୫ମ ଦିନିକିଆ: ଶ୍ରୀଲଙ୍କାର ସାନ୍ତ୍ୱନାମୂଳକ ବିଜୟ
ଦୁବାଇ: ଦିନିକିଆ ସିରିଜ୍ ହାରିବା ପରେ ୫ମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି ଘରୋଇ ଶ୍ରୀଲଙ୍କା। ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ପରେ ସ୍ପିନରଙ୍କ ସଫଳତା ଯୋଗୁଁ ଶ୍ରୀଲଙ୍କା ବିପୁଳ ବିଜୟ ହାସଲ କରିଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂକରି ୬ ୱିକେଟରେ ବିଶାଳ ୩୬୬ ରନ୍ କରିଥିଲା। ୨୬.୧ ଓଭରରେ ଇଂଲଣ୍ଡ ୯ ୱିକେଟରେ ୧୩୨ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ଆଉ ଖେଳ ସମ୍ଭବପର ନ ହେବାରୁ ଶ୍ରୀଲଙ୍କାକୁ ଡକ୍ୱର୍ଥ-ଲୁଇସ୍ ନିୟମରେ ୨୧୯ ରନ୍ରେ ବିଜେତା ଘୋଷଣା କରା ଯାଇଥିଲା। ୨୧୯ ରନ୍ ଇଂଲଣ୍ଡର ସର୍ବାଧିକ ରନ୍ରେ ପରାଜୟ। ପୂର୍ବରୁ ଇଂଲଣ୍ଡର ସର୍ବାଧିକ ପରାଜୟ ବ୍ୟବଧାନ ଥିଲା ୧୬୫ ରନ୍। ଶ୍ରୀଲଙ୍କାର ଏହି ବିଜୟ ପରେ ଇଂଲଣ୍ଡ ୩-୧ରେ ସିରିଜ୍ ଜିତିଛି। ୨୭ରେ ଉଭୟ ଦଳଙ୍କ ମଧ୍ୟରେ ଏକମାତ୍ର ଟ୍ୱେଣ୍ଟି୨୦ ମ୍ୟାଚ୍ ଖେଳାଯିବ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କାର ପ୍ରଥମ ୪ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିଥିଲେ। ଓପ୍ନିଂ ଯୋଡ଼ି ୧୯ ଓଭରରେ ୧୩୭ ରନ୍ କରିବା ପରେ ସାଦିରା ସମବିକ୍ରମ ୪୮ ବଲ୍ରୁ ୮ଟି ଚୌକା ସହ ୫୪ ରନ୍କରି ଆଉଟ ହୋଇଥିଲେ। ପରେ ନିରୋଶନ ଡିକ୍ୱେଲା ୯୭ ବଲ୍ରୁ ୧୨ଟି ଚୌକା ସହ ୯୫ ରନ୍ କରିଥିଲେ। ୩ୟ ୱିକେଟ ପାଇଁ ଅଧିନାୟକ ଦିନେଶ ଚାନ୍ଦିମାଲ ଓ କୁଶଳ ମେଣ୍ଡିସ୍ ୧୦୨ ରନ୍ ଯୋଡ଼ିଥିଲେ। ମେଣ୍ଡିସ୍ ବିସ୍ଫୋରକ ବ୍ୟାଟିଂକରି ୩୩ ବଲ୍ରୁ ୬ଟି ଛକା ଓ ଗୋଟିଏ ଚୌକା ସହ ୫୬ ରନ୍ କରିଥିଲେ। ଚାନ୍ଦିମାଲ ୭୩ ବଲ୍ରୁ ୨ଟି ଛକା ଓ ୬ଟି ଚୌକା ସହ ୮୦ ରନ୍ କରିଥିଲେ। ଦାସୁନ୍ ଶନକ ୧୮ ରନ୍ କରିଥିବା ବେଳେ ଧନଞ୍ଜୟ ଡି ସିଲ୍ଭା ୧୯ ଓ ଆକିଲା ଧନଞ୍ଜୟ ୧୮ ରନ୍କରି ଅପରାଜିତ ଥିଲେ। ଟମ୍ କରନ୍ ଓ ମୋଇନ୍ ଅଲୀ ୨ଟି ଲେଖାଏଁ ୱିକେଟ ନେଇଥିଲେ। ୩୬୭ ରନ୍ ଲକ୍ଷ୍ୟରେ ଇଂଲଣ୍ଡ ମାତ୍ର ୨୮ ରନ୍ରେ ୪ଟି ୱିକେଟ ହରାଇଥିଲା। ୫ମ ୱିକେଟ ପାଇଁ ବେନ୍ ଷ୍ଟୋକ୍ସ ଓ ମୋଇନ୍ ଅଲୀ ୯୩ ରନ୍ ଯୋଡ଼ିଥିଲେ। ମୋଇନ୍ ୩୭ ବଲ୍ରୁ ୩୭ ରନ୍କରି ଆଉଟ ହୋଇଥିଲେ। ବାମହାତି ବେନ୍ ଷ୍ଟୋକ୍ସ ୬୦ ବଲ୍ରୁ ୬୭ ରନ୍କରି ଆଉଟ ହେବା ସହ ଇଂଲଣ୍ଡର ଆଶା ମଉଳି ଯାଇଥିଲା। ଆକିଲା ଧନଞ୍ଜୟ ୪ଟି ଓ ଦୁଷ୍ମନ୍ତ ଚାମିରା ୩ଟି ୱିକେଟ ନେଇଥିଲେ। ଡିକ୍ୱେଲା ପ୍ଲେୟର ଅଫ୍ ଦି ମ୍ୟାଚ୍ ଏବଂ ଇଂଲଣ୍ଡ ଅଧିନାୟକ ଇଓନ୍ ମୋର୍ଗାନ୍ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।