ସତ୍ୟବାଦୀର ଶିକ୍ଷା ସାଧନା ଓ ଜାତି ନିର୍ମାଣ

0

ଡକ୍ଟର ବିଜୟାନନ୍ଦ ସିଂହ

ଓଡ଼ିଆ ଜାତି ନିର୍ମାଣରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭୂମିକାର ପଟାନ୍ତର ନାହିଁ। ସେ ଥିଲେ ସମର୍ପିତ ଜାତିପ୍ରାଣ। ଉତ୍କଳୀୟ ଭାବଧାରାର ବିକାଶ ସହ ମାନବବାଦର ପ୍ରସାର ଥିଲା ତାଙ୍କ ଭାବାଦର୍ଶ। ଓଡ଼ିଶା ପ୍ରଦେଶର ବୈଶିଷ୍ଟ୍ୟ ହେଉଛି ବିଶ୍ବ ସଂହତି ଓ ବିଶ୍ବ ଏକତା; ଅର୍ଥାତ୍‌ ସବୁ ମଣିଷଙ୍କୁ ଏକ ଦୃଷ୍ଟିରେ ଦେଖିବା ହେଉଛି ବିଶ୍ବ ଭାବନା। ଉତ୍କଳମଣି ଗୋପବନ୍ଧୁ ମାନବବାଦର ବିକାଶରେ ଯେପରି ନିଷ୍ଠାର ସହ କାର୍ଯ୍ୟ କରିଯାଇଛନ୍ତି ତାହା ଇତିହାସରେ ବିରଳ ଅଧ୍ୟାୟ ବୋଲି କୁହାଯାଇପାରେ। ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାରେ ଉତ୍କଳମଣି ଗୋପବନ୍ଧୁ ଅନୁପ୍ରାଣିତ ହୋଇଥିଲେ। ସେଥିପାଇଁ ଓଡ଼ିଶାର ସାମଗ୍ରିକ ଉନ୍ନତି ପାଇଁ ସେ ବିଭିନ୍ନ ମାଧ୍ୟମ ଅବଲମ୍ବନ କରିଥିଲେ। ଉତ୍କଳମଣି ଗୋପବନ୍ଧୁଙ୍କ କର୍ମମୟ ଜୀବନ ଆରମ୍ଭ ସମୟର ଓଡ଼ିଶା ଥିଲା ପରାଧୀନ ଭାରତର ଅଂଶବିଶେଷ- ଊନବିଂଶ ଶତାବ୍ଦୀର ଶେଷ, ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳ। ୧୯୦୩ରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଓ ନୂତନ ଓଡ଼ିଶା ଗଠନ ଥିଲା ତତ୍କାଳୀନ ନେତୃବର୍ଗଙ୍କ ପରିକଳ୍ପନା। ଉତ୍କଳ ଗୌରବ ମଧୁସୂଦନଙ୍କ ନେତୃତ୍ବ ଥିଲା ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ। ଗୋପବନ୍ଧୁ ଥିଲେ ଦୂରଦୃଷ୍ଟିସମ୍ପନ୍ନ। ତାଙ୍କ ବିଚାରାଧାରା ଥିଲା ଆଧୁନିକ ଭାବ ଭାବନାର ରୂପାନ୍ତର। ସେ ଦେଖୁଥିଲେ ଓଡ଼ିଶାର ଭବିଷ୍ୟତ। ଓଡ଼ିଶାକୁ ଜାତୀୟ ସ୍ରୋତରେ ସମ୍ମିଳିତ କରାଗଲେ ଓଡ଼ିଶାର ସ୍ବାତନ୍ତ୍ର୍ୟ ପ୍ରମାଣିତ ହୋଇପାରିବ। ଏହି ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଥିଲା ଗୋପବନ୍ଧୁଙ୍କର ଲକ୍ଷ୍ୟ। ୧୯୨୦ରେ ଗୋପବନ୍ଧୁ ଦାସଙ୍କ ସଭାପତିତ୍ବରେ ଗଠିତ ହେଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି; ଅର୍ଥାତ୍‌ ଓଡ଼ିଶାକୁ ଯଥାର୍ଥ ଭାବରେ ଜାତୀୟ ଆନ୍ଦୋଳନରେ ସକ୍ରିୟ କରାଇବାର ଏ ଥିଲା ବାସ୍ତବବାଦୀ ଆଭିମୁଖ୍ୟ; କିନ୍ତୁ ଏହା ପୂର୍ବରୁ ଗୋପବନ୍ଧୁ ଆଧୁନିକ ଓଡ଼ିଶା ଗଠନ ପାଇଁ ପ୍ରସ୍ତୁତ କରିଥିଲେ ଭିନ୍ନ ଭିନ୍ନ ଖସଡ଼ା; ଯାହା ଥିଲା ସ୍ବତନ୍ତ୍ର ଓ ଅନନ୍ୟ। ଆନ୍ଦୋଳନ, ସଭାସମିତି, ଅସହଯୋଗ ବା ଦାବିପତ୍ର ମାଧ୍ୟମରେ କରାଯାଇପାରେ; କିନ୍ତୁ ଆନ୍ଦୋଳନ ପାଇଁ ପ୍ରଥମ ପ୍ରସ୍ତୁତି ହେଉଛି ମାନବ ସମ୍ବଳ। ମଣିଷ ଜାତୀୟ ଚିନ୍ତାଚେତନାରେ ଉଦ୍‌ବୁଦ୍ଧ ହେଲେ ଲକ୍ଷ୍ୟ ପୂରଣ ସହଜ ଓ ସରଳ ହୋଇଯାଏ। ସେଥିପାଇଁ ଗୋପବନ୍ଧୁଙ୍କ ଚିନ୍ତାଧାରା ଥିଲା ବାସ୍ତବରେ ଅନନ୍ୟ। ସେ ପ୍ରଥମେ ପରାଧୀନ ଭାରତବର୍ଷରେ ବ୍ରିଟିଶ ଶିକ୍ଷା ପରିବେର୍ତ୍ତ ଏକ ନୂତନ ଶିକ୍ଷାର ପ୍ରବର୍ତ୍ତନ ପାଇଁ ପ୍ରତିଷ୍ଠା କଲେ ସତ୍ୟବାଦୀରେ ବନ ବିଦ୍ୟାଳୟ। ସେ ଜାଣିଥିଲେ ଯେ ଶିକ୍ଷାର ପ୍ରସାର ନ ହେଲେ ଜାତୀୟସ୍ତରରେ ଓଡ଼ିଶା ପ୍ରାଧାନ୍ୟ ବିସ୍ତାର କରିପାରିବ ନାହିଁ। ବ୍ରିଟିଶ ଶିକ୍ଷା ଥିଲା ବ୍ୟୟବହୁଳ ଶିକ୍ଷା , ଯାହା ଅର୍ଥନୈତିକ କ୍ଷେତ୍ରରେ ପଛୁଆ ରାଜ୍ୟ ଓଡ଼ିଶାରେ ସମ୍ଭବ ନୁହେଁ। ସେଥିପାଇଁ ସତ୍ୟବାଦୀରେ ନୂତନ ପ୍ରଣାଳୀରେ ଶିକ୍ଷାନୁଷ୍ଠାନ ଗଠନ କରାଗଲା। ଗୁରୁକୁଳ, ପ୍ରକୃତିର କୋଳରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ ସହ ଜାତୀୟ ଭାବଧାରାରେ ଉଦ୍‌ବୃଦ୍ଧ କରାଇବା ଥିଲା ଏହି ଆଦର୍ଶ ଶିକ୍ଷାନୁଷ୍ଠାନର ପରମ ଲକ୍ଷ୍ୟ। ଏହା ଥିଲା ପୁଣି ଆବାସିକ ଓ ମୁକ୍ତାକାଶ ବିଦ୍ୟାଳୟ। ବିଦ୍ୟାଳୟ ପ୍ରତିଷ୍ଠା ସମୟରେ ଗୋପବନ୍ଧୁ କହିଥିଲେ ପ୍ର​େତ୍ୟକ ମଣିଷର ଶିକ୍ଷା ଅର୍ଜନ କରିବାର ଏକ ଅଧିକାର- ଠିକ୍‌ ଯେପରି ସୂର୍ଯ୍ୟ ଓ ଚନ୍ଦ୍ରଙ୍କର କିରଣ ସବୁ ଶ୍ରେଣୀର ଲୋକ ସମାନ ଭାବରେ ପାଇପାରନ୍ତି ଠିକ୍‌ ସେମିତି ଶିକ୍ଷା ସବୁ ପ୍ରକାର