‘ସମାଜ’, ଗୋପବନ୍ଧୁ ଓ ଗାନ୍ଧୀ

0

ପ୍ରହଲାଦ କୁମାର ସିଂହ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ‘ସମାଜ’ ସମୟର ଶିଳାବନ୍ଧୁର ପଥରେ ବହୁ ବାଧାବିଘ୍ନ ଅତିକ୍ରମ କରି ୧୦୦ ବର୍ଷରେ ପାଦ ଦେଇଛି। ଏହି ଦୀର୍ଘ ଯାତ୍ରାରେ ‘ସମାଜ’ ନେତୃତ୍ୱ ନେଇଛି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଚାଲିଥିବା ସଂଗ୍ରାମଠାରୁ ଦେଶ ସ୍ୱାଧୀନତା ଆନ୍ଦୋଳନ ପର୍ଯ୍ୟନ୍ତ ବିଭିନ୍ନ ଐତିହାସିକ ଘଟଣାବଳୀର। କନିକା ପ୍ରଜା ଆନ୍ଦୋଳନ ଠାରୁ ଆରମ୍ଭ କରି ଢେଙ୍କାନାଳ, ରଣପୁର, ତାଳଚେର ଆଦି ଗଡ଼ଜାତରେ ହୋଇଥିବା ସଂଗ୍ରାମରେ ସମାଜର ସକ୍ରିୟ ଯୋଗଦାନ ରହିଛି। ଆମ ସାମାଜିକ ବ୍ୟବସ୍ଥାରେ ସଂସ୍କାର କ୍ଷେତ୍ରରେ ବି ‘ସମାଜ’ର ଏହି ଦୀର୍ଘ ଯାତ୍ରା ଅନେକ ଅବଦାନ ଦେଇଛି। ଦୁର୍ଭିକ୍ଷ, ବନ୍ୟା, ବାତ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିପତ୍ତିଠାରୁ ଘରପୋଡ଼ି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସମାଜ ବିପନ୍ନ ଲୋକଙ୍କ ସେବା କରିଆସିଛି। ସେବା, ସଂଗ୍ରାମ ଓ ସଂସ୍କାର କ୍ଷେତ୍ରରେ ଓଡ଼ିଶାର ଜନମାନସକୁ ସମାଜ ବହୁ ମାତ୍ରାରେ ପ୍ରଭାବିତ କରି ବ୍ୟବସ୍ଥା ପରିବର୍ତ୍ତନରେ ଅଗ୍ରଣୀ ଭୂମିକା ନେଇଛି। କେବଳ ସେତିକି ନୁହେଁ ଦୁର୍ନୀତି, ଭ୍ରଷ୍ଟାଚାର ଆଦିର ମୁଖା ଖୋଲିବା ସଙ୍ଗେ ସଙ୍ଗେ ଓଡ଼ିଶାର ପ୍ରଗତିରେ ସମାଜର ଅନବଦ୍ୟ ଅବଦାନ ରହିଆସିଛି। ବାସ୍ତବରେ ‘ସମାଜ’ କେବଳ ଏକ ସାଧାରଣ ସମ୍ପାଦପତ୍ର ନୁହେଁ ଏହା ଓଡ଼ିଆ ଜାତିର ସ୍ୱର ଭାବେ ଜନମାନସରେ ସ୍ୱୀକୃତି ପାଇଛି।
ସଂସ୍କାରୀ ପୁରୁଷ ଗୋପବନ୍ଧୁ ତରୁଣ ବୟସରେ ସତୀର୍ଥମାନଙ୍କ ସହ ପୂଣ୍ୟତୋୟା ଭାର୍ଗବୀ କୂଳରେ ବିନିଦ୍ର ରଜନୀ କାଟି ଶପଥ ନେଇଥିଲେ ପାଠପଢ଼ି ସରକାରୀ ଚାକିରି ନ କରି ଜନ୍ମ ବେଳେ ଦେଶକୁ ଯାହା ଦେଖିଥିଲେ ତାହାଠାରୁ ଭଲ ଦେଖି ମରିବାକୁ। ଛାତ୍ରାବସ୍ଥାରୁ ସେବା, ସଂସ୍କାର ଓ ସଂଗ୍ରାମର ଜୀବନ ଆରମ୍ଭ କରିଥିଲେ ଦାସେ ଆପଣେ। ଏଥିରେ ମାଧ୍ୟମ ଥିଲା ତାଙ୍କ କବିପ୍ରାଣ। ତାହାରି ଭିତରୁ ଜନ୍ମ ନେଇଥିଲା ସତ୍ୟବାଦୀ ବନ ବିଦ୍ୟାଳୟ ଭଳି ଏକ ମଣିଷ ତିଆରି କାରଖାନା। ଚାରୋଟି ରାଜ୍ୟରେ ଖଣ୍ଡ ବିଖଣ୍ଡିତ ହୋଇ ରହିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ ଆରମ୍ଭ କରିଥିବା ଅଭିଯାନରେ ଗୋପବନ୍ଧୁ ଥିଲେ ଅନ୍ୟତମ ସାରଥୀ। ତେବେ ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଆମ ରାଜ୍ୟକୁ ସ୍ୱତନ୍ତ୍ର ରାଜନୈତିକ ପରିଚିତି ଦେଇ ଉତ୍କଳମଣିଙ୍କ ଅଧ୍ୟକ୍ଷତାରେ ଗଠନ କରିଥିଲେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି। ବିହାର-ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ସେ ଓଡ଼ିଶାର ସମସ୍ୟା ଯେଭଳି ଭାବେ ଉତ୍‍ଥାପନ କରୁଥିଲେ ତାହା ଇତିହାସର କଥାବସ୍ତୁ। ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ଉତ୍କଳମଣି ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେବାକୁ ପଛାଇନଥିଲେ। ଭଗିରଥ ସ୍ୱର୍ଗରୁ ଗଙ୍ଗାଙ୍କୁ ଧରାବତରଣ କରାଇବା ଭଳ ଗୋପବନ୍ଧୁ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ବନ୍ୟା ପ୍ଲାବନ କରି ବହୁ ସଂଗ୍ରାମୀ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଅନେକବାର କାରାବରଣ କରିଛନ୍ତି।
୧୯୧୯ ଅକ୍ଟୋବର ୪ ତାରିଖ ଉତ୍କଳମଣିଙ୍କ ସଂଘର୍ଷମୟ ଜୀବନରେ ସୃଷ୍ଟି କଲା ଏକ ନୂଆ ଅଧ୍ୟାୟ। ଏହି ଦିନ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଲା ସାପ୍ତାହିକ ଖବରକାଗଜ ‘ସମାଜ’ର ପ୍ରଥମ ସଂଖ୍ୟା। ପରବର୍ତ୍ତୀ କାଳରେ ଏହା ଦୈନିକ ଖବର କାଗଜରେ ପରିଣତ ହୋଇ ଓଡ଼ିଆ ଜାତିର ସେବା କରିବା ସହିତ ତାହା ମାଧ୍ୟମରେ ଦେଶର ସେବା କରିଚାଲିଛି। ସ୍ୱାଧୀନତା ଆନ୍ଦୋଳନ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅଭିଯାନ, ଓଡ଼ିଆ ଭାଷା ସୁରକ୍ଷା ସହିତ ଓଡ଼ିଆ ଜାତିର ମୁଖପତ୍ର ଭାବେ ନିବେଦିତ ଥିଲା ‘ସମାଜ’। ଏହି ସମ୍ବାଦପତ୍ର ପ୍ରତିଷ୍ଠା ସମୟରେ ଓଡ଼ିଆ ଜାତିର ସଂଜ୍ଞା ନିରୂପଣ କରି ଉତ୍କଳମଣି ଲେଖିଥିଲେ, ‘ଓଡ଼ିଆ ଜାତି କହିଲେ କେବଳ କେତେକ ଶିକ୍ଷିତ ବା ଧନୀ ବ୍ୟକ୍ତି ନୁହନ୍ତି, କେତେକ ରାଜା ବା ଜମିଦାର ନୁହଁନ୍ତି; ହାକିମ, ଅମଲା, ଓକିଲ ମୁକ୍ତାର ନୁହନ୍ତି। ସମଗ୍ର ଜାତି ମଧ୍ୟରେ ଏମାନଙ୍କ ସଂଖ୍ୟା କେତେ? ଶତକଡ଼ା ଜଣେ ଦୁଇଜଣ ହେବେକି ନାହିଁ ସନ୍ଦେହ। ଧନୀ-ଗରିବ, ଶିକ୍ଷିତ-ଅଶିକ୍ଷିତ, ରାଜା-ପ୍ରଜା ସମସ୍ତଙ୍କୁ ଘେନି ଓଡ଼ିଆ ଜାତି।’ ସ୍ୱାଧୀନତାର ୭୨ ବର୍ଷ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୩ ବର୍ଷ ଓ ସର୍ବୋପରି ‘ସମାଜ’ର ଶହେ ବର୍ଷ ପୂରିବାକୁ ଯାଉଥିବା ବେଳେ ଗୋପବନ୍ଧୁଙ୍କ ଏହି ମର୍ମସ୍ପର୍ଶୀ ଉକ୍ତି ଏବେ ଅଧିକ ପ୍ରାସଙ୍ଗିକ ମନେ ହେଉଛି।
‘ସମାଜ’ ମାଧ୍ୟମରେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ଉଦ୍ୟମ କରିବା ସଙ୍ଗେ ସଙ୍ଗେ ପ୍ରାକୃତିକ ବିପତ୍ତିରେ ପୀଡ଼ିତ ଲୋକଙ୍କୁ ସହାୟତା କରି ସେମାନଙ୍କୁ ସ୍ୱାବଲମ୍ବୀ କରି ସେ ଛିଡ଼ା କରାଉଥିଲେ। ଏଥିପାଇଁ ଖଦି ଓ କୂଟୀର ଶିଳ୍ପର ବିକାଶ ଲାଗି ସେ ଧ୍ୟାନ ଦେଉଥିଲେ।
ଓଡ଼ିଶାର ଗଡ଼ଜାତ ଅଞ୍ଚଳରେ ଚାଲିଥିବା ଅମାନୁଷିକ ଅତ୍ୟାଚାର ସମ୍ପର୍କରେ ଗୋପବନ୍ଧୁଙ୍କ ସମ୍ପାଦିତ ‘ସମାଜ’ରେ ପ୍ରକାଶିତ ଏକ ସମ୍ବାଦର ଇଂରାଜୀ ଅନୁବାଦ ‘ୟଙ୍ଗ୍‍ ଇଣ୍ଡିଆ’ର ୧୩.୦୭.୧୯୨୧ ସଂସ୍କରଣରେ ଗାନ୍ଧିଜୀ ଛପାଇଥିଲେ। ଏଥିରେ ସେ ଲେଖିଥିଲେ, “ଭାରତରେ ଓଡ଼ିଶା ବୋଧହୁଏ ସବୁଠୁ ଗରିବ ଅଞ୍ଚଳ। ଏଠାକାର ଲୋକେ ବହୁତ ସରଳ। ‘ସମାଜ’ ଉତ୍କଳର ଖବରକାଗଜ। କେନ୍ଦୁଝର ଗଡ଼ଜାତରେ ଚାଲିଥିବା ଅତ୍ୟାଚାର ସଂକ୍ରାନ୍ତରେ ‘ସମାଜ’ର ସାମ୍ବାଦିକ ଯେଉଁ ତଥ୍ୟ ଦେଇଛନ୍ତି ତାହା ସମସ୍ତେ ଜାଣିବା ଆବଶ୍ୟକ….. ମୁଁ ଲୋକମାନଙ୍କୁ କହିବାକୁ ଚାହେଁ ଯେ ଯେପର୍ଯ୍ୟନ୍ତ ଭାରତ ପରାଧୀନତାର ଶୃଙ୍ଖଳରେ ବନ୍ଧା ହୋଇ ରହିଥିବ ସେ ପର୍ଯ୍ୟନ୍ତ ସେମାନଙ୍କୁ ଏଭଳି ଯନ୍ତ୍ରଣା ଭୋଗିବାକୁ ପଡ଼ିବ। ମୁଁ ଅସହଯୋଗ ଆନ୍ଦୋଳନକାରୀମାନଙ୍କୁ ପରାମର୍ଶ ଦେଉଛି ଯେ ଯେଉଁ ସ୍ଥାନରେ ଦମନ ଆରମ୍ଭ ହେବା ପରେ ସେମାନେ ଲୋକଙ୍କୁ କୌଣସି ପ୍ରକାରର ସାହାଯ୍ୟ ଦେଇନପାରିବେ, ସେ ସ୍ଥାନରେ ସେମାନେ ଆନ୍ଦୋଳନ କରିବା ଅନୁଚିତ। ଯଦି ଉତ୍କଳର ଜନତା ଶକ୍ତିଶାଳୀ ଓ ସୁସଂଗଠିତ ହୋଇଥାନ୍ତେ ତେବେ ମୁଁ ବିନା ଦ୍ୱିଧାରେ ସେମାନଙ୍କୁ କହନ୍ତି ଯେ ସେମାନେ ଏହି ଗଡ଼ଜାତଗୁଡ଼ିକୁ ଯାଆନ୍ତୁ ଓ ସେଠାକାର ପ୍ରତ୍ୟେକ ଅମାନୁଷିକ କଟକଣାକୁ ଭାଙ୍ଗନ୍ତୁ ଏବଂ ଆଇନ୍‍ଗତ ଦଣ୍ଡ ବି ଭୋଗନ୍ତୁ।”
