କାଲିଫର୍ଣ୍ଣିଆ ବାରରେ ଅତର୍କିତ ଗୁଳିକାଣ୍ଡ : ହତ୍ୟାକାରୀ ସହ ୧୩ ମୃତ

0

କାଲିଫର୍ଣ୍ଣିଆ : ଦକ୍ଷିଣ କାଲିଫର୍ଣ୍ଣିଆସ୍ଥିତ ଏକ ଜନଗହଳିପୂର୍ଣ୍ଣ ବାରରେ ବୁଧବାର ରାତିରେ ଗୁଳିକାଣ୍ଡ ଘଟି ୧୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ବାର୍‍ରେ ଉପସ୍ଥିତ ୧୧ ଜଣ, ଜଣେ ବରିଷ୍ଠ ସୁରକ୍ଷାଧିକାରୀ ଏବଂ ଗୁଳିକାଣ୍ଡ ଘଟାଇଥିବା ବନ୍ଧୁକଧାରୀ ଅନ୍ତର୍ଭୁକ୍ତ। ପ୍ରାୟ ୩୦ ଜଣଙ୍କୁ ଅତର୍କିତ ଗୁଳି କରିବା ପରେ ବନ୍ଧୁକଧାରୀ ମଧ୍ୟ ଏହି ଘଟଣାରେ ପ୍ରାଣ ହରାଇଛି। ତା’ର ମୃତ୍ୟୁ କିଭଳି ହେଲା ସେ ସମ୍ବନ୍ଧରେ କୌଣସି ସୂଚନା ମିଳିପାରି ନାହିଁ। ବାର୍‍ରେ ଉପସ୍ଥିତ ଲୋକଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିବା ପରେ ବନ୍ଧୁକଧାରୀ ଏକ ହାତବୋମା ଫିଙ୍ଗିଥିଲେ
ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ଲସ୍‍ ଆଞ୍ଚେଲସଠାରୁ ୪୦ ମାଇଲ ଦୂର ଥାଉଜାଣ୍ଟ ଓକ୍ସସ୍ଥିତ ବର୍ଡରଲାଇନ ବାର ଆଣ୍ଡ ଗ୍ରିଲଠାରେ ବୁଧବାର ରାତିପ୍ରାୟ ୧୧ଟା ସମୟରେ ଏହି ଗୁଳିକାଣ୍ଡ ଘଟିଛି। ଭେନ୍ତୁରା କାଉଣ୍ଟି ଶେରିଫ୍‍ କାର୍ଯ୍ୟାଳୟର କ୍ୟାପଟେନ ଗାରୋ କୁାରେଡଜିଆନ କହିଛନ୍ତି, ବାର୍‍ରେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ଜଣେ ବନ୍ଧୁକଧାରୀ ହଠାତ୍‍ କାର୍ଯ୍ୟକ୍ରମସ୍ଥଳକୁ ପ୍ରବେଶ ପୂର୍ବକ ଆଖିବୁଜା ଗୁଳିମାଡ଼ କରିଥିଲେ। ସେ ସମ୍ପୂର୍ଣ୍ଣ କଳା ପୋଷାକ ପିନ୍ଧି ଥିବାବେଳେ ତାଙ୍କ ମୁଣ୍ଡ ଏବଂ ମୁହଁ ଆଂଶିକ ଘୋଡାଇ ହୋଇ ରହିଥିଲା। ଲୋକେ ଆତଙ୍କିତ ହୋଇ ଚେୟାର ଓ ଟେବୁଲ ଦ୍ୱାରା ଝରକା ଓ କବାଟ କାଚ ଭାଙ୍ଗି ବାହାରକୁ ଚାଲିଯିବାକୁ ଉଦ୍ୟମ କରିଥିଲେ। ଅନ୍ୟ କିଛି ଲୋକ ଶୌଚାଳୟରେ ଲୁଚି ରହି ଜୀବନ ରକ୍ଷା ଉଦ୍ୟମ କରିଥିଲେ।
ଏହି ଘଟଣାରେ ବରିଷ୍ଠ ସୁରକ୍ଷା ଅଧିକାରୀ ରୋନ ହେଲୁସ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ହେଲୁସ୍‍ ଗୁଳିମାଡ଼ ଶବ୍ଦ ଶୁଣି ଜଣେ ପାଟ୍ରୋଲିଂ ପୁଲିସଙ୍କ ସହ ବାର୍‍ ଭିତରେ ପ୍ରବେଶ କରିଥିଲେ। ତତ୍‍କ୍ଷଣାତ ତାଙ୍କ ଉପରକୁ ଏକାଧିକ ଗୁଳିମାଡ଼ ହୋଇଥିଲା। ସମ୍ପୃକ୍ତ ପାଟ୍ରୋଲିଂ ପୁଲିସ ହେଲୁସଙ୍କୁ ତୁରନ୍ତ ବାହାରକୁ ଟାଣି ନେଇ ସ୍ୱାତ୍‍ ଦଳକୁ ଖବର ଦେବା ସହ ଅପେକ୍ଷା କରି ରହିଥିଲେ। ଅଧିକ ସୁରକ୍ଷାଧିକାରୀ ଆସିବା ପରେ ସେମାନେ ବାର ଭିତରକୁ ପ୍ରବେଶ କରିଥିଲେ। ସେତେବେଳକୁ ଗୁଳିମାଡ଼ ବନ୍ଦ ହୋଇଯାଇଥିଲା। ବନ୍ଧୁକଧାରୀ ବ୍ୟକ୍ତିଙ୍କ ସମେତ ୧୨ ଜଣଙ୍କ ମୃତଦେହ ଚଟାଣ ଉପରେ ପଡିଥିବା ସେମାନେ ଦେଖିଥିଲେ ବୋଲି ଭେଞ୍ଚର କାଉଣ୍ଟି ଶେରିଫ ଜିଓଫ ଡିନ୍‍ କହିଛନ୍ତି।

Leave A Reply