ମଣିଷ ପାଇବା ଉଚିତ୍‌। ୧୯୦୯ରେ ଗୋପବନ୍ଧୁ ସତ୍ୟବାଦୀଠାରେ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉଦ୍ୟମ କଲେ। ୧୨ ଅଗଷ୍ଟ ୧୯୦୯ରେ ୧୯ଜଣ ଛାତ୍ରଙ୍କୁ ନେଇ ସତ୍ୟବାଦୀରେ ପ୍ରଥମ ମଧ୍ୟଇଂରାଜୀ ବିଦ୍ୟାଳୟର ଶୁଭାରମ୍ଭ ହେଲା। ୧୧ ଅକ୍ଟୋବର ୧୯୧୧ରେ ପଣ୍ଡିତ ନୀଳକଣ୍ଠ ଦାସ ସତ୍ୟବାଦୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଯୋଗଦେଲେ। ପରବର୍ତ୍ତୀ ସମୟରେ ରାମଚନ୍ଦ୍ର ରଥ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ପ୍ରମୁଖ ଉଚ୍ଚଶିକ୍ଷିତ ଦେଶଭକ୍ତମାନେ ଏହି ବିଦ୍ୟାଳୟରେ ଯୋଗଦେଇ ଦେଶମାତୃକାର ସେବାରେ ଆଗଭର ହେଲେ। ବ୍ୟାସକବି ଫକୀରମୋହନ ସେନାପତିଙ୍କ ଏକ ବକ୍ତବ୍ୟରୁ ଏହି ବିଦ୍ୟାଳୟର ମହତ୍ତ୍ବ ଉପଲବ୍ଧି କରି ହୁଏ-‘‘ଓଡ଼ିଶାରେ ଅେନକ ସ୍କୁଲ ଅଛି; କିନ୍ତୁ ଏପରି ସ୍କୁଲ ଗୋଟିଏ ନାହିଁ। ଏଥିରେ ବିଦ୍ୟା ଓ ଚରିତ୍ର ଉଭୟର ଉନ୍ନତି ହୁଏ। ମୁଁ ଏହି ସ୍କୁଲର ପ୍ରଧାନ ଅଧ୍ୟାପକଙ୍କୁ ପଚାରିଥିଲି ତୁମ୍ଭେ ନିଜେ ନ ରହି ୨୦୦ ଟଙ୍କା ରୋଜଗାର କରି ତଦ୍ଦ୍ବାରା ଦୁଇଜଣ ବି.ଏ. ପାଶ୍‌ବାଲା ରଖୁ ନାହଁ କାହିଁକି ? ସେ କହିଲେ ତଦ୍ଦ୍ବାରା ଛାତ୍ର ବିଦ୍ୟା ଶିକ୍ଷା ଭଲ କରିପାରନ୍ତି; କିନ୍ତୁ ମନୁଷ୍ୟ ତିଆରି ହେବ ନାହିଁ। ଆଧୁନିକ ଶିକ୍ଷା ଦ୍ବାରା ଆମ୍ଭେମାନେ ଜାତୀୟତା ଓ ଗୁରୁ-ଶିଷ୍ୟର ସମ୍ବନ୍ଧ ହରାଇ ଅଛେ; କିନ୍ତୁ ବର୍ତ୍ତମାନ ସତ୍ୟବାଦୀ ସ୍କୁଲ ଦେଖାଇଛି କି କି ପ୍ରକାର ଶିକ୍ଷା ବର୍ତ୍ତମାନ ଆମ୍ଭମାନଙ୍କର ପ୍ରୟୋଜନ। ସେମାନେ ସାଧୁ ଓ ପରୋପକାରୀ। ସେମାନେ କେବଳ ବହି ପଢ଼ାରେ ସନ୍ତୁଷ୍ଟ ନୁହନ୍ତି। ସେମାନେ ମନୁଷ୍ୟତ୍ବକୁ ଶିକ୍ଷା ଦେବା ଲାଗି ସର୍ବଦା ବ୍ୟସ୍ତ। ପିଲାମାନେ ଶିଶୁ ଅଛନ୍ତି, କିପରି ଦେଶ ପାଇଁ ସ୍ବାର୍ଥ ତ୍ୟାଗ କରିବାକୁ ହୁଏ; ଏହି ସତ୍ୟବାଦୀ ସ୍କୁଲ ପ୍ରକୃତରେ ଗୋଟିଏ ଟ୍ରେନିଂ ସ୍କୁୁଲ।’’ (୨୮ ଡିସେମ୍ବର ୧୯୧୩, ୯ମ ଅଧିବେଶନ, ଉତ୍କଳ ସମ୍ମିଳନୀ)
