ଆଜି ୨ୟ ଦିନିକିଆ : ସିରିଜ ଜିତିବା ଲକ୍ଷ୍ୟରେ ଭାରତ

0

ଲଣ୍ଡନ : ଶନିବାର ସ୍ଥାନୀୟ ଲର୍ଡସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ। ଗୁରୁବାର ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୮ ୱିକେଟରେ ପରାସ୍ତ କରିଥିବା ଭାରତୀୟ ଦଳ ଏହି ମ୍ୟାଚ ଜିତି ତିନିଟିକିଆ ସିରିଜକୁ ହାତେଇବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ଇଂଲଣ୍ଡ ଏହି ମ୍ୟାଚରେ ବିଜୟୀ ହୋଇ ସିରିଜକୁ ଫେରିବାକୁ ପ୍ରସ୍ତୁୁତି ଚଳାଇଛି। ପ୍ରଥମେ ଟ୍ୱେଣ୍ଟି୨୦ ସିରିଜ ଓ ପରବର୍ତ୍ତୀ ସମୟରେ ପ୍ରଥମ ଦିନିକିଆରେ ବିଜୟୀ ହୋଇଥିବାରୁ ଭାରତୀୟ ଦଳ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଇଂଲଣ୍ଡ ତୁଳନାରେ ଯଥେଷ୍ଟ ଆଗୁଆ ରହିଛି।
ପ୍ରଥମ ଦିନିକିଆରେ ଭାରତୀୟ ବୋଲର ଓ ବ୍ୟାଟସମ୍ୟାନ ଯେଭଳି ପ୍ରଭାବଶାଳୀ ପ୍ରଦର୍ଶନ କଲେ, ତାହା ଇଂଲଣ୍ଡ ଶିବିରକୁ ବିବ୍ରତ କରିଛି। ଘରୋଇ ବାତାବରଣ ଓ ଘରୋଇ ଦର୍ଶକଙ୍କ ସମର୍ଥନକୁ ଆଧାର କରି ଇଂଲଣ୍ଡ ଏହି ସିରିଜରେ ଭାରତକୁ ଚାପରେ ପକାଇବ ବୋଲି ଯାହା ଆକଳନ କରାଯାଉଥିଲା, ତାହାକୁ ଭାରତୀୟ ଖେଳାଳି ଭୁଲ ପ୍ରମାଣିତ କରିଛନ୍ତି। ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ଇଂଲଣ୍ଡ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ ସୁଦ୍ଧା ବାମହାତି ସ୍ପିନର କୁଳଦୀପ ଯାଦବଙ୍କ ମାରାତ୍ମକ ବୋଲିଂ ଆଗରେ ସମ୍ପୂର୍ଣ୍ଣଭାବେ ଆତ୍ମସମର୍ପଣ କରିଥିଲେ। କୁଳଦୀପ ଏହି ମ୍ୟାଚରେ ୧୦ ଓଭର ବୋଲିଂ କରି ମାତ୍ର ୨୫ ରନ ବିନିମୟରେ ୬ଟି ୱିକେଟ ଅକ୍ତିଆର କରିଥିଲେ। ପୂର୍ବରୁ ଓଲଡ ଟ୍ରାଫୋର୍ଡରେ ଖେଳାଯାଇଥିବା ପ୍ରଥମ ଟ୍ୱେଣ୍ଟି୨୦ରେ ମଧ୍ୟ କୁଳଦୀପଙ୍କ ଯାଦୁକରୀ ବୋଲିଂ ଯୋଗୁଁ ଇଂଲଣ୍ଡ ପରାଜୟର ସମ୍ମୁଖୀନ ହୋଇଥିଲା। ପବନର ଅନୁକୂଳରେ ବୋଲିଂ କରି କୁଳଦୀପ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ଅସୁବିଧାରେ ପକାଇବା ସହ ଗୋଟିଏ ପରେ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଏକଦା ୭୦ ରନରେ କୌଣସି ୱିକେଟ ହରାଇନଥିବା ଇଂଲଣ୍ଡ ୪୯.