କୋର୍ଟମିତ୍ରଙ୍କ ପାଇଁ ୪ଶହ ପୃଷ୍ଠାର ରିପୋର୍ଟ

0

ପୁରୀ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ନିଯୁକ୍ତ କୋର୍ଟମିତ୍ରଙ୍କ ପାଇଁ ୪ଶହ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରୁଛି ଶ୍ରୀମନ୍ଦିର ପ୍ରଶାସନ। କୋର୍ଟମିତ୍ର ରଣଜିତ କୁମାର ଚଳିତମାସ ୨୨ ଓ ୨୩ ତାରିଖ ଦିନ ପୁରୀ ଗସ୍ତରେ ଆସି ମନ୍ଦିର ପ୍ରଶାସନ ଏବଂ ସେବକଙ୍କ ସହ ଆଲୋଚନା କରିବେ। ଜିଲାଜଜ୍‌ଙ୍କ ୧୨ଟି ସୁପାରିସ କାର୍ଯ୍ୟକାରୀ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ସେ ଆଲୋଚନା କରିବାର ସମ୍ଭାବନା ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଭିତ୍ତିକରି ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ‘ଆକ୍ସନ ଟେକେନ ରିପୋର୍ଟ’ ତାଙ୍କୁ ପ୍ରଦାନ କରାଯିବ।
ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ ସେବକଙ୍କ ଅଧିକାର, ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି, ଦାନଦକ୍ଷିଣା ଆଦାୟ, ସେବକଙ୍କୁ ପାଳିଆ ପୁରସ୍କାର, ରୋଷଶାଳା ଓ ଆନନ୍ଦବଜାର ପରିଚାଳନା, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ନୂତନ କୋର୍ଟମିତ୍ରଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କୋର୍ଟମିତ୍ର ଶ୍ରୀ କୁମାର ଶ୍ରୀମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବେ। ତାଙ୍କ ପାଇଁ ପରିଚାଳନା କମିଟି ଏବଂ ଛତିଶା ନିଯୋଗର ସ୍ବତନ୍ତ୍ର ବୈଠକ ଡକାଯିବା ସମ୍ଭାବନା ରହିଛି। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ କୋର୍ଟମିତ୍ରଙ୍କୁ ଅବଗତ କରାଯିବ। କେତେକ ସେବକ ନିଯୋଗ କର୍ମକର୍ତ୍ତା ତାଙ୍କୁ ସାକ୍ଷାତ କରି ସେମାନଙ୍କ ସପକ୍ଷରେ ମତ ରଖିବାକୁ ପ୍ରସ୍ତୁତ ହେଉଛନ୍ତି।
ପୂର୍ବତନ କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମଙ୍କ ପରାମର୍ଶକୁ ଭିତ୍ତିକରି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ଦିର ପ୍ରଶାସନ ନୂଆ କୋର୍ଟମିତ୍ରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ଶୋଷଣ ରୋକିବା ସମେତ ବାଧାମୁକ୍ତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବାକୁ ଆଇନଜୀବୀ ମୃଣାଳିନୀ ପାଢ଼ୀ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମୋକଦ୍ଦମା ରୁଜୁ କରିଛନ୍ତି। ତାହାକୁ ଭିତ୍ତିକରି ଶ୍ରୀମନ୍ଦିରରେ ସେବକଙ୍କ ଦ୍ବାରା ଦାନଦକ୍ଷିଣା ଆଦାୟ ବନ୍ଦ ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ଜିଲାଜଜ୍‌ଙ୍କ ୧୨ଟି ସୁପାରିସ ମଧ୍ୟରୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ କାର୍ଯ୍ୟକାରୀ କରାଯାଇ ନାହିଁ। ସେବକଙ୍କ ଦ୍ବାରା ଦାନଦକ୍ଷିଣା ଆଦାୟ ଅବ୍ୟାହତ ରହିଛି। ସେବାସ୍ବତ୍ବ ଅଧିକାର ଉଚ୍ଛେଦକୁ କେନ୍ଦ୍ରକରି ସେବକ ଓ ମନ୍ଦିର ପ୍ରଶାସନ ମୁହଁାମୁହଁି ହୋଇଛନ୍ତି। ସେବକ ଓ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ, ମହାପ୍ରସାଦ ଦର ନିର୍ଦ୍ଧାରଣ ଏବଂ ରୋଷଶାଳା ପରିଚାଳନା ନିମନ୍ତେ ସବ୍‌କମିଟି ଗଠନ କରାଯାଇଛି। ଅନ୍ନଦାନ ଆଟିକା ଦାନ ଆଦାୟ ବନ୍ଦ, ମହିଳା ଓ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ, ଶ୍ରୀମନ୍ଦିର ଆୟବ୍ୟୟ ହିସାବର ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦ୍ବାରା ସମୀକ୍ଷା, ଗାଇଡ୍‌ ପଞ୍ଜିକରଣ, ମନ୍ଦିର ପ୍ରଶାସନରେ କର୍ମଚାରୀ ସଂଖ୍ୟା ହ୍ରାସ, ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏକକ ପରିଚାଳନା ବ୍ୟବସ୍ଥା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସଂଶୋଧନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅସୁସ୍ଥତା କାରଣରୁ ପୂର୍ବତନ କୋର୍ଟମିତ୍ର ଶ୍ରୀ ସୁବ୍ରମଣ୍ୟମ ଓହରିଯିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ବରିଷ୍ଠ ଆଇନଜୀବୀ ରଣଜିତ କୁମାରଙ୍କୁ ନୂତନ କୋର୍ଟମିତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଆଗାମୀ ୨୭ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ଆର୍ଥିକ ଅନିୟମିତତା

