଆଉଟ କରି ଭୁବନେଶ୍ୱର କୁମାର ଭାରତ ପାଇଁ ପ୍ରଥମ ସଫଳତା ହାସଲ କରିଥିଲେ। ଦ୍ୱିତୀୟ ଓଭରରେ ଅନ୍ୟତମ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ସାଇ ହୋପ୍‍ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ୨ ରନରେ ୨ଟି ୱିକେଟ ହରାଇ ଇଣ୍ଡିଜ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରୋଭ୍‍ମ୍ୟାନ ପୱେଲ ଓ ଅଭିଜ୍ଞ ମାର୍ଲନ ସାମୁଏଲ୍‍ସ ୩ୟ ୱିକେଟ ପାଇଁ ୩୪ ରନ ଯୋଗକରି ସ୍ଥିତିକୁ କିଛିମାତ୍ରାରେ ସୁଧାରିଥିଲେ। ତେବେ ୩୬ ରନରେ ସାମୁଏଲ୍‍ସଙ୍କୁ ଆଉଟ କରି ରବୀନ୍ଦ୍ର ଜାଡେଜା ଏହି ଯୋଡି ଭାଙ୍ଗିଥିଲେ। ସାମୁଏଲ୍‍ସ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୪ ରନ କରିଥିଲେ। ପ୍ରଥମ ଦିନିକିଆରେ ଶତକ ହାସଲ କରିଥିବା ସିମ୍ରନ ହେତ୍‍ମେୟାର ମଧ୍ୟ ବେଶି ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ବ୍ୟକ୍ତିଗତ ୯ ରନ କରି ସେ ଜାଡେଜାଙ୍କ ଦ୍ୱିତୀୟ ଶିକାର ପାଲଟିଥିଲେ। ଅଧିନାୟକ ହୋଲଡର ସର୍ବାଧିକ ୨୫ ରନ କରି ଦଳୀୟ ସ୍କୋର ୮୭ ରନରେ ସପ୍ତମ ଖେଳାଳିଭାବେ ଆଉଟ ହୋଇଥିଲେ। ହୋଲଡରଙ୍କ ପ୍ରସ୍ଥାନ ପରେ ଇଣ୍ଡିଜର ଶେଷ ପାଞ୍ଚଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ। ଫଳରେ ୱେଷ୍ଟଇଣ୍ଡିଜ ୩୧.୫ ଓଭରରେ ୧୦୪ ରନରେ ଅଲଆଉଟ ହୋଇଥିଲା। ଭାରତ ପକ୍ଷରୁ ଜାଡେଜା ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବାବେଳେ ଯଶପ୍ରୀତ ବୁମ୍‍ରା ଓ ଖଲିଲ ଅହମ୍ମଦଙ୍କୁ ୨ଟି ଲେଖାଏଁ ଏବଂ ଭୁବନେଶ୍ୱର କୁମାର, କୁଲଦୀପ ଯାଦବ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।

Leave A Reply