କମଳନାଥ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତ

0

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ତୃଣମୂଳ ସ୍ତରରୁ ପୁଣି ମଜବୁତ କରିବା ଲାଗି ଦଳୀୟ ନେତୃବୃନ୍ଦଙ୍କ ପ୍ରୟାସ ଜାରି ରହିଛି। ଏଥିକ୍ରମେ ଓଡ଼ିଶା ପରେ ଏବେ ମଧ୍ୟପ୍ରଦେଶରେ ଦଳର ନୂଆ ମଙ୍ଗୁଆଳ ନିଯୁକ୍ତ ହୋଇଛନ୍ତି। କଂଗ୍ରେସର ରାଜ୍ୟ ସଭାପତି ଭାବେ ଦଳର ବର୍ଷୀୟାନ ନେତା କମଳନାଥଙ୍କୁ ନିଯୁକ୍ତ କରାଯାଇଛି। ସେହିଭଳି ଦଳୀୟ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦଳର ନିର୍ବାଚନ ପ୍ରଚାର କମିଟି ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ଦଳରେ ଅନ୍ୟ ୪ ଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି। ଏମାନେ ହେଲେ ଆଦିବାସୀ ନେତା ବାଲ ବଚନ, ବରିଷ୍ଠ ବିଧାୟନ ରାମନବିସ ରାୱତ୍‌, ଇନ୍ଦୋର ବିଧାୟକ ଜିତୁ ପଟୱାରୀ ଏବଂ ଅନ୍ୟ ଜଣେ ନେତା ସୁରେନ୍ଦ୍ର ଚୌଧୁରୀ। ଲୋକସଭା ନିର୍ବାଚନ ପୂର୍ବରୁ ଚଳିତବର୍ଷ ଶେଷ ଆଡକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଦଳୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ କରିଥିଲେ ମଧ୍ୟ ଆଗାମୀ ବିଧାନସଭାରେ କମଳନାଥ କିମ୍ବା ସିନ୍ଧିଆଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ ସେ ସମ୍ବନ୍ଧରେ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଲୋକସଭାରେ ସିନ୍ଧିଆ ମୁଖ୍ୟ ହୁଇପ୍‌ ଥିବାରୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦ ତାଙ୍କୁ ପ୍ରଦାନ କରାଯିବ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଏହି ପଦ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ କମଳନାଥଙ୍କୁ ସମର୍ଥନ କରିଥିଲେ। ଅନ୍ୟ ଏକ ନିଷ୍ପତ୍ତି କ୍ରମେ ଗୋଆ କଂଗ୍ରେସ ମୁଖ୍ୟ ଭାବେ ଏଆଇସିସିର ପୂର୍ବତନ ସମ୍ପାଦକ ଗିରିଶ ଚନ୍ଦରକର୍‌ଙ୍କୁ ନିଯୁକ୍ତ କରାଯାଇଛି। ସନ୍ତରାମ ନାଏକଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Leave A Reply