ସବୁ ଆବାସିକ ବିଦ୍ୟାଳୟରେ ଲାଗିବ ସିସି କ୍ୟାମେରା

0

ଭୁବନେଶ୍ବର: ଦାରିଙ୍ଗିବାଡ଼ିରେ ଥିବା ଅନୁସୂଚିତ ଜାତି ଜନଜାତି ବିଭାଗର ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ସରକାର ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସବୁ ଆବାସିକ ବିଦ୍ୟାଳୟରେ ସିସି(କ୍ଲୋଜ୍‌ ସର୍କିଟ୍‌) କ୍ୟାମେରା ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ୧୦୦୦ ଆବାସିକ ବିଦ୍ୟାଳୟରେ ସିସି କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଅଗ୍ରାଧିକାର ଭିତ୍ତିରେ ଛାତ୍ରୀଙ୍କ ପାଇଁ ଥିବା ଆବାସିକ ବିଦ୍ୟାଳୟରେ ଏହା ଲଗାଇବାକୁ ନିର୍ଦେଶ ଦିଆଯାଇଛି। ବିଭାଗ ଦ୍ବାରା ପରିଚାଳିତ ସମସ୍ତ ହଷ୍ଟେଲରେ ଏଣିକି ପ୍ରତିମାସରେ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହାକୁ ସମସ୍ତ ଆବାସିକ ବିଦ୍ୟାଳୟରେ ବାଧ୍ୟତାମୂଳକ କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ
ନିର୍ଦେଶ ଦିଆଯାଇଥିବା ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶଚନ୍ଦ୍ର ମାଝି କହିଛନ୍ତି। ମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି, ଛାତ୍ରୀ ଜଣକ ୮ ମାସ ତଳେ ଗାଁକୁ ଯାଇଥିବା ସମୟରେ ସେଠାରେ ଜଣେ ଯୁବକ ସହ ତାଙ୍କର ଅନୈତିକ ସମ୍ପର୍କ ସୃଷ୍ଟି ହୋଇଥିଲା। ଏହା ଜଣାପଡ଼ିଛି। ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି। ଘଟଣାରେ ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଚାରିଜଣଙ୍କୁ ନିଲମ୍ବିତ କରାଯାଇଥିବାବେଳେ
୬ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏଥିପାଇଁ ଅନ୍ୟ କେହି କର୍ମଚାରୀ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହେବ ତାକୁ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ବିଭଗୀୟ ଅଧିକାରୀ ଓ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।
ସିସି କ୍ୟାମେରା ଲଗାଯିବା ପ୍ରସଙ୍ଗରେ ଶ୍ରୀ ମାଝି କହିଛନ୍ତି ଏହି ଦାୟିତ୍ବ ପୁଲିସ ହାଉସିଂ କର୍ପୋରେସନକୁ ଦିଆଯାଇଛି। ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି। ସେ କହିଛନ୍ତି, ରାଜ୍ୟରେ ଅନୁସୂଚିତ ଜନଜାତି ଓ ଜାତି ବିଭାଗର ୧୬୯୫ଟି ଆବାସିକ ବିଦ୍ୟାଳୟରେ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ପାଇଁ ୬୨୦୦ ହଷ୍ଟେଲ ରହିଛି। ଛାତ୍ରୀଙ୍କ ନିରାପତ୍ତା ନିମନ୍ତେ ୩ହଜାର ମାଟ୍ରନ ଓ ସେମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ତଦାରଖ ପାଇଁ ୩୩୬ଜଣ ଏଏନଏମ ଅଛନ୍ତି। ଆବଶ୍ୟକ ସ୍ଥଳେ ଅଧିକ ମାଟ୍ରନ ଓ ଏଏନଏମ ନିଯୁକ୍ତି ଦିଆଯିବ।
ରାଜ୍ୟପାଳଙ୍କୁ ଭେଟିଲା ରାଜ୍ୟ ବିଜେପି
ରମେଶ ମାଝୀଙ୍କ ଇସ୍ତଫା ଦାବି
