ମେଡିକାଲ କଲେଜ, ୮୫୦୦ ସ୍ୱାସ୍ଥ୍ୟ ଅନୁଷ୍ଠାନ ଏବଂ ୨୦୮ ଘରୋଇ ଡାକ୍ତରଖାନାରେ ମିିଳିବ ସୁବିଧା

0

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୭୦ ଲକ୍ଷ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଓ ପରିବାରର ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ୮୫୦୦ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ (ସ୍ୱାସ୍ଥ୍ୟ ଉପ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ, ଜିଲା ଓ ମୁଖ୍ୟ ଚିକିତ୍ସାଳୟ) ସମେତ ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ତାଲିକାଭୁକ୍ତ ୨୦୮ ଟି ଘରୋଇ ଡାକ୍ତରଖାନାରେ ବିନା ଦେୟରେ ସମସ୍ତ ଚିକିତ୍ସା ସୁବିଧା ମିଳିପାରିବ। ଜନସାଧାରଣଙ୍କ ଅବଗତି ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପ୍ରେସ ବିବୃତିରେ ଏହି ସୂଚନା ଦିଆଯାଇଛି।
ବିଜୁ କୃଷକ କଲ୍ୟାଣ ଯୋଜନା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର କାର୍ଡଧାରୀ, ଗ୍ରାମାଞ୍ଚଳରେ ବାର୍ଷିକ ୫୦ ହଜାର ଟଙ୍କା ଏବଂ ସହରାଞ୍ଚଳରେ ୬୦ ହଜାର ଟଙ୍କାରୁ କମ୍‍ ଆୟକାରୀ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି। ଯୋଜନା ବାହାରେ ଥିବା ପରିବାରକୁ ସ୍ୱାସ୍ଥ୍ୟ ଉପ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବାର୍ଷିକ ଆୟ ସୀମା ନିର୍ବିଶେଷରେ ମଧ୍ୟ ମାଗଣା ଚିକିତ୍ସା ସୁବିଧା ମିଳିବ।
୭୦ ଲକ୍ଷ ପରିବାର ବ୍ୟତୀତ ଅନ୍ୟମାନଙ୍କୁ ମେଡିକାଲ କଲେଜରେ ପାଥୋଲୋଜିକାଲ ଏବଂ ରୋଗ ନିରୂପଣ ପରୀକ୍ଷା, କର୍କଟ ରୋଗ ସେବା,ଏମ୍‍.ଆର୍‍.ଆଇ, ସିଟି ସ୍କାନ, ଡାଏଲିସିସ୍‍ ଆଦିକୁ ଦେୟମୁକ୍ତ କରାଯାଇଛି। ନିରାମୟରେ ବିନାମୂଲ୍ୟରେ ଔଷଧ ଯୋଗାଇ ଦିଆଯିବାର ବ୍ୟବସ୍ଥା ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply