୨୦ଲକ୍ଷରୁ ଅଧିକ ଟଙ୍କା ଠକି ଠିକାଦାର ଅଟକ

0

ଉତ୍ତରଭୁବନେଶ୍ୱର: ଏକାଧିକ ଲୋକଙ୍କ ନିକଟରୁ ମୋଟରେ ୨୦ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଜଣେ ଠିକାଦାରଙ୍କୁ ପୁଲିସ ଅଟକ ରଖିଛି। ମଙ୍ଗଳବାର କୌଣସି ସୂତ୍ରରୁ ଖବରପାଇ ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତି ପୁଲିସକୁ ଜଣାଇବା ପରେ ତାଙ୍କୁ ଅଟକ ରଖାଯାଇଛି। ସେହିପରି ଠକେଇର ଶିକାର ହୋଇଥିବା ଅନ୍ୟମାନେ ଥାନାରେ ପହଞ୍ଚି ଅଭିଯୋଗ କରିବାରୁ ପୁଲିସ ଘଟଣାର ସତ୍ୟତା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଲାଫାର୍ଜି, ଆର.ବି ରେଡମିକ୍ସ ଭଳି ପ୍ରତିଷ୍ଠିତ କମ୍ପାନୀ କର୍ମଚାରୀଙ୍କ ନିକଟରୁ ଟଙ୍କା ଠକିନେଇ ଥିବା ମଧ୍ୟ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ନିରଞ୍ଜନଙ୍କ ନାମରେ କଟକ ମଧୁପାଟଣା ଥାନାରେ ମାମଲା ଥିବା ଜେରାବେଳେ ପଦାକୁ ଆସିଛି।
ସୂଚନା ଅନୁସାରେ ୨ବର୍ଷ ପୂର୍ବେ କଟକ ସିଡିଏ ଅଞ୍ଚଳରେ ରହି ଜାଇକା ସଂସ୍ଥାରେ ଠିକାଦାରି କରୁଥିବା ନିରଞ୍ଜନ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଲୋକଙ୍କ ସହିତ ସମ୍ପର୍କ ରଖି ସେମାନଙ୍କୁ ବିଭିନ୍ନ ମେସିନ୍‍, ପାଇପ୍‍ ଲାଇନ୍‍ ଓ ଅନ୍ୟ ସାମଗ୍ରୀ ଯୋଗାଇଦେବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ନିରଞ୍ଜନଙ୍କ ଆଉ ଦେଖା ମିଳିନଥିଲା। ମଙ୍ଗଳବାର କୌଣସି ସୂତ୍ରରୁ ଖବରପାଇ ନିରଞ୍ଜନଙ୍କୁ ମଞ୍ଚେଶ୍ୱର ଥାନା ଚକେଇସିହାଣି ଅଞ୍ଚଳରୁ ଠାବ କରି ସ୍ଥାନୀୟ ଜଣେ ଲୋକେ ପୁଲିସକୁ ଜଣାଇଥିଲେ। କଟକ ଅଞ୍ଚଳର ପ୍ରତାପ ସାସମଲ ୧ଲକ୍ଷ୨୦ହଜାର ଟଙ୍କା ମେସିନ କିଣିବା ବାବଦରେ ନିରଞ୍ଜନଙ୍କୁ ଦେଇଥିବା ଅଭିଯୋଗ କରିଥିବାବେଳେ ଅର୍ପଣ ଜେନାଙ୍କୁ ଅମୃତ ଯୋଜନାରେ ପାଇପ୍‍ ଲାଇନ କାମ କରାଇ ଦେବାକୁ କହି ୫ ଲକ୍ଷ ଟଙ୍କା ନେଇଥିବା ଅର୍ପଣ ଅଭିଯୋଗ କରିଛନ୍ତି। ଅନ୍ୟ କେତେଜଣଙ୍କୁ ଲକ୍ଷାଧିକ ଟଙ୍କା ଠକିଥିବା ମଧ୍ୟ ଜଣାପଡ଼ିଛି। ତେବେ କେତେକଙ୍କୁ ସେ ଚେକ୍‍ ମାଧ୍ୟମରେ ଟଙ୍କା ଫେରାଇଛନ୍ତି ବୋଲି କହୁଥିବାବେଳେ ସେ ସବୁ ଚେକ୍‍ ବାଉନ୍ସ ହୋଇଥିବା ଓ ସେଥିନେଇ ତାଙ୍କ ବିରୋଧରେ ମାମଲା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Leave A Reply