ପୁଣି ୧୩.୦୪.୧୯୨୧ର ‘ୟଙ୍ଗ୍‍ ଇଣ୍ଡିଆ’ରେ ଓଡ଼ିଶା ପରି ଦରିଦ୍ର୍ୟତମ ଅଞ୍ଚଳର ଲୋକଙ୍କୁ ସ୍ୱାବଲମ୍ବୀ କରିବା ଓ ଭୋକିଲା ଲୋକଙ୍କ ମୁହଁରେ ଦାନା ଦେବାଲାଗି ଉତ୍କଳମଣିଙ୍କ ଉଦ୍ୟମ ସମ୍ପର୍କରେ ବିସ୍ତୃତ ଭାବେ ଗାନ୍ଧିଜୀ ଅନ୍ୟ ଏକ ଲେଖା ଲେଖିଥିଲେ। ସେଥିରେ ସେ ଗୋପବନ୍ଧୁ ଓ ତାଙ୍କ ସହଯୋଗୀମାନଙ୍କ ସଂକଳ୍ପବଦ୍ଧ ଉଦ୍ୟମ ତଥା ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସୂଚନା ଦେଇ କହିଥିଲେ ‘ଏପରି ସାଧୁକର୍ମୀମାନଙ୍କର ନିରନ୍ତର ଚେଷ୍ଟା ଜାରି ରହିଲେ ବର୍ଷେ ମଧ୍ୟରେ ସ୍ୱରାଜ୍ୟ ମିଳିଯାଇପାରେ ବୋଲି ମୋର ଦୃଢ଼ ବିଶ୍ୱାସ….. କିନ୍ତୁ ପ୍ରକୃତିର କ୍ରୋଧ ଯୋଗୁ ଓଡ଼ିଶାର ଲୋକେ ଦୁଃଖ ପାଆନ୍ତି। ବର୍ଷାଭାବରୁ କେତେବେଳେ ଏଠି ଫସଲ ହୁଏ ନାହିଁ ତ ଆଉ କେତେବେଳେ ଅତିବୃଷ୍ଟି ଯୋଗୁ ବନ୍ୟା ଆସି ଫସଲ ଓ ଘରଦ୍ୱାର ଧୋଇଯାଏ। ତେଣୁ ଓଡ଼ିଶାରେ ଦୁର୍ଭିକ୍ଷ ଭଳି ଅବସ୍ଥା ଲାଗି ରହିଥାଏ। ଏପରି ଏକ ଭଗବାନଙ୍କର ପରିତ୍ୟକ୍ତ ଅଞ୍ଚଳରେ ଜଣେ ପ୍ରକୃତ ନେତା ଅଛନ୍ତି- ସେ ହେଉଛନ୍ତି ଗୋପବନ୍ଧୁ ଦାସ….. ଗୋପବନ୍ଧୁ ବାବୁ ଏକ ସେବା ସମାଜ ଗଢ଼ିଛନ୍ତି। ଏହାର ସଦସ୍ୟମାନେ ଅସହଯୋଗ ଆନ୍ଦୋଳନ ଆରମ୍ଭରୁ କାମ କରୁଛନ୍ତି। ସେମାନେ ମୁଷ୍ଟି ଭିକ୍ଷା କରନ୍ତି ଏବଂ ତାହାରି ସାହାଯ୍ୟରେ ସ୍ୱରାଜ୍ୟ ଆଶ୍ରମ ଚାଲେ।
ଗୋପବନ୍ଧୁଙ୍କ ପ୍ରତି ଗାନ୍ଧିଜୀଙ୍କର କେତେ ଶ୍ରଦ୍ଧା ଓ ସମ୍ମାନ ଥିଲା ତାହା ଉତ୍କଳମଣିଙ୍କ ମହାପ୍ରୟାଣ ପରେ ‘ନବଜୀବନର’ର ୦୧.୦୭.୧୯୨୮ ସଂସ୍କରଣରେ ‘ଜଣେ ସଚ୍ଚା ସେବକ’ ଶିରୋନାମାରେ ପ୍ରକାଶ ପାଇଥିବା ତାଙ୍କ ଶ୍ରଦ୍ଧାଞ୍ଜଳିରୁ ଜଣାପଡ଼େ। ଏଥିରେ ଗାନ୍ଧିଜୀ ଲେଖିଥିଲେ, ‘ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମୃତ୍ୟୁ ଫଳରେ ଭାରତବର୍ଷ ବିଶେଷକରି ଉତ୍କଳ ଜଣେ ସଚ୍ଚା ଓ ଶୁଦ୍ଧମନା ସେବକଙ୍କୁ ହରାଇଲା। ସେ ଓଡ଼ିଶାର ରତ୍ନ ଥିଲେ….. ଅସହଯୋଗ ଆନ୍ଦୋଳନ ପୂର୍ବରୁ ଗୋପବନ୍ଧୁ ବାବୁ ବିଧାନସଭାର ସଦସ୍ୟ ଥିଲେ ଏବଂ ଓକିଲାତି କରୁଥିଲେ। ଓକିଲାତି କରି ଧନ ରୁଣ୍ଡେଇବା ପରିବର୍ତ୍ତେ ସେ ସାକ୍ଷୀଗୋପାଳରେ ଗୋଟିଏ ଅତି ଲୋକପ୍ରିୟ ବିଦ୍ୟାଳୟ ସ୍ଥାପନ କରିଥିଲେ….. ଅସହଯୋଗର ସିଦ୍ଧାନ୍ତକୁ ଭଲଭାବେ ବୁଝି ସରକାର ସହ ବିଦ୍ୟାଳୟର ସମ୍ପର୍କ ତୁଟାଇଥିଲେ। ଓକିଲାତି ମଧ୍ୟ ଛାଡ଼ିବା ସହ ନିଜ ଜୀବନରେ ସ୍ୱେଚ୍ଛାକୃତ ଦାରିଦ୍ର୍ୟ ବରଣ କରିଥିଲେ। ବିଧାନସଭାକୁ ବି ସେ ତୁଚ୍ଛ କରିଦେଇଥିଲେ….. ଗୋପବନ୍ଧୁ ବାବୁଙ୍କ ମନରେ କୌଣସି ଗ୍ଲାନି ମୁଁ କେବେ ଅନୁଭବ କରିନାହିଁ। ଓଡ଼ିଶାର ଦାରିଦ୍ର୍ୟ ଦୂର କରିବାରେ ଖଦିର ଗୁରୁତ୍ୱ ଥିବା ସେ ଜାଣିଥିଲେ। ସେଥିପାଇଁ ଖଦି କାମକୁ ବଢ଼ାଇବା ଲାଗି ମୋ ସହିତ ବାରମ୍ବାର ପରାମର୍ଶ କରୁଥିଲେ। ଲାଲାଜୀଙ୍କ ଲୋକସେବକ ମଣ୍ଡଳ ସହିତ ଗୋପବନ୍ଧୁ ବାବୁଙ୍କର ସୁସମ୍ପର୍କ ଥିଲା। ସେ ଏହି ମଣ୍ଡଳର ଉପସଭାପତି ଥିଲେ। ଆମେ ଏହାହିଁ ଆଶା କରୁଛୁ ଯେ ଓଡ଼ିଶାର ସ୍ୱେଚ୍ଛାସେବକମାନେ ତାଙ୍କର କାର୍ଯ୍ୟକୁ ମୁଣ୍ଡେଇବେ। ସାଧୁ ପୁରୁଷମାନେ ମରି ସୁଦ୍ଧା ଅମର, ଅସାଧୁ ଲୋକେ ବଞ୍ଚିଥିଲେ ବି ମଲାପରି। ଗୋପବନ୍ଧୁ ବାବୁଙ୍କ ଭଳି ସାଧୁ ପୁରୁଷଙ୍କ ଦୈହିକ ମୃତ୍ୟୁରେ ଆମେ ସ୍ୱାର୍ଥପରବଶ ହୋଇ ଦୁଃଖ କରୁଛୁ, ମାତ୍ର ପବିତ୍ର ଦୃଷ୍ଟିରେ ଦେଖିଲେ ଜାଣିବା ଯେ ଈଶ୍ୱର ନିର୍ଦ୍ଦୟ ନୁହନ୍ତି, ନ୍ୟାୟବନ୍ତ। ଏହା ବିଶ୍ୱାସ କରୁଥିବା ଲୋକ ପାଇଁ ଏ ବିୟୋଗ ଦୁଃଖଦାୟକ ହେବା ଉଚିତ୍‍ ନୁହେଁ। ସେ ଜୀବିତ ଥିବା ବେଳେ ଆମେ ତାଙ୍କର ପବିତ୍ର ଜୀବନକୁ ଅନୁକରଣ କରିପାରିନାହୁଁ, ବର୍ତ୍ତମାନ ତାଙ୍କର ଗୁଣଗୁଡ଼ିକୁ ସ୍ମରଣ କରି ଆମେ ନିଜ ଭିତରେ ସେହିପରି କରିପାରିବାର ଶକ୍ତି ଜନ୍ମାଇବା ଉଚିତ୍‍। ଏ ପ୍ରକାରେ ଘଟିବାର ଅନେକ ଦୃଷ୍ଟାନ୍ତ ରହିଛି। ତେଣୁ ମୋହ ରହିତ ହୋଇ ଆମେ ମୃତ୍ୟୁଜନିତ ଶୋକ ଓ ଭୟ ଛାଡ଼ିଦେଇ ଆତ୍ମାର ଅମରତାକୁ ହିଁ ସିଦ୍ଧ କରିବା।’
ଗୋପବନ୍ଧୁ ବଞ୍ଚିଥିବା ସମୟରେ ଗାନ୍ଧିଜୀ ୧୯୨୧ ଓ ୧୯୨୭ରେ ସତ୍ୟବାଦୀ ଆସିଥିଲେ। ଗୋପବନ୍ଧୁଙ୍କ ମୃତ୍ୟୁପରେ ୧୯୩୪ ମଇ ମାସରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ ପରେ ଓଡ଼ିଶାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ଲାଗି ଗାନ୍ଧିଜୀ ଆକସ୍ମିକ ଘୋଷଣା କରିଥିଲେ। ଏହି ପଦଯାତ୍ରା କାଳରେ ସେ ପୁଣିଥରେ ସତ୍ୟବାଦୀ ଆସିବା ସହିତ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ କାଦୁଆ ଆଶ୍ରମର ଝାଟିମାଟି ଚାଳଘରେ ରାତ୍ରିଯାପନ କରିଥିଲେ। ପୁରୀ ଶ୍ରୀମନ୍ଦିର ସମ୍ମୁଖର ଯେଉଁ ସ୍ଥାନରେ ଗାନ୍ଧିଜୀ ତାଙ୍କ ପ୍ରିୟ ସହକର୍ମୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ସ୍ୱାଧୀନ ଭାରତର ନିର୍ଦ୍ଦୟ ପ୍ରଶାସନ ଏହି ଐତିହାସିକ ସ୍ମୃତି ସାଇତି ରଖିବା ପରିବର୍ତ୍ତେ ୨୦୧୫ର ନବକଳେବର ପୂର୍ବରୁ ମେସିନ୍‍ ଲଗାଇ ଏହି ପ୍ରତିମୂର୍ତ୍ତି ମୁହଁରେ କଳା ଜରି ବାନ୍ଧି ସେଠାରୁ ଅସମ୍ମାନଜନକ ଭାବେ ସ୍ଥାନଚ୍ୟୁତ କରିଛି।
ସାପ୍ତାହିକ ସମାଜ ପ୍ରକାଶନର ଅଳ୍ପଦିନ ମଧ୍ୟରେ ସରକାରୀ ଚାକିରି ଛାଡ଼ି ଗୋପବନ୍ଧୁଙ୍କ ସହ ଯୋଡ଼ି ହୋଇଯାଇଥିଲେ ରାଧାନାଥ ରଥ। ଦୀର୍ଘବର୍ଷ ଧରି ସେ ‘ସମାଜ’ର ସାଧାରଣ ପରିଚାଳକ ଠାରୁ ଆରମ୍ଭ କରି ସମ୍ପାଦକ ପର୍ଯ୍ୟନ୍ତ ବିଭିନ୍ନ ଦାୟିତ୍ୱ ନିଷ୍ଠାର ସହ ତୁଳାଇଥିଲେ। ଗୋପବନ୍ଧୁଙ୍କ ଅବର୍ତ୍ତମାନରେ ରାଧାନାଥ ରଥଙ୍କ ଉଦ୍ୟମରେ ସମାଜ ଦୈନିକ ଖବର କାଗଜରେ ପରିଣତ ହୋଇଥିଲା। ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋଦାବରୀଶ, ଲିଙ୍ଗରାଜ ମିଶ୍ର, ନନ୍ଦ କିଶୋର ଦାସ, ଉଦୟନାଥ ଷଡ଼ଙ୍ଗୀ, ଶ୍ରୀହର୍ଷ ମିଶ୍ର, ବିନୋଦ କାନୁନ୍‍ଗୋ, ଫକୀର ମିଶ୍ର, ଅନନ୍ତ ପଟ୍ଟନାୟକ, ବାଞ୍ଛାନିଧି ଦାସ, ମୁରଲୀଧର ମଲ୍ଲିକ, ଫକୀର ଦାସଙ୍କ ଭଳି ବହୁ ସ୍ୱାଧୀନତା ସଂଗ୍ରାମୀ ‘ସମାଜ’କୁ ସମୃଦ୍ଧ କରିବାରେ ଅନବଦ୍ୟ ଅବଦାନ ଦେଇଯାଇଛନ୍ତି। ମା’ ରମାଦେବୀ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, କୃପାସିନ୍ଧୁ ହୋତା, ସତ୍ୟବାଦୀ ନନ୍ଦ, ବୈଷ୍ଣବ ପଟ୍ଟନାୟକ, ବାଞ୍ଛାନିଧି ମହାନ୍ତି, ବୀରକିଶୋର ଦାସ, ସରଳା ଦେବୀ, ଅନ୍ନପୂର୍ଣ୍ଣା ମହାରଣା, ରାଜକୃଷ୍ଣ ବୋଷ, ଲକ୍ଷ୍ମୀକାନ୍ତ ମହାପାତ୍ର, ଅଲେଖ ପାତ୍ର, ଜୟକୃଷ୍ଣ ମହାନ୍ତି, ବିଶ୍ୱନାଥ ପଟ୍ଟନାୟକ, ମହମ୍ମଦ ବାଜିଙ୍କ ଭଳି ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ନିଜକୁ ମନେ କରୁଥିଲେ ‘ସମାଜ’ ପରିବାରର ସକ୍ରିୟ ସଦସ୍ୟ ଭାବେ। ଏହି ଧାରାକୁ ରାଧାନାଥ ରଥ ତାଙ୍କ ଶେଷ ଜୀବନ ପର୍ଯ୍ୟନ୍ତ ଅବ୍ୟାହତ ରଖିଥିଲେ। ଓଡ଼ିଶାର ଚଳନ୍ତି ଇତିହାସ ଭାବେ ପରିଚିତ ଏଭଳି ଏକ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମୋ ଜୀବନର ପ୍ରାୟ ୪ ଦଶନ୍ଧି ଜଡ଼ିତ। