୩ ରାଜ୍ୟରେ କଂଗ୍ରେସ ଶାସନ ଆରମ୍ଭ

0

ଜୟପୁର/ଭୋପାଳ/ରାୟପୁର: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ବିଜୟ ପୂର୍ବକ ସରକାର ଗଠନ ପାଇଁ ଦାବିଦାର ହୋଇଥିବା କଂଗ୍ରେସ ସୋମବାର ସରକାର ଗଠନ ପୂର୍ବକ ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ରାଜସ୍ଥାନରେ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ସଚିନ ପାଇଲଟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ମଧ୍ୟପ୍ରଦେଶରେ କମଲ ନାଥ, ଛତିଶଗଡରେ ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଛତିଶଗଡରେ ବଘେଲଙ୍କ ସହିତ ତାମ୍ରଧ୍ବଜ ସାହୁ ଓ ଟିଏସ୍ ସିଂହଦେଓ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ତିନିଟି ରାଜ୍ୟ ମଧ୍ୟରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରଥମେ ଶପଥ ଗ୍ରହଣ କରିଥିଲେ। ଏହା ପରେ ମଧ୍ୟପ୍ରଦେଶ ଓ ଛତିଶଗଡର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ। ରାଜସ୍ଥାନ ଜୟପୁରର ଆଲବର୍ଟ ହଲ୍‌ରେ ଆୟୋଜିତ ଉତ୍ସବରେ ଗେହଲଟଙ୍କୁ ରାଜ୍ୟପାଲ କଲ୍ୟାଣ ସିଂହ ଶପଥ ପାଠ କରାଇଥିଲେ। ପରେ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଗେହଲଟ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ୧୯୯୮-୨୦୦୩ ଓ ୨୦୦୮-୨୦୧୩ ପର୍ଯ୍ୟନ୍ତ ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ଉଭୟ ଗେହଲଟ ଓ ପାଇଲଟ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ।
ଦ୍ବିତୀୟ ପର୍ଯ୍ୟାୟରେ କମଲ ନାଥ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଅପରାହ୍ଣ ୨ଟା ୩୦ରେ ଭୋପାଳର ଜାମ୍ବୋରି ମଇଦାନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ୯ଥର ଲୋକସଭାକୁ ନିର୍ବାଚିତ ହୋଇଥିବା କମଲ ନାଥ (୭୨) ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୬ଟା ୩୦ରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶପଥ ଗ୍ରହଣ କହିଥିଲେ। ରାୟପୁରର ଇନଡୋର ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବଘେଲଙ୍କ ବ୍ୟତୀତ ତାମ୍ରଧ୍ବଜ ସାହୁ ଓ ଟିଏସ୍ ସିଂହଦେଓ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଅନ୍ୟ କେହି ମନ୍ତ୍ରୀ ଶପଥ ଗ୍ରହଣ କରିନାହାନ୍ତି। ପରବର୍ତ୍ତୀ ସମୟରେ ତିନି ରାଜ୍ୟରେ କ୍ୟାବିନେଟ ସମ୍ପ୍ରସାରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହିତ ସାଂସଦ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହା ସହିତ ତିନି ରାଜ୍ୟର ବିଦାୟୀ ମୁଖ୍ୟମନ୍ତ୍ରୀ ରାଜସ୍ଥାନରେ ବସୁନ୍ଧରା ରାଜେ, ମଧ୍ୟପ୍ରଦେଶରେ ଶିବରାଜ ସିଂହଚୌହାନ ଓ ଛତିଶଗଡରେ ରମଣ ସିଂହ ଉପସ୍ଥିତ ରହିଥିଲେ। ଏହା ସହିତ ଏନସିପି ମୁଖ୍ୟ ଶରଦ ପୱାର, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଜେଡିୟୁ ମୁଖ୍ୟ ଏଚଡି ଦେବେଗୌଡା, ଜେଏମଏମ୍ ନେତା ହେମନ୍ତ ସୋରେନ, ଆରଜେଡି ନେତା ତେଜସ୍ବୀ ଯାଦବ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଓ କାନିମୋଝି ପ୍ରମୁଖ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିଥିଲେ।

Leave A Reply