୧୨ହଜାର ୱେବସାଇଟରେ ଲାଗିବ ତାଲା

0

ନୂଆଦିଲ୍ଲୀ: ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ’୨.୦’ ଗୁରୁବାର ମୁକ୍ତିଲାଭ କରିଛି। ଏହି ସମୟରେ ଚେନ୍ନଇ ଉଚ୍ଚ ନ୍ୟାୟାଳୟ ୩୭ଆଇଏସପି(ଇଣ୍ଟରନେଟ ସର୍ଭିସ ପ୍ରଭାଇଡର)ଙ୍କୁ ୧୨ହଜାର ୱେବସାଇଟକୁ ବ୍ଲକ କରିବାକୁ ନିର୍ଦେଶ ଜାରି କରିଛି। ଏହି ସବୁ ୱେବସାଇଟ ମୁଖ୍ୟତଃ ତାମିଲ ସିନେମାର ପାଇରେଟ ଭର୍ସନ ପ୍ରକାଶ କରିଥାଏ। ବ୍ଲକ ହୋଇଥିବା ୧୨ହଜାର ୱେବାସାଇଟ ମଧ୍ୟରୁ ୨ହଜାରରୁ ଅଧିକ ୱେବସାଇଟ ତାମିଲ ସିନେମାର ନକଲ କପି ତାଙ୍କ ୱେବସାଇଟରେ ପ୍ରକାଶ କରିବା ପାଇଁ ଖ୍ୟାତନାମା। ଲାଇକା ପ୍ରଡକସନ ପ୍ରାଇଭେସି ଲି. ନାମକ ସଂସ୍ଥା ଦ୍ୱାରା ଚେନ୍ନଇ ଉଚ୍ଚ ନ୍ୟାୟାଳୟରେ କରାଯାଇ ଥିବା ଆବେଦନକୁ ବିଚାର କରି କୋର୍ଟ ଉପରୋକ୍ତ ରାୟ ପ୍ରଦାନ କରିଛି। ୟୁନିଫର୍ମ ରିସୋର୍ସ ଲୋକେଟର(ୟୁଆରଏଲ)ର ଠିକଣା ବଦଳାଇ ଅନୁରୂପ ଏକ ମିରର ୱେବସାଇଟ ନିର୍ମାଣ କରି ନବନିର୍ମିତ ସିନେମାକୁ ୱେବସାଇଟ ମାଧ୍ୟମରେ ଡାଉନଲୋଡ଼ ଓ ଦେଖିବାର ସୁଯୋଗ ଦିଆଯାଇ
ଥାଏ। ଏହାକୁ ବ୍ୟବହାର କରି ବଜାରରେ ନବନିର୍ମିତ ସିନେମାର ସିଡି ଓ ଡିଭିଡି ପ୍ରକାଶ ପାଇବା ସହ ସିନେମା ନିର୍ମାତାକୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼େ।
୨:୦ ସିନେମା ରିଲିଜ ପୂର୍ବରୁ ରେକର୍ଡ଼ କରିଛି। ସିନେମା ପରଦାକୁ ଆସିବା ପୂର୍ବରୁ ଅଦ୍ୟାବଧି ୧.୨ମିଲିୟନ ଟିକଟ ବିକ୍ରି କରି ରେକର୍ଡ଼ ସୃଷ୍ଟି କରିଛି। ୬୦୦କୋଟି ବ୍ୟୟରେ ନିର୍ମିତ ଉକ୍ତ ସିନେମା ବକ୍ସ ଅଫିସରେ ଆମଦାନୀର ନୂଆ ରେକର୍ଡ଼ ସୃଷ୍ଟି କରିବାର ସମ୍ଭାବନାକୁ ନେଇ ମଧ୍ୟ ନିର୍ମାତା ଆଶାବାଦୀ ଅଛନ୍ତି। ଏପରିକି ସିନେମାର ପ୍ରଥମ ଦିନ ୫୦କୋଟିରୁ ଅଧିକ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।
ଉକ୍ତ ସିନେମାରେ ୨ଜଣ ସୁପରଷ୍ଟାର ରହିଛନ୍ତି। ପ୍ରଥମ ଥର ପାଇଁ ଅକ୍ଷୟ କୁମାର କୌଣସି ତାମିଲ ସିନେମାରେ ନେଗେଟିଭ ଭୂମିକାରେ ଅଭିନୟ କରିଛନ୍ତି।
ଏସବୁ ବ୍ୟବସ୍ଥା ମଧ୍ୟରେ ସିନେମାକୁ ନକଲ ନହେବା ପାଇଁ କୋର୍ଟର ନିର୍ଦେଶ ଆଗାମୀ ଦିନରେ କେତେଦୂର ପ୍ରଭାବ ପକାଇବ ତାହା ୨:୦ର ମୁକ୍ତିଲାଭ ପରେ ଜଣା ପଡ଼ିବ।

Leave A Reply