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଶାଣିତ ସ୍ୱର ଉତ୍ତୋଳନ ସଙ୍ଗେ ସଙ୍ଗେ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବ୍ୟବସ୍ଥାରେ ସଂଶୋଧନ ଲାଗି ରାଧାନାଥ ରଥଙ୍କ ଅଧିନାୟକତ୍ୱରେ ଜନତାର ସ୍ୱର ଭାବେ ‘ସମାଜ’ ସଂଘର୍ଷ କରୁଥିବାବେଳେ ଏହି ସମ୍ବାଦପତ୍ର ମାଧ୍ୟମରେ ସେବା କରିବାର ସୁଯୋଗ ମୋତେ ମିଳିଥିଲା। ସେ ସମୟରେ ଅସହିଷ୍ଣୁ ରାଜନେତାମାନଙ୍କ ପ୍ରରୋଚନାରେ ‘ସମାଜ’ ଓ ତା’ର ସାମ୍ବାଦିକମାନଙ୍କ ଉପରେ ଯେପରି ଘନ ଘନ ଆକ୍ରମଣ ହେଉଥିଲା ତାହା ଆମେ ଅଙ୍ଗେ ନିଭେଇଛୁ। ‘ସମାଜ’ର ସୁଯୋଗ୍ୟ ସମ୍ପାଦକ ରାଧାନାଥ ରଥ ବର୍ତ୍ତମାନର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗଡ଼ମାଣିତ୍ରୀରୁ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ଅସହିଷ୍ଣୁତାର ଚରମସୀମାକୁ ଯାଇ ୧୯୮୬ ମାର୍ଚ୍ଚ ୧୮ ତାରିଖ ରାତିରେ ଗହିର ବିଲ ମଝି ରାସ୍ତାରେ ତାଙ୍କ ଉପରେ ହୋଇଥିଲା ବର୍ବରୋଚିତ ଆକ୍ରମଣ। ଗାଡ଼ି ଉପରକୁ ଫିଙ୍ଗା ଯାଇଥିଲା ଶକ୍ତିଶାଳୀ ବୋମା। ଏଥିରେ ରାଧାନାଥ ରଥ ଓ ତାଙ୍କ ସହ ଥିବା ବେଗୁନିଆର ପୂର୍ବତନ ବିଧାୟକ ତଥା ସାମ୍ୟବାଦୀ ନେତା ଗଙ୍ଗାଧର ପାଇକରାୟ ଏବଂ ସାମ୍ବାଦିକ ଅଶୋକ ଦାସ ଆହତ ହୋଇଥିଲେ। ସମାଜର ବିଶ୍ୱସ୍ତ ଗାଡ଼ିଚାଳକ ଶ୍ରଦେ୍ଧୟ ବିପିନ୍‍ ଭାଇଙ୍କ ଆଖିରେ ବୋମାମାଡ଼ ଜନିତ ଆଘାତ ଲାଗି ପ୍ରଚୁର ରକ୍ତାସ୍ରବ ସତ୍ତ୍ବେ ସେ ଗାଡ଼ିକୁ ଗହିର ବିଲକୁ ଗଡ଼ାଇ ଆତତାୟୀମାନଙ୍କ କବଳରୁ ରାଧାନାଥ ବାବୁ ଓ ଅନ୍ୟମାନଙ୍କ ଜୀବନ ରକ୍ଷା କରି ଖୋର୍ଦ୍ଧା ଚାଲିଆସି ଅପୂର୍ବ ସାହସିକତାର ପରିଚୟ ଦେଇଥିଲେ। ସେ ସମୟରେ ସମାଜରେ ପ୍ରକାଶିତ ସମ୍ବାଦଗୁଡ଼ିକୁ ଆଧାର କରି ଅନେକ ମାମଲା ବି ରୁଜୁ ହେଉଥିଲା। ଏ ସବୁ ସତ୍ତ୍ବେ ସମାଜର ସ୍ୱର ନରମି ନ ଥିଲା। ସତେ ଯେମିତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ତାଙ୍କ ସତୀର୍ଥମାନଙ୍କ ଅମର ଆତ୍ମା ସମାଜକୁ ବିପଦ ସମୟରେ ବାଟ କଢ଼େଇ ନେଉଥିଲା।
