୨୨ହାତୀଙ୍କ ଉପଦ୍ରବ: ଶହ ଶହ ଏକର ଧାନଫସଲ ନଷ୍ଟ

0

କେନ୍ଦୁଝର : ଜିଲାରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ହାତୀମାନେ ଚାଷଜମିରେ ପଶି ଫସଲ ନଷ୍ଟ କରିଦେବାରୁ ବିଭିନ୍ନ ସ୍ଥାନରେ ଚାଷଜମି ଓ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ତେଲକୋଇ ବ୍ଲକର ଓରିଆ ଓ ତେଲକୋଇ ହାଲପୁଡି ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ୨୨ଟି ହାତୀ ପଶି ଆସି ଶହ ଶହ ଏକର ଚାଷଜମି ନଷ୍ଟ କରିଥିବା ଖବର ମିଳିଛି। ବର୍ତ୍ତମାନ ଚାଷଜମିରେ ଧାନ ପାଚିବା ଅବସ୍ଥାକୁ ଆସି ଯାଇଥିବାବେଳେ ହାତୀମାନେ ରାତିରେ ଚାଷଜମିରେ ପଶି ଧାନ ଖାଇବା ସାଙ୍ଗକୁ ଦଳି ଅନେକ ଫସଲ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ହାତୀ ଘଉଡାଇବାରେ ନିୟୋଜିତ ଥିବା ବନବିଭାଗ କର୍ମଚାରୀମାନେ ହାତୀପଲଙ୍କୁ ଜଙ୍ଗଲକୁ ଘଉଡାଇବାରେ ବିଫଳ ହୋଇଛନ୍ତି। ସୂଚନା ମୁତାବକ ତେଲକୋଇ ବ୍ଲକ ଓରିଆ
ଗ୍ରାମ ପଞ୍ଚାୟତର ଜଟ,ସଲେଇକେନା ଏବଂ ତେଲକୋଇ ହାଲପୁଡି ଗ୍ରାମର ଗିରିଧାରୀ ପ୍ରଧାନ,ପୀତବାସ ସାହୁ,କୈଳାସ ସାହୁ, ଦେବାନନ୍ଦ ସାହୁ,ଦାଶରଥି ସାହୁ,ଗିରିଧାରୀ ମହାକୁଡ,ରମାକାନ୍ତ ପ୍ରଧାନ,ଚତୁର୍ଭୁଜ ସାହୁ, ରାଧେଶ୍ୟାମ ପାତ୍ର,ରବି ସାହୁ,ଉପେନ୍ଦ୍ର ସାହୁ,ନିତ୍ୟାନନ୍ଦ ସାହୁ,ଶଙ୍କର ସାହୁ,କେଦାର ସାହୁ, ଜଗବନ୍ଧୁ ସାହୁ, ସୁରେଶ ସାହୁଙ୍କ ସମେତ ଆଖପାଖରେ ଥିବା ଅନ୍ୟ ଚାଷୀଙ୍କ ଚାଷଜମିକୁ ନଷ୍ଟ କରିଥିବା ଖବର ମିଳିଛି। ସୋମବାର ଦିନ କ୍ଷତିପୂରଣ ଦାବୀରେ କେତେକ ଚାଷୀ ତେଲକୋଇ ବନାଞ୍ଚଳ କାର୍ଯ୍ୟାଳୟ ଆସି ଅଭିଯୋଗ କରିଥିବା ଜଣାପଡିଛି। ଏପଟେ ହାତୀ ଭୟରେ ଲୋକମାନେ ଅନିଦ୍ରା ହୋଇ ରାତି ବିତାଉଥିବା ଜଣାପଡିଛି। ଗତବର୍ଷ ହାତୀ ଉପଦ୍ରବରେ କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନଥିବାବେଳେ ଚଳିତବର୍ଷ ପୁଣି ହାତୀପଲଙ୍କ ଯୋଗୁଁ ଚାଷଜମି କ୍ଷତି ହେବାରୁ ଅଞ୍ଚଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ହାତୀପଲଙ୍କୁ ଅନ୍ୟତ୍ର ଘଉଡାଇ ନଦେଲେ ଆଗାମୀ ଦିନରେ ତେଲକୋଇ ଅଞ୍ଚଳରେ ହାତୀଙ୍କୁ ନେଇ ଏକ ବଡଧରଣର ଆନ୍ଦୋଳନ ହେବାର ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ।

Leave A Reply