କେବଳ ମାଆ ପାଇଁ

0

ପ୍ରସିଦ୍ଧ ବିଦ୍ବାନ ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ଦରବାରରେ ମହାମନ୍ତ୍ରୀ ଥିଲେ। ବିଚକ୍ଷଣ ଧୀଶକ୍ତିସଂପନ୍ନ ଚାଣକ୍ୟ କୂଟନୀତି ବିଶାରଦ ଥିଲେ। ନନ୍ଦବଂଶ ଧ୍ବଂସ କରି ଗୁପ୍ତ ସାମ୍ରାଜ୍ୟ ପ୍ରତିଷ୍ଠା ଦିଗରେ ଚାଣକ୍ୟଙ୍କ ଭୂମିକା ଥିଲା ମହତ୍ତ୍ବପୂର୍ଣ୍ଣ। ଚାଣକ୍ୟଙ୍କ ବାଲ୍ୟାବସ୍ଥାର ଏହି ଘଟଣା। ଚାଣକ୍ୟ ମାଆଙ୍କୁ ଅତି ଭଲ ପାଉଥିଲେ। ମାଆଙ୍କର ଆଜ୍ଞାବହ ଭାବରେ ତାଙ୍କର କୌଣସି କଥାକୁ ଅବମାନନା କରୁ ନଥିଲେ। ମା’ ମଧ୍ୟ ସେହିଭଳି ଚାଣକ୍ୟଙ୍କୁ ଭଲ ପାଉଥିଲେ।
ଦିନେ ଚାଣକ୍ୟଙ୍କ ଅନୁପସ୍ଥିତିରେ ଜଣେ ଜ୍ୟୋତିଷ ତାଙ୍କ ଘରକୁ ଆସିଥିଲେ। କୌତୂହଳବଶତଃ ଚାଣକ୍ୟଙ୍କ ମା’ ତାଙ୍କୁ ପୁଅର ଜନ୍ମ କୁଣ୍ଡଳୀ ଦେଖାଇଥିଲେ। ଜ୍ୟୋତିଷ କୁଣ୍ଡଳୀ ଭଲ ଭାବରେ ନିରୀକ୍ଷଣ କରି ଅତି ଖୁସି ହୋଇ କହିଥିଲେ- ‘ମାଆ! ତୁମର ପୁଅ ଅତି ଭାଗ୍ୟବାନ। ସେ ବଡ଼ ହେଲେ ବହୁତ ନାଁ କରିବ। ଦିନେ ଚକ୍ରବର୍ତ୍ତୀ ସମ୍ରାଟ ହେବ। ଲୋକେ ସବୁଦିନ ପାଇଁ ତା’ର ନାଁ ମନେ ରଖିଥିବେ। ଏଭଳି ଭାଗ୍ୟବାନ ପୁତ୍ର କେବେକେବେ ଭୂମିଷ୍ଠ ହୋଇଥାନ୍ତି। ଯଦି ମୋ କଥାକୁ ବିଶ୍ବାସ କରୁନାହାନ୍ତି, ତା’ହେଲେ ତା’ର ସମ୍ମୁଖ ଭାଗର ଗୋଟିଏ ଦାନ୍ତରେ ନାଗ ଚିହ୍ନ ଥିବା ଦେଖିପାରିବେ। ଏହା ତ ସୌଭାଗ୍ୟର ପ୍ରତୀକ।’
ଜ୍ୟୋତିଷ ଏହା କହି ଚାଲିଯାଇଥିଲେ, ହେଲେ ମାଆଙ୍କ ମଥା ଉପରେ ଛାଡ଼ି ଯାଇଥିଲେ ଚିନ୍ତାର ଦୁର୍ବିସହ ବୋଝ। ଏହାର ସତ୍ୟତା ଜାଣିବାପାଇଁ ଚାଣକ୍ୟ ଫେରିବାପରେ ମାଆ ତାଙ୍କର ଦାନ୍ତ ଦେଖି ଜ୍ୟୋତିଷଙ୍କ କଥା ସତ୍ୟ ବୋଲି ଜାଣିପାରିଥିଲେ।