ପଣ୍ଡିତ ଗୋପବନ୍ଧୁ ମଧ୍ୟ ଏହି ପ୍ରସଙ୍ଗରେ ସ୍ବକୀୟ ମତ ଉପସ୍ଥାପନ କରିଥିଲେ, ଯାହା ଏଠାରେ ସୂଚନାଯୋଗ୍ୟ-‘ସତ୍ୟବାଦୀ ସ୍କୁଲର ପରିକଳ୍ପନା ଆଜିକାଲିର ନୁହେଁ। ଏହା ୧୨ ବର୍ଷ ପୂର୍ବର କଳ୍ପନା। ଉନ୍ମୁକ୍ତ ଆକାଶର ନିମ୍ନରେ ଥାଇ ମଧ୍ୟ ଆମ୍ଭେମାନେ ଦୃଢ଼ ବିଶ୍ବାସ କରିଥିଲୁ ଯେ ଦିନ ଆସିବ, ଯେତେବେଳେ ଭଗବାନ ଆମ୍ଭମାନଙ୍କର ଏହି ଦୁର୍ଦଶା ଦୂର କରିବେ। ଆମ୍ଭେମାନେ ମନୁଷ୍ୟର ସେବାରେ ଅଛୁ; ମାତ୍ର ଏଥିରେ କି ଇଷ୍ଟ କି ଅନିଷ୍ଟ ଅଛି ସେଥିପ୍ରତି ତିଳେମାତ୍ର ଭ୍ରୂକ୍ଷେପ କରି ନାହୁଁ। ଆମ୍ଭେମାନେ ବିଶ୍ବାସ କରୁ ମାନବ ସେବା ହିଁ ଭଗବାନଙ୍କ ସେବା ଏବଂ ଏହା ହିଁ ପ୍ର​େତ୍ୟକ ମାନବର କର୍ତ୍ତବ୍ୟ।’ (୨୮ ଡିସେମ୍ବର ୧୯୧୩)। ପଣ୍ଡିତ ଗୋପବନ୍ଧୁ ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି ହେବା ପରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଏକ ପରିବର୍ତ୍ତନ ଦେଖାଦେଲା। ସତ୍ୟବାଦୀର ଏହି ବିଦ୍ୟାଳୟ ଜାତୀୟ ବିଦ୍ୟାଳୟରେ ପରିଣତ ହେଲା। ୨୫ ମାର୍ଚ୍ଚ ୧୯୨୧ରେ ମହାତ୍ମା ଗାନ୍ଧୀ ଏହି ଜାତୀୟ ବିଦ୍ୟାଳୟରେ ପଦାର୍ପଣ କଲେ। ଏହି ବନ ବିଦ୍ୟାଳୟର ଛୁରିଆନା କୁଞ୍ଜରେ ଅବସ୍ଥାନ କଲେ। ତେଣୁ ସତ୍ୟବାଦୀ ବନ ବିଦ୍ୟାଳୟ ଆଧୁନିକ ଓଡ଼ିଶା ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପାଦନ କରିଥିଲା। ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧିରେ ସତ୍ୟବାଦୀ ବନ ବିଦ୍ୟାଳୟର ଶିକ୍ଷା ପ୍ରଣାଳୀ ଥିଲା ସର୍ବୋତ୍କୃଷ୍ଟ ଆଧୁନିକ ଚିନ୍ତାର ବାହକ।
ଉତ୍କଳମଣି ଶିକ୍ଷା ସହିତ ସାହିତ୍ୟ ଓ ସମ୍ବାଦପତ୍ରର ଆବଶ୍ୟକତାକୁ ଉପଲବ୍ଧି କଲେ; କାରଣ ଗୋପବନ୍ଧୁ ଥିଲେ ଅଗ୍ରଗଣ୍ୟ ଚିନ୍ତାନାୟକ। ସେ ସମଗ୍ର ଭାରତବର୍ଷର ସ୍ଥିତି ଓ ଅବସ୍ଥିତିକୁ ଭଲ ଭାବରେ ଅନୁଧ୍ୟାନ କରିଥିଲେ। ୧୯୧୫ ସମୟକୁ ମହାତ୍ମା ଗାନ୍ଧୀଙ୍କ ଜାତୀୟ ପ୍ରେକ୍ଷାପଟରେ ଉପସ୍ଥିତି ଭାରତୀୟ ରାଜନୀତିକୁ ଚମକପ୍ରଦ ପରିବର୍ତ୍ତନର ଇଙ୍ଗିତ ଦେଇଥିଲା; କିନ୍ତୁ ସେ ସମୟକୁ ଓଡ଼ିଶାରେ ଗୋପବନ୍ଧୁଙ୍କ ବିଚାର ଓ କର୍ତ୍ତବ୍ୟ ଏକ ସମୃଦ୍ଧ ଓଡ଼ିଶା ନିର୍ମାଣର ଭିତ୍ତିସ୍ଥାପନ କରିଥିଲା।
ଓଡ଼ିଆ ଭାଷା ଓ ସାହିତ୍ୟର ଏକ ପ୍ରାଚୀନ ପରମ୍ପରା ରହିଛି। ଏହାର ଐତିହ୍ୟ ସମୃଦ୍ଧ। ପଣ୍ଡିତ ଗୋପବନ୍ଧୁ ତେଣୁ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ଧ୍ୟାନ ଦେଇଥିଲେ। ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥା ସହ ଓଡ଼ିଆ ସାହିତ୍ୟର କିପରି ଅଗ୍ରଗତି ହୋଇପାରିବ ସେଥିପାଇଁ ସେ ପରିକଳ୍ପନା କରିଥିଲେ ‘ସତ୍ୟବାଦୀ ପତ୍ରିକା’। ସତ୍ୟବାଦୀ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରମାନଙ୍କର ଏହା ଥିଲା ମୁଖପତ୍ର, ଯାହା ଓଡ଼ିଆ ସାହିତ୍ୟର ହେଲା ସମ୍ଭ୍ରାନ୍ତ ପତ୍ରିକା। ସତ୍ୟବାଦୀ ମାସିକ ପତ୍ରିକା ୧୩୨୨ ସାଲ କୁମ୍ଭ ମାସ ଇଂରାଜୀ ଫେବୃୟାରୀ/ମାର୍ଚ୍ଚ ୧୯୧୫ରେ ପ୍ରଥମେ ଆତ୍ମପ୍ରକାଶ କରିିଥଲା। ସତ୍ୟକୁ ​​େଧ୍ୟୟ କରି ​ ଗୋପବନ୍ଧୁ ସାହିତ୍ୟ ସେବା ପାଇଁ ସତ୍ୟବାଦୀ ପତ୍ରିକାର ସ୍ବପ୍ନ ଦେଖିଥିଲେ। ସତ୍ୟବାଦୀ ପତ୍ରିକାର ଆଭିମୁଖ୍ୟ ଏହି ପତ୍ରିକାର ଶେଷ ପୃଷ୍ଠାରେ ପରିଚାଳକ ଶଶିଭୂଷଣ ରଥ ବର୍ଣ୍ଣନା କରିଥିଲେ। ‘‘ଏହି ସାହିତ୍ୟ ପତ୍ର ଶ୍ରୀ ଗୋପବନ୍ଧୁ ଦାସ ବି.ଏଲଙ୍କ ତତ୍ତ୍ବାବଧାନରେ ଚଳିତ ବର୍ଷ କୁମ୍ଭ ମାସଠାରୁ ପ୍ରକାଶିତ ହୋଇଅଛି। ଏ ପତ୍ରର ଆଲୋଚନା ଅଂଶରେ ସାମୟିକ ଓ ସ୍ଥାୟୀ ସାହିତ୍ୟିକ ବିଷୟମାନଙ୍କର ଆଭାସ ଓ ଅବତାରଣା ଥାଏ। ବିଶ୍ବ ବିଦ୍ୟାଳୟର ସମସ୍ତ ପରୀକ୍ଷାରେ ଦେଶୀୟ ଭାଷା ଓ ସାହିତ୍ୟ ଶିକ୍ଷା ନିର୍ଦ୍ଦିଷ୍ଟ ଥିବାରୁ ବିଶିଷ୍ଟ ସାହିତ୍ୟ ଗ୍ରନ୍ଥମାନଙ୍କ ସମାଲୋଚନା ନିମନ୍ତେ ଏଥିରେ ଗୋଟିଏ ଅଂଶ ଅଛି। ପଲ୍ଲୀବାସୀମାନଙ୍କ ମଧ୍ୟରେ ଭାବ ପ୍ରଚାର ଓ ଶିକ୍ଷିତ ସହରବାସୀଙ୍କ ସଙ୍ଗେ ପଲ୍ଲୀର ସମ୍ପର୍କ ବିଧାନ ନିମନ୍ତେ ପଲ୍ଲୀ ପ୍ରସଙ୍ଗ ନିୟମିତ ରୂପେ ବାହାରିଥାଏ। ସ୍କୁଲ ଛାତ୍ରମାନଙ୍କୁ ସାହିତ୍ୟ ଚର୍ଚ୍ଚାରେ ଉତ୍ସାହ ଦେବା ଲାଗି ଏଥିରେ ବିଶିଷ୍ଟ ବିଧାନ ଅଛି। ଏହାଛଡ଼ା ନାନା ବିଷୟରେ ଶିକ୍ଷଣୀୟ ପ୍ରବନ୍ଧ ବାହାରିଥାଏ।’’ ସତ୍ୟବାଦୀ ପତ୍ରିକା ସମକାଳ ସାହିତ୍ୟକୁ ନୂତନ ଦିଗ୍‌ଦର୍ଶନ ଦେଇଥିଲା କେବଳ ନୁହେଁ, ଭବିଷ୍ୟତ ଓଡ଼ିଆ ସାହିତ୍ୟକୁ ନୂତନ ଆଲୋକ ପ୍ରଦର୍ଶନ କରିଥିଲା। ଏହି ପତ୍ରିକା ପ୍ରତିଷ୍ଠାତା ସମ୍ପାଦକ ଥିଲେ ଗୋପବନ୍ଧୁ ଦାସ। ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଐତିହାସିକ କୃପାସିନ୍ଧୁ ମିଶ୍ର, ବାସୁଦେବ ମହାପାତ୍ର, ପଣ୍ଡିତ ଗୋପୀନାଥ ନନ୍ଦ, ଜଗବନ୍ଧୁ ସିଂହ, ବିରୂପାକ୍ଷ କର, ଶ୍ରୀବତ୍ସ ପଣ୍ଡା, ରୁଦ୍ରନାରାୟଣ ଷଡ଼ଙ୍ଗୀ ଆଦି ସେ ସମୟର ବିଶିଷ୍ଟ ଲେଖକମାନଙ୍କ କୃତିରେ ‘ସତ୍ୟବାଦୀ’ ପ୍ରକାଶିତ ହେଉଥିଲା। ପତ୍ରିକାର ଆରମ୍ଭରେ ବିଭିନ୍ନ ସଂଖ୍ୟାରେ ମହାବାଣୀମାନ ସ୍ଥାନିତ ହେଉଥିଲା। ଯଥା: ଋତଂ ବିଦିଷ୍ୟାମୀ, ସତ୍ୟମ୍‌ ବଦିଷ୍ୟାମି, ତନ୍ମାମବତୁ, ତଦ୍‌ବକ୍ତର ମବତୁ, ଅବତୁ ମାସବତୁ ବକ୍‌ତାରଂ, ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ। ସତ୍ୟବାଦୀରେ ବିଭିନ୍ନ କିସମର ଲେଖାମାନ ସ୍ଥାନିତ ହେଉଥିଲା। ଆଲୋଚନା, ସମାଲୋଚନା, ପଲ୍ଲୀ ପ୍ରସଙ୍ଗ, ଛାତ୍ର ଭାଗ ପତ୍ରିକାର ନିୟମିତ ଧାରାବାହିକ ବିଷୟ ଥିଲା। ଶିକ୍ଷା ସମ୍ପର୍କିତ ଉଚ୍ଚ ଆଲୋଚନା ମଧ୍ୟ ପ୍ରାଧାନ୍ୟ ଲାଭ କରିଥିଲା। ସାହିତ୍ୟ ମାଧ୍ୟମରେ ବିଶ୍ବ ଭାବ ଓ ମାନବିକ ସଂସ୍କୃତିର ପ୍ରସାର ସହ ଜାତୀୟ ଜୀବନର ସମୃଦ୍ଧି ପାଇଁ ଗୋପବନ୍ଧୁ ପ୍ରଚେଷ୍ଟା କରିଥିଲେ। ସତ୍ୟବାଦୀ ପତ୍ରିକା ଥିଲା ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶ ଓ ଚିନ୍ତାଚେତନା ପ୍ରକାଶନର ଏକ ମାଧ୍ୟମ। ମାତୃଭାଷା ଓଡ଼ିଆ ଥିଲା ତାଙ୍କର ପ୍ରାଣର ଭାଷା। ଗ୍ରାମ୍ୟ ବା ପଲ୍ଲୀ ଜୀବନର