ପ୍ରୟୋଗାତ୍ମକ ନୀତି

0

ମରହଟ୍ଟା ଶାସକ ଛତ୍ରପତି ଶିବାଜୀଙ୍କ ଜୀବନକୁ ନେଇ ଏହି ରୋଚକ ପ୍ରସଙ୍ଗ। ସେ ସମୟରେ ଶିବାଜୀ ଅତି ଶକ୍ତିଶାଳୀ ମୋଗଲମାନଙ୍କ ବିରୋଧରେ ଲଢ଼େଇରେ ପଛଘୁଞ୍ଚା ଦେଇ ଲୁଚିଛପି ସେମାନଙ୍କ ବିରୋଧରେ ଗରିଲା ଯୁଦ୍ଧ ଚଳାଇଥାନ୍ତି। ଦିନେ ଲୁଚି ବୁଲୁଥିବା ଅବସ୍ଥାରେ ଜଣେ ବୃଦ୍ଧାଙ୍କ କୁଟୀରରେ ପହଞ୍ଚିଲେ। ବୃଦ୍ଧାଙ୍କ ଝୁମ୍ପୁଡ଼ିରେ ପହଞ୍ଚିବା ସମୟରେ ଭୀଷଣ କ୍ଷୁଧାତୁର ଥିବାରୁ ଖାଇବାକୁ ମାଗିଥିଲେ।
ବୃଦ୍ଧା ଅତି ଦୟାଳୁ ସ୍ବଭାବର ଥିଲେ, ମନ ଖୁସିରେ ଶିବାଜୀଙ୍କ ନିମିତ୍ତ ଖେଚୁଡ଼ି ପ୍ରସ୍ତୁତ କରି ଏହା ଖାଇବାକୁ ଦେଇଥିଲେ। ଯେହେତୁ ଅତି କ୍ଷୁଧାତୁର ଥିଲେ ତେଣୁ ବୃଦ୍ଧା ଖାଇବାକୁ ବାଢ଼ିବାମାତ୍ରେ ଆଉ କାଳବିଳମ୍ବ ନକରି ଖାଇବା ନିମିତ୍ତ ମଝିରେ ହାତ ପୂରାଇ ଦେଲେ। ଫଳ ଏଇଆ ହେଲା ଯେ ଗରମ ଖେଚୁଡ଼ି ହାତରେ ବାଜି ହାତ ତାତିଯିବା ଯୋଗୁ ଶିବାଜୀ ଯନ୍ତ୍ରଣା ଅନୁଭବ କରିଥିଲେ।
ଏସବୁକୁ ଲକ୍ଷ୍ୟ କରୁଥିବା ବୃଦ୍ଧା ଜଣକ ହଠାତ କହି ପକାଇଲେ ତୋତେ ଦେଖିଲେ ଲାଗୁଛି ତୁ ଠିକ୍‌ ଶିବାଜୀ ଭଳି ମୂର୍ଖ କାମ କରୁଛୁ। ନିଜ ନାମ ସହିତ ମୂର୍ଖତା ଯୋଡ଼ି ବୃଦ୍ଧା କହିବାରୁ ଶିବାଜୀ ଆଶ୍ଚର୍ଯ୍ୟ ହୋଇଗଲେ।
ମୂର୍ଖ କହିବା କାରଣ ସମ୍ପର୍କରେ ପଚାରିଥିଲେ ବୃଦ୍ଧାଙ୍କୁ। ଏହା ଶୁଣି ବୃଦ୍ଧା କହିଲେ- ତୁ ସେଗୁଡ଼ିକୁ କଡ଼ରୁ ଆସ୍ତେଆସ୍ତେ ଖାଇବା ପରିବର୍ତ୍ତେ ହଠାତ୍‌ ମଝିରେ ହାତ ପୂରାଇ ଦେଲୁ। ଏହାର ପରାଭବ ତୁ ଭୋଗିବୁ ନାହିଁ ତ ଆଉ ଭୋଗିବ କିଏ? ଶିବାଜୀ ମୋଗଲ ସାମ୍ରାଜ୍ୟର ଛୋଟଛୋଟ କିଲାକୁ ପ୍ରଥମେ ଜୟ କରି ନିଜ ଅଧୀନକୁ ଆଣିବା ନିହାତି ଜରୁରୀ ଥିଲା। ଏହା ପରିବର୍ତ୍ତେ ବଡ଼ କିଲାରେ ହାତ ମାରି ସେ ଏହାର ପରାଭବ ଭୋଗୁଛି। ସେ ଖୁବ୍‌ ସାହସୀ, ହେଲେ କ’ଣ ହେବ? ଏଭଳି ଅପରିଣାମଦର୍ଶୀ କର୍ମର ଫଳ ତ ସିଏ ଭୋଗୁଛି।
ଶିବାଜୀ ନିଜ ଭୁଲ ବୁଝିପାରିଲେ ଓ ମହିଳାଙ୍କ କଥାକୁ ଗୁରୁତ୍ବ ଦେଇ ରଣନୀତିରେ ପରିବର୍ତ୍ତନ ଆଣିଥିଲେ। ବୃଦ୍ଧାଙ୍କୁ ଧନ୍ୟବାଦ ଦେଇ ସେଠାରୁ ଶିବାଜୀ ଆସିଥିଲେ। ଦ୍ବିତୀୟଥର ରଣନୀତି ପ୍ରସ୍ତୁତ କରିଥିଲେ। ଛୋଟଛୋଟ କିଲା ଜୟ କରି ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ପରେ ବଡ଼ ଦୁର୍ଗ ଜୟ କରିବାକୁ ମନ ବଳାଇଥିଲେ। ଓ ସଫଳ ମଧ୍ୟ ହୋଇଥି​‌େ​‌ଲ।
ଜୀବନ ସଂଗ୍ରାମରେ ଏହି ନୀତି ପ୍ରୟୋଗ ଆବଶ୍ୟକ। ଯିଏ ଛୋଟକୁ ବାସ୍ତବ ଲକ୍ଷ୍ୟ କରି ଏହି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହୁଏ, ସେ ଜୟଲାଭ କରିଥାଏ ଓ ଅନ୍ତତଃ ପରବର୍ତ୍ତୀ ସମୟରେ ଜୀବନରେ ବଡ଼ ଉଦ୍ଦେଶ୍ୟ ସିଦ୍ଧିରେ ସଫଳ ହୋଇଥାଏ। ହଠାତ ବୃହତ୍ତର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଲେ ଏହା ଉପଯୁକ୍ତ ପ୍ରୟୋଗାତ୍ମକ ନୀତି ଅଭାବରୁ ଅସଫଳ ହୋଇଥାଏ ଅଧିକାଂଶ ସମୟରେ ସୀମିତ ତଥା କ୍ଷୁଦ୍ର ପରିସର ନିଜ ସଫଳତା ପ୍ରତିପାଦିତ ହେଲେ ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ। ଏହା ପରବର୍ତ୍ତୀ ସମୟରେ ବଡ଼ ଲକ୍ଷ୍ୟ ସିଦ୍ଧିରେ ବିଶେଷ ସହାୟକ ହୋଇଥାଏ।

Comments
Loading...