ରାଜନୀତିର ଅଟଳପୁରୁଷ

0

ଭାରତୀୟ ରାଜନୀତିର ଅନନ୍ୟ ପୁରୁଷ, ବାଗ୍ମୀ, ବିଦ୍ବାନ, କବି, ନୀତିନିଷ୍ଠ ଓ ଆକର୍ଷଣୀୟ ବ୍ୟକ୍ତିତ୍ବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନିଧନ ଦେଶପାଇଁ ଏକ ଅପୂରଣୀୟ କ୍ଷତି। ସେ ଭାରତୀୟ ସଂସ୍କୃତି ଓ ନୈତିକ ରାଜନୀତିର ବୋଧହୁଏ ଶେଷ ପ୍ରତୀକ। ବାଜପେୟୀଙ୍କ ଦୀର୍ଘ ଘଟଣାବହୁଳ ଜୀବନର ବସ୍ତୁତଃ ଅନ୍ତ ସେହିଦିନ ଘଟିଥିଲା ଯେଉଁ ଦିନ ସେ ସ୍ବାସ୍ଥ୍ୟଗତ କାରଣରୁ ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଯାଇଥିଲେ ଓ ତାଙ୍କ ଯୁଗର ଅବସାନ ଘଟିଥିଲା। ମୃତ୍ୟୁର କୋମଳ ସ୍ପର୍ଶ ଏବେ ତାଙ୍କୁ ଆମଠାରୁ ଅନ୍ତର୍ହିତ କରାଇ ଇତିହାସରେ ପରିଣତ କରିଛି। ସେ ଥିଲେ ଭାରତୀୟ ରାଜନୀତି, ବିଶେଷକରି ଅଣକଂଗ୍ରେସ ରାଜନୀତିର ଯଥାର୍ଥ ଅଟଳ ପୁରୁଷ। ନେହେରୁ ଓ ଇନ୍ଦିରାଙ୍କ ଭଳି ସେ ମଧ୍ୟ ଜନତାର ବିପୁଳ ଶ୍ରଦ୍ଧାଭାଜନ ଥିଲେ। ପ୍ରାକ୍‌ ସ୍ବାଧୀନତା କାଳରୁ ଦକ୍ଷିଣପନ୍ଥୀ ଆଦର୍ଶରେ ପରିଚାଳିତ ବାଜପେୟୀ ବାସ୍ତବରେ ଥିଲେ ରାଜନୀତିରେ ଅଜାତଶତ୍ରୁ ଓ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଶ୍ରଦ୍ଧେୟ। ତାଙ୍କ ଆଚରଣ ଓ ଉଚ୍ଚାରଣଗତ ନିର୍ମଳତା ଥିଲା ତାଙ୍କ ଲୋକପ୍ରିୟତାର ଆକର୍ଷଣ।
ଜନତାପାର୍ଟି ସରକାର ଗଠନ ସହିତ କେନ୍ଦ୍ରରେ ପ୍ରଥମ ଅଣ-କଂଗ୍ରେସ ସରକାରକୁ ଗାଦିନସୀନ କରାଇବାରେ ଅଟଳବିହାରୀଙ୍କ ଭୂମିକାକୁ ଗୌଣ କରିହେବ ନାହିଁ। ସେହିଭଳି ପ୍ରଥମ ଅଣକଂଗ୍ରେସ ସରକାର ଗଠନ ପ୍ରକ୍ରିୟା ଦୀର୍ଘସ୍ଥାୟୀ ହେବାରେ ବିଫଳ ହେବାପରେ ପୂର୍ବତନ ଜନସଂଘ ସହଯୋଗୀଙ୍କ ଉଦ୍ୟମରେ ଭାରତୀୟ ଜନତାପାର୍ଟି ଗଠନ କରି ସେ ସଂସଦରେ ମାତ୍ର ଦୁଇ ସଦସ୍ୟଙ୍କୁ ନେଇ ଖାତା ଖୋଲିବାସହ କଂଗ୍ରେସର ଏକ ଜାତୀୟ ବିକଳ୍ପର ଭିତ୍ତିସ୍ଥାପନ କରିଥିଲେ। ଲାଲକୃଷ୍ଣ ଆଡ଼ୱାଣୀଙ୍କ ଭଳି ଘନିଷ୍ଠ ସହଯୋଗୀଙ୍କୁ ସାଥିରେ ନେଇ ବିଜେପିକୁ କ୍ଷମତାକୁ ଆଣିବାକୁ ସେ ଯେଉଁ ପରିଶ୍ରମ ଓ ରଣକୌଶଳମାନ ଆପଣେଇ ଥିଲେ ସେଥିରେ ବ୍ୟକ୍ତିଗତ ଭାବେ ସେ ବିବାଦରୁ ଦୂରେଇ ରହୁଥିଲେ। ଉଗ୍ରହିନ୍ଦୁତ୍ବ, ଉତ୍କଟ ସଂପ୍ରଦାୟବାଦୀ ମନୋଭାବଠାରୁ ସେ ନିଜେ ଦୂରେଇ ରହୁଥିଲେ ଏବଂ ଏହାର ପୃଷ୍ଠପୋଷକତାକୁ ଭଲ ପାଉନଥିଲେ; ଯଦିଓ ତାଙ୍କ ଘନିଷ୍ଠ ସହଯୋଗୀଗଣ ଏ କ୍ଷେତ୍ରରେ ବିପରୀତ ଆଚରଣ ପ୍ରଦର୍ଶନ କରୁଥିଲେ। ତାଙ୍କ ନୀତି, ନେତୃତ୍ବ, ବିଚାର, ବ୍ୟବହାର ଓ ବ୍ୟକ୍ତିତ୍ବକୁ ଭଲ ପାଉଥିବା ବିରୋଧୀମାନେ ସେଥିପାଇଁ ତାଙ୍କୁ ‘ଭୁଲ ଦଳର ଠିକ୍‌ ମଣିଷ’ ବୋଲି କହି କଟାକ୍ଷ କରୁଥିଲେ। ବିଭିନ୍ନ ଦଳର ନେତା ତାଙ୍କୁ ସମ୍ମାନଦେବା ଓ ଶ୍ରଦ୍ଧା କରିବା ପଛରେ ଥିଲା ତାଙ୍କ ଉଦାର, ଅମାୟିକ ବ୍ୟକ୍ତିତ୍ବ।
ରାଜନୀତିର ଉତ୍‌ଥାନ ପତନ ଭିତରେ ତାଙ୍କ ପାଇଁ ସୁ​‌େ​‌ଯାଗ ଓ ପରୀକ୍ଷାର କ୍ଷଣ ଏକାଧିକବାର ଆସିଥିଲା। ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ୧୩ ଦିନ, ୧୩ମାସ ଓ ପୂର୍ଣ୍ଣାଙ୍ଗ ପାଞ୍ଚବର୍ଷ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାରେ ରହିବାର ବିରଳ ସୁଯୋଗ ପାଇଥିଲେ। ଆସ୍ଥା ଭୋଟରେ ହାରି କପଟ ରାଜନୀତିର ପରାଭବକୁ ଉଦାରତାର ସହିତ ମାନି ନେଇଥିଲେ। ହେଲେ ତା’ଭିତରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କେନ୍ଦ୍ରରେ ଏକ ଗଣତାନ୍ତ୍ରିକ ମେଣ୍ଟ ଗଠନ କରି ଅଣ କଂଗ୍ରେସ ସରକାର ଗଠନ ଓ ଶାସନର ସଫଳ ଅଧ୍ୟାୟ ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ। ଗୁଜରାଟ ଦଙ୍ଗା ତାଙ୍କ ଶାସନକାଳର ଏକ କଳଙ୍କିତ ଅଧ୍ୟାୟ ଥିଲା ଏବଂ ସେଠି ସେ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଓ ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ରାଜଧର୍ମ’ର ପାଠ ସ୍ମରଣ କରାଇ ନିଜ ମହାନୁଭବତାର ପରିଚୟ ଦେଇଥିଲେ। ରାଜନୀତିର ଖେଳରେ ନରେନ୍ଦ୍ର ମୋଦୀ ବର୍ତ୍ତିଯାଇଥିଲେ ସତ; ବାଜପେୟୀଙ୍କ ଭାବମୂର୍ତ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ଭାବେ ମ୍ଳାନ ହୋଇନଥିଲା।
