ଧାଡ଼ିଦର୍ଶନରେ ଭକ୍ତଙ୍କ ଦୁର୍ଦଶା ଦେଖିବାକୁ କେହି ନାହିଁ

0

ପୁରୀ: ଦର୍ଶନରେ ଶୃଙ୍ଖଳା ଆଣିବା ପାଇଁ ଆରମ୍ଭ ହୋଇଥିବା ଧାଡିଦର୍ଶନ ବ୍ୟବସ୍ଥା ଉପଯୁକ୍ତ ତଦାରଖ ଅଭାବରୁ ବିଶୃଙ୍ଖଳିତ ହେବାରେ ଲାଗିଛି। ବରିଷ୍ଠ ନାଗରିକ ଏବଂ ସ୍ଥାନୀୟ ଅଧିବାସୀଙ୍କ ପାଇଁ ରହିଥିବା ସ୍ୱତନ୍ତ୍ର ବ୍ୟାରିକେଡରେ ଅବ୍ୟବସ୍ଥା ଦେଖାଦେଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ନିୟୋଜିତ କେତେକ କର୍ମଚାରୀ ଭକ୍ତଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ସକାଳ ପ୍ରାୟ ସାଢେ ୭ଟା ବେଳେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଯାଉଥିଲେ। ସ୍ୱତନ୍ତ୍ର ବ୍ୟାରିକେଡ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କୁ ସେ ନିଜର ପରିଚୟ ଦେଇଥିଲେ। ପୁଲିସ ତାଙ୍କୁ ଯିବାକୁ ଅନୁମତି ଦେଇଥିବା ବେଳେ ଯାତ୍ରୀ ସହାୟକ ତାଙ୍କ ହାତକୁ ଜାବୁଡିଧରି ଅଟକାଇଥିଲେ। ଘରକୁ ଯାଇ ଆଧାରକାର୍ଡ ଆଣ, ନହେଲେ ଛାଡିବି ନାହିଁ ବୋଲି କହିଥିଲେ। ଏଥିଯୋଗୁଁ ସଂପୃକ୍ତ ଭକ୍ତଙ୍କୁ ବ୍ୟାରିକେଡ ଭିତରେ କିଛିସମୟ ଅଟକି ରହିବାକୁ ପଡିଥିଲା। ଜଣେ ମହିଳା ପୁଲିସ କର୍ମଚାରୀ ସେଥିରେ ହସ୍ତକ୍ଷେପ କରି ଭକ୍ତଙ୍କୁ ଭିତରକୁ ଛାଡିବାକୁ କହିବାରୁ ଯାତ୍ରୀ ସହାୟକ ଜଣଙ୍କ ଅଧିକ ଉତ୍ତ୍ୟକ୍ତ ହୋଇପଡିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସ୍ୱତନ୍ତ୍ର ବ୍ୟାରିକେଡରେ କିଛିସମୟ ପାଇଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଧାଡ଼ିଦର୍ଶନକୁ ବିରୋଧ କରି ଗତ ୩ତାରିଖ ଦିନ ବିଭିନ୍ନ ସଂଗଠନ ପକ୍ଷରୁ ପୁରୀବନ୍ଦ ଡାକରା ଦିଆଯାଇଥିଲା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ କରିବାକୁ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଘୋଷଣା କରିଥିଲେ। ସେହିଦିନଠାରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଯାଞ୍ଚ ଦାୟିତ୍ୱରେ ରହୁଥିବା କିଛି କର୍ମଚାରୀଙ୍କ ମନମାନୀ ଯୋଗୁଁ ଅନେକ ସମୟରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏଥିଯୋଗୁଁ ପ୍ରଶାସନ ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି ହେଉଛି। ସାଧାରଣ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାରିକେଡ ଚଟାଣର ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହେବା ସହ ଗୋଡି ପଡିଥିବାରୁ ଖାଲିପାଦରେ ଯାଉଥିବା ଶ୍ରଦ୍ଧାଳୁ ଦୁର୍ଦଶା ଭୋଗୁଛନ୍ତି। ବ୍ୟାରିକେଡ ଭିତରେ ଫ୍ୟାନ ଲଗାଯାଇ ନାହିଁ କିମ୍ବା ପାନୀୟଜଳ ବ୍ୟବସ୍ଥା କରାଯାଇ ନାହିଁ। ଜରୁରୀ ପରିସ୍ଥିତିରେ ପ୍ରସ୍ଥାନ ନିମନ୍ତେ ବ୍ୟବସ୍ଥା ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ବ୍ୟାରିକେଡ ନିର୍ମାଣ ପାଇଁ ଖୋଳା ଯାଇଥିବା ଗର୍ତ୍ତ ଗୁଡିକ ମଧ୍ୟରୁ ଏପର୍ଯ୍ୟନ୍ତ ସବୁଗର୍ତ୍ତ ମରାମତି କରାଯାଇ ନାହିଁ। ଗାତଖୋଳା ସମୟର ଗୋଡି ଓ ପିଚୁ ଏବେବି କେତେକ ସ୍ଥାନରେ ଜମାହୋଇ ରହିଛି। ଏହାଛଡା ଗୋଡଧୁଆ ସ୍ଥାନ ମଝିରେ ବାଡ଼ ପକାଇ ଦିଆଯିବା ଯୋଗୁଁ ସେଠାରେ ଅଧିକ ଭିଡ ହେବା ସହ ଦଳାଚକଟା ପରିସ୍ଥିତି ହେବାର ସମ୍ଭାବନା ଦେଖାଦେଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ତଥା ଜିଲାଜଜ୍‍ଙ୍କ ସୁପାରିସକୁ ଭିତ୍ତିକରି ଚଳିତମାସ ୧ତାରିଖଠାରୁ ଶ୍ରୀମନ୍ଦିରରେ ଧାଡିଦର୍ଶନ ବ୍ୟବସ୍ଥା ଚାଲିଛି। ତେବେ ଭକ୍ତଙ୍କ ସୁବିଧା ଅସୁବିଧା ବୁଝିବାକୁ କୌଣସି ବରିଷ୍ଠ ଅଧିକାରୀ ସେଠାକୁ ନଯିବା ସାଧାରଣରେ ବିସ୍ମୟ ସୃଷ୍ଟିକରିଛି। ତେଣୁ ଧାଡିଦର୍ଶନ କଟକଣା ଆଳରେ ଜଗନ୍ନାଥପ୍ରେମୀଙ୍କୁ ଅଯଥାରେ ହଇରାଣ କରୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମେତ ସାଧାରଣ ଭକ୍ତଙ୍କ ପାଇଁ ଉଦ୍ଧିଷ୍ଟ ବ୍ୟାରିକେଡ ଚଟାଣ ତୁରନ୍ତ ମରାମତି, ଦେଶର ଅନ୍ୟ ପ୍ରମୁଖ ମନ୍ଦିର ଗୁଡିକ ପରି ବ୍ୟାରିକେଡ ଭିତରେ ପଙ୍ଖା ଓ ପାନୀୟଜଳ ଯୋଗାଣ, ପଦଧୌତକେନ୍ଦ୍ର ମଝିରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ ହଟାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ମିଳିପାରି ନାହିଁ।

Leave A Reply