ଭୁବନେଶ୍ୱର, ୧୪।୧ (ନି.ପ୍ର): କନ୍ଧମାଳ ଦାରିଙ୍ଗିବାଡିର ସରକାରୀ ଆଶ୍ରମ ବିଦ୍ୟାଳୟରେ ୮ମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାକୁ ନେଇ ରାଜ୍ୟ ବିଜେପି ସରକାରଙ୍କୁ ଘେରିଛି। ପୂର୍ବାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରବି ନାୟକ ସରକାରଙ୍କ ଏଭଳି ବେପରୁଆ ମନୋଭାବକୁ ଦାୟୀ କରି ବିଭାଗୀୟ ମନ୍ତ୍ରୀ ରମେଶ ମାଝିଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ଘଟଣାକୁ ନେଇ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ଶ୍ରୀ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଘଟଣା ସମ୍ବନ୍ଧରେ ଅବଗତ କରାଇବା ସହ ତଦନ୍ତ ଖୁବ ଶୀଘ୍ର କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି।
ଶ୍ରୀ ନାୟକ କହିଛନ୍ତି ଯେ ଏହି ଘଟଣାରୁ ଆଦିବାସୀଙ୍କ ପ୍ରତି ସରକାରଙ୍କ ଅସୂୟାଭାବ ପ୍ରମାଣିତ ହେଉଛି। ୨୦୧୭ ମାର୍ଚ୍ଚରେ ବିଧାନସଭାରେ ତତ୍କାଳୀନ ଆଦିବାସୀ ମନ୍ତ୍ରୀ ଏକ ଲିଖିତ ଉତ୍ତର ମାଧ୍ୟମରେ ଜଣାଇଥିଲେ କି ରାଜ୍ୟସରକାର ଅନୁସୂଚିତ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ସେବାଶ୍ରମ ଓ ଛାତ୍ରୀନିବାସରେ ମାସକୁ ଥରେ ଏଏନଏମଙ୍କ ଦ୍ୱାରା ସ୍ୱାସ୍ଥ୍ୟପରୀକ୍ଷା କରାଯାଉଛି। ଏ ସର୍ମ୍ପକରେ ଏକ ନିର୍ଦେଶନାମା ୨୦୧୫ରେ ସମସ୍ତ ଜିଲାପାଳମାନଙ୍କୁ ଦିଆଯାଇଛି। ଚିଠିରେ ନାବାଳିକାମାନଙ୍କ ଗର୍ଭବତୀ ସମ୍ବନ୍ଧରେ ବିଶେଷ ମନିଟରିଂ ପାଇଁ ନିର୍ଦେଶ ଥିବାବେଳେ କଡାକଡ଼ି ଭାବେ ନିୟମ ପାଳନ କରାଯାଉନାହିଁ। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ପଦରେ ଜଣେ ଆଇଏଫଏସ ଅଫିସର ଅଛନ୍ତି, ତେଣୁ ଏସବୁ ଦିଗ ପ୍ରତି ଧ୍ୟାନ ଦେଉ ନାହାନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ରାଜ୍ୟର ୩୮ପ୍ରତିଶତ ଲୋକ ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ୧ କୋଟି ୬୦ ଲକ୍ଷ ଲୋକଙ୍କ କଥା ବୁଝିବା ପାଇଁ ଥିବା ବିଭାଗ ଦାୟିତ୍ୱରେ ଜଣେ ଆଇଏଏସ ଅଧିକାରୀଙ୍କୁ ନରଖିବା ସରକାରଙ୍କ ଆଦିବାସୀ ବିରୋଧୀମାନସିକତାକୁ ସ୍ପଷ୍ଟ କରୁଛି। ୟୁଏନଏଫପି ବୋଲି ଯେଉଁ ସଂସ୍ଥାକୁ ରାଜ୍ୟ ସରକାର ଆଶ୍ରମ ସ୍କୁଲରେ ସଚେତନତା ଏବଂ ଆଦିବାସୀ ବାଳିକାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣର ମନିଟରିଂର ଦାୟିତ୍ୱ ଦେଇଛନ୍ତି ତାହାର ମୁଖ୍ୟ କିଏ ପ୍ରଶ୍ନ କରିଛନ୍ତି। ଡ. ଦୀପା ପ୍ରସାଦ ଯିଏ ୟୁଏନଏଫପିର କନସଲଟାଣ୍ଟ ଅଛନ୍ତି ସେ କିଏ ? ସରକାର ମାର୍ ମାର୍ ଭଣ୍ଡାରିଆକୁ ନ୍ୟାୟରେ କେବଳ ସୁପରିଟେ​‌େ​‌ଣ୍ଡଣ୍ଟଙ୍କୁ ବହିଷ୍କାର କରି ଦାୟିତ୍ୱ ଖସାଇବାକୁ ବସିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ନିୟତି ଗିରି, ଏସଟି ମୋର୍ଚ୍ଚା ସଂପାଦକ ପ୍ରିୟବ୍ରତ ମାଝି ପ୍ରମୁଖ ସାମିଲ ଥିଲେ।
ସବୁ ଆବାସିକ…

Leave A Reply