ଚିତ୍ର, ଭଲମନ୍ଦ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ। ପଲ୍ଲୀ ସମସ୍ୟାର ସମାଧାନ ପାଇଁ ସୁଚିନ୍ତିତ ମନ୍ତବ୍ୟମାନ ଏହି ପତ୍ରିକାର ପୃଷ୍ଠା ମଣ୍ଡନ କରିଥିଲା। ‘ସତ୍ୟବାଦୀ’ ପତ୍ରିକାର ପ୍ରଭାବ ଥିଲା ଓଡ଼ିଆ ସାହିତ୍ୟରେ ବ୍ୟାପକ। ଯେଉଁଥି ପାଇଁ ‘ସତ୍ୟବାଦୀ’ ଏକ ଯୁଗ ବା ସମୟ ବୋଲି ଓଡ଼ିଆ ସାହିତ୍ୟ ଇତିହାସରେ ବର୍ଣ୍ଣିତ। ‘ସତ୍ୟବାଦୀ’ ସାହିତ୍ୟ ଥିଲା ଓଡ଼ିଆ ଜାତି ଗଠନର ପ୍ରେରଣା ଓ ପ୍ରୋତ୍ସାହନ। ସାହିତ୍ୟ ସମ୍ପର୍କରେ ସାଧାରଣ ଜନତାଠାରୁ ବୁଦ୍ଧିଜୀବୀମାନଙ୍କୁ ଏକ ସୂତ୍ରରେ ଯୋଡ଼ିବାର ଏକ ସଫଳ ପ୍ରୟାସ। ସତ୍ୟବାଦୀ ପତ୍ରିକା ଜାତୀୟ ଚେତନା ଓ ଉତ୍କଳୀୟ ଭାବ-ଭାବନାର ବାହାକ ବୋଲି କୁହାଯାଇପାରେ।
ସେହିପରି ୧୯୧୯ ଥିଲା ଓଡ଼ିଆ ଜାତୀୟ ଇତିହାସରେ ଏକ ଉଲ୍ଲେଖଯୋଗ୍ୟ ସମୟ। ଜାତୀୟ ଆନ୍ଦୋଳନ, ସର୍ବୋପରି ଜନମତକୁ ସଂଗଠିତ କରିବାର ପ୍ରଚେଷ୍ଟା ପାଇଁ ଗୋପବନ୍ଧୁ ଭିନ୍ନଭିନ୍ନ ଉଦ୍ୟମ କରି ଯାଇଛନ୍ତି। ନିରବତା ମଧ୍ୟରେ ବିପ୍ଳବ କରାଯାଇପାରେ-ତାହା ଗୋପବନ୍ଧୁ ପ୍ରମାଣ କରି ଯାଇଛନ୍ତି। ଗୋପବନ୍ଧୁ ଥିଲେ କୋମଳ, ସରଳ, ଉଦାର ମଣିଷ; କିନ୍ତୁ ଦୂରଦୃଷ୍ଟି ଓ ବିଚାରଶକ୍ତି ଥିଲା ସୁଦୂରପ୍ରସାରୀ। ସତରେ ନୂତନ ଓଡ଼ିଶା ନିର୍ମାଣରେ ଗୋପବନ୍ଧୁ ଦାସଙ୍କ ସାମଗ୍ରିକ ଉଦ୍ୟମ ବହୁ ଉଚ୍ଚରେ। ଗୋପବନ୍ଧୁ ଲକ୍ଷ୍ୟ କରିଥିଲେ ତତ୍କାଳୀନ ଓଡ଼ିଶାକୁ। ଏକ ସଫଳ ଓ ସତ୍ୟନିଷ୍ଠ ସମ୍ବାଦପତ୍ରର ଆବଶ୍ୟକତାକୁ ସେ ମର୍ମେ ମର୍ମେ ଉପଲବ୍ଧି କଲେ। ଯଦିଓ ସେତେବେଳକୁ କର୍ମବୀର ଗୌରୀଶଙ୍କର ରାୟଙ୍କ ପ୍ରତିଷ୍ଠିତ ‘ଉତ୍କଳ ଦୀପିକା’ କଟକରୁ ପ୍ରକାଶିତ ହେଉଥିଲା। ବ୍ରହ୍ମପୁରରୁ ଶଶିଭୂଷଣ ରଥଙ୍କ ‘ଆଶା’ ମଧ୍ୟ ଉପଲବ୍ଧ ହେଉଥିଲା; କିନ୍ତୁ ସମୟର ଆବଶ୍ୟକତାକୁ ମର୍ମେ ମର୍ମେ ଉପଲବ୍ଧି କଲେ ଉତ୍କଳମଣି। ତେଣୁ ସେ ପ୍ରତିଷ୍ଠା କଲେ ସାପ୍ତାହିକ ସମ୍ବାଦପତ୍ର ‘ସମାଜ’। ଆଶ୍ବିନ ଶୁକ୍ଳ ଦଶମୀ ବିଜୟା ଦଶମୀ-ଦଶହରା ା ଅର୍ଥାତ୍‌ ୪ ଅକ୍ଟୋବର ୧୯୧୯ (୦୪.୧୦.