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ୨୦୧୫-୧୬ ଆର୍ଥିକ ବର୍ଷରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଛି। ଅଗ୍ରିମ ବାବଦକୁ ପ୍ରାୟ ୨୦କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ଠାକୁରଙ୍କ ବିଭିନ୍ନ କାର୍ଯ୍ୟରେ ଠିକଣା ଭାବେ ଅର୍ଥ ବିନିଯୋଗ ହୋଇନାହିଁ। ଯାହାଫଳରେ ମନ୍ଦିରକୁ ପ୍ରାୟ ୨୭କୋଟି ଟଙ୍କାର ଆର୍ଥିକ ବୋଝ ସହିବାକୁ ପଡିଛି ବୋଲି ଗୁରୁବାର ବିଧାନସଭାର ସ୍ଥାୟୀ ପାଣ୍ଠି ସମୀକ୍ଷା ରିପୋର୍ଟରୁ ଜଣାଯାଇଛି।
ରିପୋର୍ଟ ଅନୁଯାୟୀ ୨୦୧୫-୧୬ ସୁଦ୍ଧା ୬୬କୋଟି ଟଙ୍କା ମନ୍ଦିର ପାଇଁ ଅନୁଦାନ ଥିବାବେଳେ ୪୭.୪୬କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୂର୍ବବର୍ଷର ହିସାବକୁ ନେଲେ ୨୦୧୬ ମାର୍ଚ୍ଚ ସୁଦ୍ଧା ୪୫କୋଟି ଟଙ୍କା ବିନିଯୋଗ ନହୋ ପଡି ରହିଥିଲା। ତେବେ ଏହି ଅବଧି ମଧ୍ୟରେ ୭୦କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେବାକୁ ରହିଥିବାବେଳେ ସେଥିରୁ ମାତ୍ର ୩୦କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଅବଶିଷ୍ଟ ଅର୍ଥର ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ କରାଯାଇନାହିଁ। ଏହାବାଦ୍ ଶ୍ରୀମନ୍ଦିର ରେକର୍ଡରେ କୋଠଭୋଗ ଖାଲି ଅଖା ନିଲାମ ନହେବା, ବିଭିନ୍ନ ଭକ୍ତ ନିବାସର ଗୃହ ଭଡା ପୈଠରେ ବିଳମ୍ବ, ରୋଷଶାଳାର ଅନିୟମିତ ଖର୍ଚ୍ଚ, ଗାଡି ଭଡା ବାବଦ ମାତ୍ରାଧିକ ଖର୍ଚ୍ଚ ଓ ମଜୁରି ପ୍ରଦାନରେ ଅନିୟମିତତା ପାଇଁ ମନ୍ଦିରକୁ ୨୦.୫୦କୋଟି ଟଙ୍କାର ଆପତ୍ତିଜନକ ଖର୍ଚ୍ଚ ସହିବାକୁ ପଡିଛି ବୋଲି ସମୀକ୍ଷାରୁ ଜଣାଯାଇଛି।

Leave A Reply