ତାଙ୍କ ଶାସନକାଳରେ ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ, ଭାରତୀୟ ବିମାନ ଅପହରଣ, କାରଗିଲ ଯୁଦ୍ଧ ଭଳି ଘଟଣା ତାଙ୍କୁ ଓ ଦେଶକୁ ଦୋହଲାଇ ଦେଇଥିଲା ସତ, ସେ କିନ୍ତୁ ଏହା ଆଗରେ ହାର ମାନି ନଥିଲେ। ପୋଖରାଣର ଆଣବିକ ପରୀକ୍ଷା, ଆମେରିକା ବାସନ୍ଦର ମୁକାବିଲା, ପାକିସ୍ତାନ ସହ ସମ୍ପର୍କ ବୃଦ୍ଧି ଏବଂ ଦେଶର ଚାରିପ୍ରାନ୍ତକୁ ଯୋଡ଼ିବାକୁ ନୂତନ ଜାତୀୟ ରାଜପଥ ନିର୍ମାଣ ଯୋଜନା ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦିଏ। ରାଜନୀତିର ଜଟିଳ ଓ ଅନିଶ୍ଚିତ ପଥକୁ ଦାର୍ଶନିକ ଓ କାବ୍ୟିକ ବିଚାରରେ ଗ୍ରହଣ କରିବା ଥିଲା ତାଙ୍କର ବିଶେଷତ୍ବ। ସେଥିପାଇଁ ସେ ବିଭିନ୍ନ ବିଚାର ଓ ଆଦର୍ଶର ନେତା ଓ ଦଳଙ୍କୁ ଏକାଠି କରି ଏଠି ମେଣ୍ଟ ରାଜନୀତିରେ ସଫଳ ହୋଇଥିଲେ। ନେତାର ମହନୀୟତା ସବୁଠୁ ବଡ଼ କୋମଳ ଶକ୍ତି, ଏକଥା ସେ ନିଜ ଜୀବଦ୍ଦଶାରେ ପ୍ରମାଣିତ କରି ଆଜି ସ୍ମରଣୀୟ ହୋଇଛନ୍ତି। ଏକଦା ସେ କହିଥିଲେ, ‘‘ମୁଁ ସ୍ବଭାବତଃ କବି ଓ ଦୈବାତ୍‌ ପ୍ରଧାନମନ୍ତ୍ରୀ’’। ଏକଥା ତାଙ୍କ ଜୀବନରେ ପ୍ରମାଣିତ।
ତାଙ୍କଭଳି ନେତା ଆଉ ବିଜେପିରେ ନାହାନ୍ତି ଓ ସେ ସ୍ଥାନ ପୂରଣ ହେବା ସମ୍ଭାବନା ମଧ୍ୟ କମ୍‌। ସେ ଯେଉଁଦଳ ଉତ୍ତରାଧିକାର ସୂତ୍ରରେ ଛାଡ଼ିଯାଇଛନ୍ତି ପରବର୍ତ୍ତୀ ପିଢ଼ିର ନେତାମାନେ ସେଥିରେ ବାଜପେୟୀଙ୍କ ଭଳି ନେତୃତ୍ବର ଆବଶ୍ୟକତା ଅବଶ୍ୟ ଦିନେ ଅନୁଭବ କରିବେ। ତାଙ୍କ ନୀତି ଓ ଆଦର୍ଶ ଏବେ ଇତିହାସର କଥାବସ୍ତୁ। ତଥାପି ଭାରତ ନିର୍ମାଣ ପ୍ରୟାସରେ ତାଙ୍କ ଭଳି ନେତାଙ୍କ ଆଦର୍ଶ ଓ ବିଚାର ପ୍ରାସଙ୍ଗିକ ହୋଇରହିବ ଯାହା ସେ ଏକଦା ନିଜର ଏକ କବିତାରେ ଲେଖିଥିଲେ।
ସେଇ ଅମର ପଙ୍‌କ୍ତିଟି ହେଲା- ‘‘ହାର୍‌ ନେହିଁ ମାନୁଙ୍ଗା,… କାଲ୍‌ କି କପାଲ୍‌ ପର୍‌ ଲିଖ୍‌ତା ମିଟାତା ହୁଁ /ଗୀତ ନୟା ଗାତା ହୁଁ।’’
ଅର୍ଥାତ- ହାର ମାନିବି ନାହିଁ…. କାଳର କପାଳରେ ମୁଁ ଲେଖୁଛି ଓ ପୋଛୁଛି,
ନୂଆ ଗୀତ ଗାଉଛି।
ଆମ ଗଣତନ୍ତ୍ରକୁ ଅଟଳଜୀଙ୍କ ଭଳି ନେତା ମିଳିଲେ ଏହା ଅବଶ୍ୟ ସମୃଦ୍ଧ ହେବ।

Comments
Loading...