ଏସୀୟ କଣ୍ଟିନେଣ୍ଟାଲ ଚେସ୍‌: ପଦ୍ମିନୀ ଚମ୍ପିଆନ; ବିଶ୍ବକପ୍‌ ଲାଗି ଯୋଗ୍ୟତା

0



କଟକ, ୧୮ା୧୨ (ନିପ୍ର): ଦେଶର ଅନ୍ୟତମ ଚେସ୍ ତାରକା ଓଡ଼ିଶାର ପଦ୍ମିନୀ ରାଉତ ପୁଣି ଏକ ଆନ୍ତର୍ଜାତିକ ଟାଇଟଲ ଜିତିଛନ୍ତି। ଫିଲିପାଇନ୍‌ସର ମାକାଟି ସହରରେ ମଙ୍ଗଳବାର ସମାପ୍ତ ହୋଇଥିବା ଏସୀୟ କଣ୍ଟିନେଣ୍ଟାଲ ଚେସ୍ ଟୁର୍ଣ୍ଣାମେଣ୍ଟରେ ପଦ୍ମିନୀ ଚମ୍ପିଆନ୍ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗରେ ଖେଳୁଥିବା ୨୪ ବର୍ଷ ବୟସ୍କା ପଦ୍ମିନୀ ମୋଟ ୯ ରାଉଣ୍ଡରୁ ୭ ପଏଣ୍ଟ ପାଇଥିଲେ। ସୋମବାର ୮ମ ରାଉଣ୍ଡ ପରେ ପଦ୍ମିନୀ ୬.୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ। ତେଣୁ ଚମ୍ପିଆନ୍ ହେବା ପାଇଁ ପଦ୍ମିନୀ ମଙ୍ଗଳବାର ୯ମ ତଥା ଅନ୍ତିମ ରାଉଣ୍ଡରେ ଏକ ଡ୍ର କେବଳ ଆବଶ୍ୟକ କରୁଥିଲେ। ଚୀନ୍‌ର ଡବ୍ଲ୍ୟୁଜିଏମ୍ ଜ୍ୟୁ ୱାଙ୍ଗ୍‌ଙ୍କ ସହ ବାଜି ଡ୍ର ରଖି ପଦ୍ମିନୀ ଚମ୍ପିଆନ୍ ହେବା ନିଶ୍ଚିତ କରିଥିଲେ। ଏହି ବିଜୟ ସହ ପଦ୍ମିନୀ ୨୦୨୦ରେ ହେବାକୁ ଥିବା ଚେସ୍ ବିଶ୍ବକପ୍‌ରେ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।
ଇଣ୍ଟରନ୍ୟାସନାଲ ମାଷ୍ଟର (ଆଇଏମ୍) ୨୩୪୫ ଫିଡେ ରେଟିଂ ସହ ଏସୀୟ କଣ୍ଟିନେଣ୍ଟାଲ ଚେସ୍ ଟୁର୍ଣ୍ଣାମେଣ୍ଟରେ ମହିଳା ବର୍ଗରେ ୮ମ ସିଡ୍ ଭାବେ ଭାଗ ନେଇଥିଲେ। ସେ ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍ ହାରିନଥିଲେ। ପଦ୍ମିନୀ ମୋଟ ୯ ରାଉଣ୍ଡରୁ ୫ଟି ରାଉଣ୍ଡରେ ବିଜୟୀ ହୋଇଥିବା ବେଳେ ବାକି ୪ ରାଉଣ୍ଡ ଡ୍ର ରଖିଥିଲେ। ୬ ରାଉଣ୍ଡ ସୁଦ୍ଧା ପଦ୍ମିନୀ ୫.୫ ରାଉଣ୍ଡ ପାଇଁ ସର୍ବାଗ୍ରେ ରହିବା ସହ ଟାଇଟଲ ଦୌଡ଼ର ସର୍ବାଗ୍ରେ ରହିଥିଲେ। ଶେଷ ୩ ରାଉଣ୍ଡ ଡ୍ର ରଖିବା ପରେ ପଦ୍ମିନୀ ଚମ୍ପିଆନ୍ ହେବା ନିଶ୍ଚିତ ହୋଇ ଯାଇଥିଲା। ପ୍ରଥମ ୨ ରାଉଣ୍ଡରେ ପଦ୍ମିନୀ ଫିଲିପାଇନ୍‌ସର ବର୍ନାଡେଟ୍ ଗାଲାସ୍ ଏବଂ ଚୀନ୍‌ର ୟୁନ୍‌ସାନ ଲିଙ୍କୁ ପରାସ୍ତକରି ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। ପରେ ସେ ଭିଏତ୍‌ନାମର ଭୋ ଥି କିମ୍ ଫୁଙ୍ଗ୍‌, ମଙ୍ଗୋଲିଆର ତୁରମୁଖ ମୁଙ୍ଖ୍‌ଜୁଲ ଓ ସିଙ୍ଗାପୁରର କ୍ବିୟାନ୍ ୟୁନ୍‌ଙ୍କୁ ପରାସ୍ତ କରିଥିଲେ। ପଦ୍ମିନୀଙ୍କ ସହ ସମାନ ୭ ପଏଣ୍ଟ ପାଇଥିବା ସିଙ୍ଗାପୁରର କ୍ବିୟାନ୍ ଗଙ୍ଗ୍ ରନର୍ସଅପ୍ ହୋଇଥିବା ବେଳେ ଭିଏତ୍‌ନାମର ଲି ଥାଓ ଏନ୍‌ଗୁଏନ୍ ଫାମ୍ ୩ୟ ସ୍ଥାନରେ ରହିଥିଲେ। ପଦ୍ମିନୀ ୨୦୦୮ରେ ବିଶ୍ବ ୧୪ ବର୍ଷରୁ କମ୍ ବାଳିକା ଚେସ୍ ଚମ୍ପିଆନ୍‌ସିପ୍ ଜିତିଥିଲେ। ୨୦୧୪ରୁ ଅଦ୍ୟାବଧି ପଦ୍ମିନୀ ଜାତୀୟ ମହିଳା ଚେସ୍ ଚମ୍ପିଆନ୍ ହୋଇ ରହିଛନ୍ତି। ୨୦୧୦ରେ ସେ ଭାରତୀୟ ଜୁନିୟର ବାଳିକା ଚମ୍ପିଆନ୍ ହୋଇଥିବା ବେଳେ ସେହିବର୍ଷ ଉଭୟ ଏସୀୟ ଓ ବିଶ୍ବ ଚେସ୍ ଚମ୍ପିଆନ୍‌ସିପରେ ବ୍ରୋଞ୍ଜ୍ ପଦକ ଜିତିଥିଲେ। ନିୟମିତ ଭାବେ ପଦ୍ମିନୀ ଚେସ୍ ଅଲିମ୍ପିଆଡ୍‌ରେ ଭାରତର ପ୍ରତିନିଧିତ୍ବ କରି ଆସୁଛନ୍ତି।

Leave A Reply