୨୯ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଜଣେ ବି ପୂର୍ଣ୍ଣ କରି ନାହାନ୍ତି ଅବଧି

0

ଇସଲାମାବାଦ : ପାକିସ୍ତାନର ୭୧ବର୍ଷର ସ୍ୱାଧୀନତା ମଧ୍ୟରେ ୨୯ଜଣ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କୁ ମଧ୍ୟରେ ଜଣେ କେହି ୫ବର୍ଷର ଅବଧି ପୂର୍ଣ୍ଣ କରିପାରି ନାହାନ୍ତି। ଏମାନଙ୍କ ମଧ୍ୟରୁ ୟୁସୁଫ ରାଜା ଗିଲାନି ସର୍ବାଧିକ ୫୦ମାସ ୨୫ଦିନ କ୍ଷମତାରେ ରହିଥିବାବେଳେ ଦ୍ୱିତୀୟ ସର୍ବାଧିକ ସମୟ କ୍ଷମତାରେ ରହିଥିଲେ ଲିଆକତ୍‍ ଅଲ୍ଲୀ ଖାଁ। ଲିଆକତ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ୫୦ମାସ ୨ଦିନ କ୍ଷମତାରେ ରହିଥିଲେ। ଆୟୁବ ଖାଁ ସର୍ବାଧିକ କମ୍‍ ସମୟ ମାତ୍ର ୪ଦିନ ପାଇଁ ପ୍ରଧାନମନ୍ତ୍ରୀ ରହିଥିଲେ। ୨୯ ପ୍ରଧାନମନ୍ତ୍ରୀ ପୂର୍ଣ୍ଣ ଅବଧି ପୂରଣ ନ କରିପାରିବାର ବିଭିନ୍ନ କାରଣ ରହିଛି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ବରଖାସ୍ତା ହେବା କିମ୍ବା ସୁପ୍ରିମକୋର୍ଟଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହେବା ଭଳି କାରଣ ରହିଛି। ଏହା ସହିତ ନିର୍ବାଚିତ ସରକାରକୁ ବରଖାସ୍ତ କରି ସେନାର କ୍ଷମତା ଦଖଲ, ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା, ବିଭିନ୍ନ କାରଣରୁ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଭଳି କାରଣରୁ ନିର୍ବାଚିତ ସରକାର ୫ବର୍ଷର ଅବଧି ପୂରଣ କରିପାରି ନାହାନ୍ତି। ପାକିସ୍ତାନର ୭୧ବର୍ଷର ସ୍ୱାଧୀନତା ମଧ୍ୟରୁ ୩୪ବର୍ଷ ୮ମାସ ନିର୍ବାଚିତ ସରକାର ଦ୍ୱାରା ଶାସିତ ହୋଇଥିବାବେଳେ ଅବଶିଷ୍ଟ ସମୟ ଦେଶରେ ସାମରିକ ଶାସନ ଚାଲିଥିଲା। ୧୯୫୮ରୁ ୧୯୭୧, ୧୯୭୭ରୁ ୧୯୮୮ ଓ ୧୯୯୯ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନରେ ସାମରିକ ଶାସନ ଚାଲିଥିଲା।

Leave A Reply