ବାର-ବେଞ୍ଚ ଏକତ୍ର କାମକଲେ କମିବ ମାମଲା: ପ୍ରଧାନ ବିଚାରପତି

0

କଟକ: ଛୋଟଛୋଟ ତଥା ଅଯଥା ବିବାଦୀୟ ମାମଲାକୁ ହ୍ରାସ କରିବା ଲାଗି ବାର ଓ ବେଞ୍ଚ ମିଳିମିଶି ଏକତ୍ର କାମ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର। ବିଶେଷକରି ପାରିବାରିକ ବିବାଦ ସଂପର୍କିତ ମାମଲାକୁ ଗୁରୁତ୍ୱ ଦେଇ ତୁଟାଇବାକୁ ସେ ପରାମର୍ଶ ଦେଇଛନ୍ତି।
କଟକ ମର୍କତ ନଗର ସେକ୍ଟର-୧ରେ ୨ଏକର ଜମି ଉପରେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ସ୍ଥାୟୀ ଗୃହ ନିର୍ମାଣ ପାଇଁ ଜଷ୍ଟିସ ମିଶ୍ର ଭିତ୍ତିପ୍ରସ୍ତର ସ୍ଥାପନା କରି କହିଲେ ଯେ ଆଇନଜୀବୀମାନେ ନ୍ୟାୟ ସଂଯୋଗ ଜରିଆରେ ଛୋଟଛୋଟ ସମସ୍ୟା ସମାଧାନ ଉପରେ ପଦକ୍ଷେପ ନେବା ଉଚିତ। ନ୍ୟାୟ ପାଇବା ପାଇଁ ସମସ୍ତଙ୍କର ସାମ୍ବିଧାନିକ ଅଧିକାର ରହିଛି। ନ୍ୟାୟ ପ୍ରଦାନ ଲକ୍ଷ୍ୟ ନେଇ ୨୦୧୭ରେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ ନ୍ୟାୟ ସଂଯୋଗ ବ୍ୟବସ୍ଥା ହୋଇଥିଲା। ଉକ୍ତ ବ୍ୟବସ୍ଥା ମାଧ୍ୟମରେ ଲୋକମାନଙ୍କୁ ଆଇନ ସହାୟତା ଯୋଗାଇଦେବା ଉଚିତ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କହିଛନ୍ତି। ସମାଜରେ ନ୍ୟାୟ ପାଉନଥିବା ଲୋକମାନଙ୍କୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଆଇନ ସହାୟତା ଯୋଗାଇ ଦେବା ଲାଗି ପିଲାମାନଙ୍କୁ ଆଇନ ସଂପର୍କରେ ଶିକ୍ଷା ପ୍ରଦାନର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ ଶ୍ରୀ ମିଶ୍ର କହିଛନ୍ତି।
ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଚିବ ବାଳକୃଷ୍ଣ ମହାପାତ୍ର ପ୍ରାରମ୍ଭିକ ସୂଚନା ଦେବା ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌ ଝାଭେରୀ କହିଥିଲେ ଯେ ନ୍ୟାୟ କ୍ଷେତ୍ରରେ ନୂତନ ଅଧ୍ୟାୟ ଆସିଛି। ଲୋକମାନଙ୍କୁ ଆଇନ ସହାୟତା ଯୋଗାଇ ଦେବା ପାଇଁ ୫ ହଜାର ପାରା ସ୍ୱେଚ୍ଛାସେବୀ ରହିଥିବାବେଳେ ୩୬ଶହ ପାନେଲ ଆଇନଜୀବୀ ରହିଛନ୍ତି। ଜେଲରେ ବନ୍ଦୀ ଜୀବନଯାପନ କରୁଥିବା କଏଦୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟ ଚାଲୁଛି ବୋଲି ସେ ଦର୍ଶାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍‍ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନ ସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ଗରିବ ଓ ଅସହାୟ ଲୋକମାନଙ୍କୁ ନ୍ୟାୟ ପ୍ରଦାନ ଆଭିମୁଖ୍ୟ ନେଇ ୩୦ଟି ଜିଲ୍ଲାରେ ନୂତନ ଭାବେ ନ୍ୟାୟ ସଂଯୋଗ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଛି। ଏଥିସହ ରାଜ୍ୟରେ ପ୍ରାୟ ୭୪୬ ହାଇସ୍କୁଲରେ ଆଇନ ସାକ୍ଷରତା କ୍ଲବ ଚାଲୁଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ୧୫୦ ହାଇସ୍କୁଲରେ କମ୍ପ୍ୟୁଟର ସହ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି।
ଏହି କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଇ-ଉଦ୍‍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ହାଇକୋର୍ଟ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଦୀପ କୁମାର ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ହାଇକୋର୍ଟ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ଜିଲା ଜଜ୍‌ ଓ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଥାଉକି ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟାଳୟ ସଂପ୍ରତି କ୍ୟାଣ୍ଟନ୍‍ମେଣ୍ଟ ରୋଡ଼ ନିକଟରେ ଚାଲୁଅଛି। ତେବେ ସ୍ଥାୟୀ ଗୃହ ନିର୍ମାଣ ପରେ ସେଠାରେ ନ୍ୟାୟ ସଂଯୋଗ ବ୍ୟବସ୍ଥା, କାଉନ୍‍ସେଲିଂ କାର୍ଯ୍ୟାଳୟ ଆଦି କାର୍ଯ୍ୟ କରିବ।

Leave A Reply