୧୯୧୯)ରେ ସତ୍ୟବାଦୀରୁ ପ୍ରକାଶିତ ହେଲା। ଗୋପବନ୍ଧୁଙ୍କ ଜୀବନର ଏହି ଦିନ ଥିଲା ଶ୍ରେଷ୍ଠ ଦିବସ, କାରଣ ତାଙ୍କ ବହୁ ଦିନର ସ୍ବପ୍ନ ସତ୍ୟରେ ପରିଣତ ହେଲା। ସେ ହେଲେ ଏହାର ପ୍ରତିଷ୍ଠାତା ଓ ପ୍ରଧାନ ସମ୍ପାଦକ। ସତ୍ୟ ଓ ଆଦର୍ଶବାଦକୁ ଭିତ୍ତି କରି ପ୍ରକାଶିତ ଏହି ସମ୍ବାଦପତ୍ର ଜନସାଧାରଣଙ୍କୁ ଆକୃଷ୍ଟ କରିବାରେ ସଫଳ ହେଲା। ‘ସମାଜ’ ଥିଲା ଓଡ଼ିଆ ଏକତା ଓ ସଂହତିର ବାର୍ତ୍ତାବହ। ସତ୍ୟ ସମ୍ବାଦ ପରିବେଷଣ ଜନସାଧାରଣଙ୍କୁ ଠିକ୍‌ ତଥ୍ୟ ପ୍ରଦାନ କରୁଥିବାରୁ ସାଧାରଣ ଜନତାର ଏକ ମୁଖପତ୍ର ରୂପେ ପରିଗଣିତ ହେଲା। ‘ସମାଜ’ ଓଡ଼ିଆ ଜାତୀୟ ଜୀବନ ନିର୍ମାଣରେ ବିଶେଷ କର୍ତ୍ତବ୍ୟ ସମ୍ପାଦନ କରିଛି। ମାଟିର ମହାକବି ଜଗନ୍ନାଥ ଦାସ ଯେପରି ଭାଗବତ ମାଧ୍ୟମରେ ନିରକ୍ଷର ଓଡ଼ିଆମାନଙ୍କୁ ଅକ୍ଷର ଶିଖାଇବାରେ ପ୍ରମୁଖ ମାଧ୍ୟମ ହୋଇଥିଲେ, ପରବର୍ତ୍ତୀ ସମୟରେ ‘ସମାଜ’ ମଧ୍ୟ ଓଡ଼ିଆମାନଙ୍କୁ ଶିକ୍ଷିତ କରାଇବା ସହ ସଚେତନ କରିବାରେ ପ୍ରମୁଖ ଦାୟିତ୍ବ ସମ୍ପାଦନ କରିଥିଲା। ଏହା ଏପରି ଲୋକପ୍ରିୟ ହେଲା ଯେ ଖବରକାଗଜ କହିଲେ ଲୋକେ ‘ସମାଜ’କୁ ହିଁ ବୁଝୁଥିଲେ। ଏହାର କାରଣ ଥୁିଲା ସତ୍ୟ, ସାଧୁତା ଓ ନିଷ୍ଠା। ଉତ୍କଳମଣି ଗୋପବନ୍ଧୁ ଭାବଧାରାର ପ୍ରକାଶ କରିବାର ‘ସମାଜ’ ଥିଲା ଏକ ବଳିଷ୍ଠ ମାଧ୍ୟମ। ସାପ୍ତାହିକରୁ ଦୈନିକ ହୋଇ ‘ସମାଜ’ ଓଡ଼ିଆ ଜାତୀୟ ଜୀବନକୁ ଏକ ନୂତନ ସଂକେତ ଦେବାରେ ସମର୍ଥ ହେଲା। ପରାଧୀନ ଭାରତବର୍ଷରେ ଜାତୀୟ ସଂଗ୍ରାମର ବାର୍ତ୍ତା ପ୍ରଦାନ ସହ ଓଡ଼ିଆମାନଙ୍କୁ ସଂଗଠିତ କରିବାରେ ‘ସମାଜ’ର ଅବିସ୍ମରଣୀୟ ପଦକ୍ଷେପ ସତରେ ବିସ୍ମୟକର। ବନ ବିଦ୍ୟାଳୟ, ‘ସତ୍ୟବାଦୀ’ ପତ୍ରିକା ଓ ‘ସମାଜ’ ସତ୍ୟବାଦୀ ଶିକ୍ଷା ସାଧନାର ସଫଳ ଫଳଶ୍ରୁତି, ତପସ୍ୟାର ଶ୍ରେଷ୍ଠ ସ୍ମାରକୀ।
ସତ୍ୟବାଦୀର ଶିକ୍ଷା ସାଧନା ବାସ୍ତବରେ ଓଡ଼ିଆ ଜାତୀୟ ଜୀବନର ନିର୍ମାଣରେ ଅଗ୍ରଗଣ୍ୟ ନେତୃତ୍ବ ଗ୍ରହଣ କରିଛି-ଏହା ଇତିହାସ ସ୍ବୀକାର କରେ।

Comments
Loading...