+୩ ଚତୁର୍ଥ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ଆସନ୍ତାକାଲିଠାରୁ

0

ଭୁବନେଶ୍ୱର : ଯୁକ୍ତ ତିନି ଚତୁର୍ଥ ପର୍ଯ୍ୟାୟ ନାମଲେଖା ପାଇଁ  ଶନିବାର ଅର୍ଥାତ ୨୫ ତାରିଖଠାରୁ ସ୍ୱୟଂଶାସିତ ଏବଂ ଡିଗ୍ରୀ କଲେଜରେ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଯୁକ୍ତ ତିନି ତୃତୀୟ ପର୍ଯ୍ୟାୟ ନାମଲେଖା ସରିଯାଇଥିଲେ ସୁଦ୍ଧା ସିଟ୍‍ ଖାଲି ରହିଥିବାରୁ ଏଗୁଡିକ ପୂରଣ ପାଇଁ  ନିର୍ଦେଶନାମା ଜାରି କରାଯାଇଛି । ନାମଲେଖାଇବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଅଗଷ୍ଟ ୩୦ ସୁଦ୍ଧା  ନାମ ଲେଖାଇପାରିବେ। ଏଥିନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ନିମନ୍ତେ ଫର୍ମ କଲେଜରେ ହିଁ ମିଳିପାରିବ। ଅଗଷ୍ଟ ୨୮ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଅଫଲାଇନରେ ଆବେଦନ କରିପାରିବେ। ଅଗଷ୍ଟ ୨୯ତାରିଖ ଅପରାହ୍ନ ସୁଦ୍ଧା କଲେଜ ନୋଟିସ ବୋର୍ଡରେ ମେରିଟ ଲିଷ୍ଟ ପ୍ରକାଶ ପାଇବ ଏବଂ ଏହି ମେରିଟ ଲିଷ୍ଟ ଅନୁଯାୟୀ ୩୦ତାରିଖରେ ଚତୁର୍ଥ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ଯେଉଁ କଲେଜରେ କୌଣସି ସମ୍ମାନ କିମ୍ବା ପାସ୍‍ ବିଭାଗରେ ସମସ୍ତ ସିଟ ପୂରଣ ହୋଇଯାଇଛି , ସେଠାରେ ୭.୫ ପ୍ରତିଶତ ସିଟରେ ନାମ ଲେଖିହେବ। ଏହା ତୃତୀୟ ପର୍ଯ୍ୟାୟ ନାମଲେଖାକୁ ଦେଖି ନିର୍ଦ୍ଧାରିତ କରାଯିବ। ଯେଉଁ କଲେଜରେ ସିଟ ବଳକା ରହିଛି ସେଠାରେ ସିଟ ସଂଖ୍ୟା ବୃଦ୍ଧି କରାଯିବ ନାହିଁ ଏବଂ ସେଲ୍‌ଫ ଫାଇନାନ୍ସିଂ ବିଭାଗରେ ସମସ୍ତ ସିଟ ପୂରଣ ହୋଇଥିଲେ କୌଣସି ସିଟକୁ ବୃଦ୍ଧି କରାଯିବ ନାହିଁ। ଏହି ନାମଲେଖା ପର୍ଯ୍ୟାୟରେ ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଯଦି ସଂରକ୍ଷିତ ସିଟ୍‍ ଖାଲି ରୁହେ ତେବେ ସେହି ସ୍ଥାନରେ ସାଧାରଣ ଛାତ୍ରଛାତ୍ରୀ ନାମଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply