୭ ହାତୀ ମୃତ୍ୟୁ ଘଟଣା: ସେସୁ ଓ ବନ କାର୍ଯ୍ୟାଳୟରେ କ୍ରାଇମ୍‍ବ୍ରାଞ୍ଚ ଅଧିକାରୀ

0

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲାର କମଳାଙ୍ଗଠାରେ ୧୧ କେଭି ବିଦ୍ୟୁତ୍‍ ତାର ସ୍ପର୍ଶରେ ୭ ହାତୀ ମୃତ୍ୟୁ ଘଟଣାରେ କ୍ରାଇମ୍‍ବ୍ରାଞ୍ଚ ପକ୍ଷରୁ ଖୋଲତାଡ ଆରମ୍ଭ ହୋଇଛି। ସୋମବାର କ୍ରାଇମ୍‍ବ୍ରାଞ୍ଚର ୪ଟି ଟିମ୍‍ ସେସୁ ଏବଂ ବନ କାର୍ଯ୍ୟାଳୟରେ ପହଞ୍ଚି କାଗଜପତ୍ର ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରେ ଅଧିକାରୀମାନେ ବନବିଭାଗ ପକ୍ଷରୁ ବିଦ୍ୟୁତ୍‍ ବିଭାଗକୁ ବିପଦସଙ୍କୁଳ ତାର ସଂପର୍କରେ ଦିଆଯାଇଥିବା ଚିଠିର ଯାଞ୍ଚ ଏବଂ ସେସୁ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି।
କ୍ରାଇମ୍‍ବ୍ରାଞ୍ଚ ଡିଏସ୍‍ପି ଦେବୀଦତ୍ତ ବିଶ୍ୱଜୀବନ ମିଶ୍ରଙ୍କୁ ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ନେତୃତ୍ୱରେ ୪ଟି ସ୍ଥାନରେ ସୋମବାର ଯାଞ୍ଚ ଆରମ୍ଭ ହୋଇଛି। ଢେଙ୍କାନାଳ ସେସୁ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ, ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ, ସଦର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ମେରାମୁଣ୍ଡଳି ସେସୁ ସେକ୍ସନ୍‍ କାର୍ଯ୍ୟାଳୟରେ ଅଧିକାରୀମାନେ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ତଦନ୍ତକାରୀ ଅଧିକାରୀ ଶ୍ରୀ ମିଶ୍ରଙ୍କ ସମେତ ଡିଏସ୍‍ପି ଆର ଏନ୍‍ ମହାନ୍ତି, ଇନିସ୍‍ପେକ୍ଟର ଏନ୍‍ କେ ମହାନ୍ତି, ବି କେ ଓରାମ୍‍ ପ୍ରମୁଖ ବିଭିନ୍ନ କାର୍ଯ୍ୟାଳୟରେ ତଦନ୍ତ ଚଳାଇଛନ୍ତି। ଏ ସଂପର୍କରେ ତଦନ୍ତକାରୀ ଅଧିକାରୀ ଶ୍ରୀ ମିଶ୍ର କୁହନ୍ତି, ତଦନ୍ତର ପ୍ରଥମ ସୋପାନରେ ବିଭିନ୍ନ କାର୍ଯ୍ୟାଳୟର ହାତୀ ମରିବା ସଂପର୍କରେ ବିଭିନ୍ନ କାରଣକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି। ବନବିଭାଗ ପକ୍ଷରୁ ଶକ୍ତି ବିଭାଗକୁ ଦିଆଯାଇଥିବା ଚିଠି ଉପରେ କି ପଦକ୍ଷେପ ନିଆଯାଇଛି ସେ ନେଇ ଉଭୟ ବିଭାଗର ଚିଠିପତ୍ର ଯାଞ୍ଚ କରିବା ସହ ଅଧିକାରୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି। ପ୍ରକାଶ ଥାଉ କି, ଗତ ଶନିବାର ସକାଳ ସମୟରେ ହାତୀପଲ ଜଙ୍ଗଲକୁ ଫେରୁଥିବାବେଳେ କମଳାଙ୍ଗ ଗାଁ ନିକଟରେ ୧୧ କେଭି ବିଦ୍ୟୁତ୍‍ ତାର ସ୍ପର୍ଶରେ ଆସି ୭ ହାତୀ ମୃତ୍ୟୁମୁଖରେ ପଡିଥିଲେ।
ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବାବେଳେ ମୁଖ୍ୟମନ୍ତ୍ରୀ ଏହାର କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପଦକ୍ଷେପ ସ୍ୱରୂପ ସେସୁର ଅଧୀକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଲାଇନ୍‍ମ୍ୟାନ୍‍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବାବେଳେ ମେରାମୁଣ୍ଡଳି ସେସ୍କନ କନିଷ୍ଠଯନ୍ତ୍ରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ବନବିଭାଗର ସଦର ରେଞ୍ଜର, ମେରାମୁଣ୍ଡଳି ଫରେଷ୍ଟର ଏବଂ ଗାର୍ଡଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଛି।

Leave A Reply