ଇତିମଧ୍ୟରେ ଅନେକ ବର୍ଷ ବିତିଗଲାଣି। ସତ୍ୟବାଦୀ ଛାପାଖାନାର ଆଧୁନିକୀକରଣ ସହିତ ସମାଜର ପରିପାଟୀରେ ବହୁ ପରିବର୍ତ୍ତନ ଆସିଛି। ତେବେ ଆମ ରାଜ୍ୟ ଓ ଦେଶ ବିଭିନ୍ନ କ୍ଷେତ୍ରରେ ଗୁରୁତର ସଙ୍କଟଜନକ ପରିସ୍ଥିତିରେ ଗତି କରୁଥିବା ବେଳେ ବ୍ୟବସ୍ଥାକୁ ସୁଧାରିବା ଲାଗି ‘ସମାଜ’ର ଯେଉଁ ଗୁରୁଦାୟିତ୍ୱ ରହିଛି ତାହାକୁ ଏଥିରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ ଅଣ ସାମ୍ବାଦିକ କର୍ମୀମାନେ ନିଷ୍ଠା, ନିରପେକ୍ଷତା ଓ ନିର୍ଭୀକତାର ସହ ତୁଲାଇବେ ବୋଲି ଅନେକଙ୍କର ଆଶା। କାରଣ ସମାଜ କେବଳ ଏକ ସାଧାରଣ ଖବରକାଗଜ ନୁହେଁ, ଏହା ଉତ୍କଳମଣିଙ୍କ ସମୟରୁ ଓଡ଼ିଆ ଜାତିର ସ୍ୱର ଭାବେ ତିଆରି ହୋଇଛି। ଉତ୍କଳମଣି ଓ ‘ସମାଜ’ ସହିିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଥିଲା ଆତ୍ମିକ ସମ୍ପର୍କ। ‘ସମାଜ’ ବ୍ରିଟିଶ୍‍ ସରକାରର କୋପ ଦୃଷ୍ଟିରେ ଥିବା ବେଳେ ଗୋପବନ୍ଧୁ ଗାନ୍ଧୀଜୀଙ୍କ ପରାମର୍ଶ ଲୋଡ଼ିଥିଲେ। ଏହାର ଉତ୍ତରରେ ତାରବାର୍ତ୍ତା ପଠାଇ ଗାନ୍ଧୀଜୀ ଉଲ୍ଲେଖ କରିଥିଲେ, ‘କେବଳ ସତ୍ୟ ଓ ବଳିଷ୍ଠ ତଥ୍ୟ ପରିବେଷଣ କର, ପରିଣାମ ପ୍ରତି ଖାତିର କରନାହିଁ।’ (Only file bold true statement. Never mind consequence.) ୯୭ ବର୍ଷ ତଳେ ୦୮.୧୦.୧୯୨୧ରେ ମହାତ୍ମା ଗାନ୍ଧୀ ‘ସମାଜ’ ଉଦ୍ଦେଶ୍ୟରେ ଉତ୍କଳମଣିଙ୍କୁ ଦେଇଥିବା ଉପରୋକ୍ତ ସନ୍ଦେଶ ଏବେ ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି। ସମାଜ ତାହାର ଶହେବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ ଦେଶ ବିଦେଶରେ ମହାତ୍ମା ଗାନ୍ଧୀ ଓ କସ୍ତୁରବାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଲାଗି ଚାଲିଛି ପ୍ରସ୍ତୁତି। ଲାଲା ଲାଜପତ ରାୟଙ୍କ ଠାରୁ ଆରମ୍ଭ କରି ଲାଲାବାହାଦୂର ଶାସ୍ତ୍ରୀଙ୍କ ସମେତ ଦେଶ ମାତୃକାର ଯେଉଁ ସୁପୁତ୍ରମାନେ ବିଭିନ୍ନ ସମୟରେ ଏହି ଐତିହାସିକ ଅନୁଷ୍ଠାନ ସହ ଜଡ଼ିତ ହୋଇଛନ୍ତି ସେମାନଙ୍କ ସ୍ମୃତି ରୋମନ୍ଥନ କରି ‘ସମାଜ’ ତାହାର ଦ୍ୱିତୀୟ ଶତାବ୍ଦୀ ଆଡ଼କୁ ସଫଳତାର ସହ ଅଗ୍ରସର ହେବେ ବୋଲି ଆଶା ଓ ବିଶ୍ୱାସ।

Leave A Reply