ପୁଅର ଉଜ୍ବଳ ଭବିଷ୍ୟତ ସମ୍ପର୍କରେ ଜାଣିବା ପରେ ପ୍ରତ୍ୟେକ ମାଆ ଆନନ୍ଦରେ ଅଧିର ହେବାକଥା। ହେଲେ ଚାଣକ୍ୟଙ୍କ ମାଆ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଏଇଥିପାଇଁ ଯେ ତାଙ୍କର ମନକୁ ଆସିଥିଲା ଯଦି ପୁଅ ସତକୁ ସତ ଚକ୍ରବର୍ତ୍ତୀ ସମ୍ରାଟ ହେବ ତେବେ ତାଙ୍କୁ ଭୁଲିଯିବ। ଏହା ତାଙ୍କ ପାଇଁ ଅଭିଶାପ ହୋଇଯିବ। ଏହି କାରଣରୁ ସେ ସଦାସର୍ବଦା ଚିନ୍ତିତ ରହିଲେ। ଭବିଷ୍ୟତରେ ହେବାକୁ ଥିବା ଘଟଣା ଏଡ଼ାଇବା ତାଙ୍କ କର୍ତ୍ତୃତ୍ବର ବାହାରେ ଥିଲା। ଚିନ୍ତାରେ ବୁଡ଼ି ରହି ପ୍ରତିମୁହୂର୍ତ୍ତରେ ଜଳୁଥିଲେ ମାଆ।
ଭବିଷ୍ୟତରେ ବିଚକ୍ଷଣ କୂଟନୀତିଜ୍ଞ ହେବାର ସକଳ ସମ୍ଭାବନା ଥିବା ପୁଅକୁ ଏ କଥା ଅଛପା ରହିନଥିଲା। ମାଆଙ୍କର ସର୍ବଦା ଚିନ୍ତାଚ୍ଛନ୍ନ ମୁଖମଣ୍ଡଳ ଦେଖି ଥରେ ଏହାର କାରଣ ପଚାରିଥିଲେ। ମାଆ କିନ୍ତୁ ଏହାକୁ ଏଡ଼ାଇ ଯାଇଥିଲେ। ଶେଷରେ ଦିନେ ଜିଦି କରିଥିଲେ ଏହାର ପ୍ରକୃତ କାରଣ କହିବା ପାଇଁ। ସେଦିନ ପୁଅର ଜିଦ୍‌ ଆଗରେ ମାଆ ନତିସ୍ବୀକାର କରିଥିଲେ। ଅନନ୍ୟୋପାୟ ହୋଇ ଅସଲ କଥା କହିଦେଇଥିଲେ। ମାଆଙ୍କଠାରୁ ଏହା ଶୁଣିବା ପରେ ହସିହସି କହିଥିଲେ- ‘ମାଆ!ଏଇ ଛାର କଥାକୁ ଗୁରୁତ୍ବ ଦେଇ ତୁମେ ଏତେ ବିଷଣ୍ଣ ରହୁଛ। କାଳବିଳମ୍ବ ନକରି ସେହି ଦାନ୍ତକୁ ପଥରରେ ଭାଙ୍ଗି ଦେଇଥିଲେ। ସେହି ଭଙ୍ଗା ଦାନ୍ତକୁ ମାଆଙ୍କ ସମ୍ମୁଖରେ ରଖି କହିଥିଲେ- ‘ମାଆ! ତୁମ ସମ୍ମୁଖରେ ଗୋଟିଏ ନୁହେଁ, ଅନେକ ସମ୍ରାଟ ପଦ ମୋ ପାଇଁ ତୁଚ୍ଛ। ତୁମେ ହିଁ ମୋ ପାଇଁ ସବୁଠାରୁ ଶ୍ରେଷ୍ଠ। ତୁମର ସ୍ଥାନ ସର୍ବାଗ୍ରେ।’

Comments
Loading...