୫ ଓଭରରେ ୨୬୮ ରନରେ ଅଲଆଉଟ ହୋଇଥିଲା। ଦୁଇ ମଧ୍ୟକ୍ରମ ବ୍ୟାଟସମ୍ୟାନ ଜୋସ୍‍ ବଟ୍‍ଲର ଓ ବେନ୍‍ ଷ୍ଟୋକ୍‍ସଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଦୁଇ ଶହ ରନ ଅତିକ୍ରମ କରିବାରେ ସକ୍ଷମ ହୋଇପାରିଥିଲା।
ଦିନିକିଆରେ ୨୬୮ ଏତେଟା ଦୁର୍ବଳ ସ୍କୋର ହୋଇନଥିଲେ ସୁଦ୍ଧା ଇଂଲଣ୍ଡ ଦଳ ଭାରତକୁ ନିୟନ୍ତ୍ରଣରେ ରଖିବ ବୋଲି ଆଶା ରଖିଥିଲା। ତେବେ ରୋହିତ ଶର୍ମାଙ୍କ ଅପରାଜିତ ଶତକ ଓ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସନୀୟ ଅର୍ଦ୍ଧଶତକ ଦଳରେ ଭାରତ କେବଳ ଦୁଇଟି ୱିକେଟ ବିନିମୟରେ ଏହି ଲକ୍ଷ୍ୟକୁ ହାସଲ କରିଥିଲା। ଏଥିରୁ ଭାରତୀୟ ବ୍ୟାଟିଂ ଲାଇ୍‍ନଅପ୍‍ କେତେ ଶକ୍ତିଶାଳୀ, ତାହାର ପ୍ରମାଣ ଇଂଲଣ୍ଡ ଆକଳନ କରିସାରିଛି। ପ୍ରଥମ ଓ ଦ୍ୱିତୀୟ ଦିନିକିଆ ମଧ୍ୟରେ କେବଳ ଗୋଟିଏ ଦିନର ବ୍ୟବଧାନ ରହିଥିବାରୁ ଏହା ଇଂଲଣ୍ଡ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଭାରତୀୟ ଦଳର ପ୍ରଦର୍ଶନ ପ୍ରସଙ୍ଗରେ ଭିଡିଓ ବିଶ୍ଲେଷଣ କରିବାକୁ ସେମାନଙ୍କ ନିକଟରେ ଯଥେଷ୍ଟ ସମୟ ନାହିଁ। ପିଚ୍‍ ପ୍ରସ୍ତୁତିକୁ ନେଇ ମଧ୍ୟ ଇଂଲଣ୍ଡ ଦଳ ଦ୍ୱିଧାରେ ପଡିଛି। ପିଚ୍‍କୁ ଘାସ ଆଚ୍ଛାଦିତ କଲେ ସୁଦ୍ଧା ଇଂଲଣ୍ଡ ଫାଷ୍ଟ ବୋଲରମାନେ ଏଥିରୁ ଆବଶ୍ୟକ ଫାଇଦା ଉଠାଇ ପାରୁନାହାନ୍ତି। ତେଣୁ ଲର୍ଡସ ପିଚ୍‍ରେ ଅଧିକ ଘାସ ନ ରଖିବାକୁ କ୍ୟୁରେଟରଙ୍କୁ ନିର୍ଦେଶ ଦିଆଯାଇଛି। ଦ୍ୱିତୀୟ ଦିନିକିଆରେ କୋହଲି ଚୂଡାନ୍ତ ଏକାଦଶକୁ ଅପରିବର୍ତ୍ତିତ ରଖିବେ ବୋଲି ଆଶା କରାଯାଉଥିବାବେଳେ ଇଂଲଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନର ସୂଚନା ମିଳୁଛି। ମଧ୍ୟକ୍ରମରେ ଜୋ ରୁଟ୍‍ଙ୍କ ବଦଳରେ ଅଧିନାୟକ ଇଓନ ମୋର୍ଗାନ ଅତିରିକ୍ତ ବୋଲରଙ୍କୁ ଖେଳାଇବାର ସମ୍ଭାବନା ରହିଛି।

Leave A Reply