ମହିଳାଙ୍କ ପାଇଁ ନବୀନଙ୍କ ୩୩% ଆସନ ସଂରକ୍ଷଣ ପ୍ରସ୍ତାବ ; ପଞ୍ଜାବ ବିଧାନସଭାରେ ସଙ୍କଳ୍ପ ପାରିତ

0

ଭୁବନେଶ୍ୱର : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରସ୍ତାବ ଉପରେ ପଞ୍ଜାବ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ ଅନୁଷ୍ଠିତ ପଞ୍ଜାବ ବିଧାନସଭାରେ ଏ ସଂକ୍ରାନ୍ତ ସଙ୍କଳ୍ପ ପାରିତ ହୋଇଛି। ସଙ୍କଳ୍ପ ଆଧାରରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପଞ୍ଜାବ ବିଧାନସଭା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଏସମ୍ପର୍କରେ ଅବଗତ କରିଛନ୍ତି।
ନବୀନଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ ୬ ତାରିଖରେ ସେ ଦେଇଥିବା ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ସଂକ୍ରାନ୍ତ ପତ୍ର ତାଙ୍କର ହସ୍ତଗତ ହୋଇଥିଲା। ଇତିମଧ୍ୟରେ ପଞ୍ଜାବ ବିଧାନସଭା
ସଂରକ୍ଷଣ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରିଛି।
ସୂଚନାଯୋଗ୍ୟ ଯେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ସମର୍ଥନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହମତି ଲୋଡ଼ିବା ସହିତ ସେମାନଙ୍କ ନିକଟକୁ ପତ୍ର ଲେଖିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ ଯେ ଦେଶ ଓ ସମାଜ ଗଠନରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହିଳାମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବା ସହିତ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଆମ ଲୋକସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ମହିଳା। ବିକାଶ ପ୍ରକ୍ରିୟା ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କ ଯୋଗଦାନ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବ। ୧୯୯୦ରେ ବିଜୁବାବୁ ପ୍ରଥମ କରି ମହିଳାଙ୍କ ପାଇଁ ବିଭିନ୍ନ ପଞ୍ଚାୟତ, ପୌର ପରିଷଦ ସମେତ ସରକାରୀ ଚାକିରିରେ ୩୩ପ୍ରତିଶତ ସ୍ଥାନ ସଂରକ୍ଷଣ ଆରମ୍ଭ କରିଥିଲେ ଏବଂ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଛି। ଏହି ସଫଳତାକୁ ଦୃଷ୍ଟିରେ ରଖି ୨୦୧୧ରେ ମୋ ସରକାର ମହିଳାଙ୍କ ପାଇଁ ପଞ୍ଚାୟତ ଓ ପୌର ପରିଷଦର ସ୍ଥାନ ସଂରକ୍ଷଣ ୫୦ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଆମ ସମ୍ବିଧାନ ଲିଙ୍ଗଗତ ବୈଷମ୍ୟ ଦୂର କରାଯିବା ଉପରେ ଗୁରୁତ୍ୱ ଦେଇଛି। ଏଥିପାଇଁ ଆମେ ସମସ୍ତେ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିବା ଆବଶ୍ୟକ।
ଓଡ଼ିଶା ବିଧାନସଭାରେ ଏ ନେଇ ସଙ୍କଳ୍ପ ପାରିତ ହୋଇଛି। ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡି ପତ୍ର ଲେଖାଯାଇଛି। ମହିଳାଙ୍କୁ ସମାଜରେ ଉପଯୁକ୍ତ ସ୍ଥାନ ଦେବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କର ସହଯୋଗ ମହିଳା ସଶକ୍ତୀକରଣକୁ ନୂତନ ମାର୍ଗଦେବ ବୋଲି ନବୀନ ଉଲ୍ଲେଖ କରିଥିଲେ।

Leave A Reply