କାରା ସଂସ୍କାର

0

ଆମ ଦେଶରେ କାରାଗାର ସଂସ୍କାର ଦିଗରେ ସର୍ବୋଚ୍ଚ ନ୍ୟାୟାଳୟ ବାରମ୍ବାର ଗୁରୁତ୍ବ ଦେଇଆସୁଥିଲେ ହେଁ ତାହା ଫଳପ୍ରଦ ହୋଇପାରୁନାହିଁ। ଏବେ ପୁଣିଥରେ ନ୍ୟାୟାଳୟ ଏହି ଦିଗ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ନ୍ୟାୟାଳୟ କାରାଗାରରେ କଏଦୀଙ୍କ କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟା, ବିଶେଷକରି ମହିଳାଙ୍କ ସଂଖ୍ୟା ଓ କାରାଗାର ସମ୍ପର୍କିତ ସମସ୍ୟା ଉପରେ ବିଚାର କରି ସଂସ୍କାର ପାଇଁ ପରାମର୍ଶ ଦେବାକୁ ଏକ କମିଟି ଗଠନ କରିବାକୁ କହିଛନ୍ତି। ଏହି କମିଟିର ମୁଖ୍ୟ ଜଣେ ସର୍ବୋଚ୍ଚ ନ୍ୟାୟାଳୟର ଜଣେ ସେବାନିବୃତ୍ତ ବିଚାରପତି ହେବେ। ଏଥିରେ ଭାରତ ସରକାରଙ୍କ ଦୁଇ ବା ତିନି ଅଧିକାରୀ ସଦସ୍ୟ ରହିବେ।
କାରା ସଂସ୍କାର କ୍ଷେତ୍ରରେ ନ୍ୟାୟାଳୟ ପୂର୍ବରୁ ଯେଉଁ ନିର୍ଦେଶଗୁଡ଼ିକ ଦେଇଛନ୍ତି, ତାହାକୁ ଠିକଭାବେ ପାଳନ କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରକୃତରେ ଏଥିପାଇଁ ଯେତିକି ଅର୍ଥ ଅନୁଦାନ ଆକାରରେ ଦିଆଯାଇଛି, ତାହା ମଧ୍ୟ ଉଚିତ ଭାବରେ ଖର୍ଚ କରାଯାଇନାହିଁ। ନ୍ୟାୟାଳୟଙ୍କ ନିର୍ଦେଶ ସତ୍ତ୍ବେ ବହୁ ରାଜ୍ୟରେ ଏ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇନାହିଁ, ଯିଏ ନିୟମିତ ରୂପେ କାରାଗାରର ନିରୀକ୍ଷଣ ଓ ତଦାରଖ କରିବା ସହିତ ସେଠାରେ ନିୟମକାନୁନ ପାଳନକୁ ସୁନିଶ୍ଚିତ କରିବେ। ଅଦାଲତର ଏତେ ସକ୍ରିୟତା ସତ୍ତ୍ବେ ଏ କ୍ଷେତ୍ରରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଉଦାସୀନତା ପ୍ରକାଶ କରିବା ଘୋର ପରିତାପର ବିଷୟ।
ସୂଚନାଯୋଗ୍ୟ, ଗତ ମାର୍ଚରେ ଅଦାଲତ ଦ୍ବାରା ନିଯୁକ୍ତ ଆମିକସ୍ କ୍ୟୁରି ଜଣାଇଥିଲେ ଯେ ଦେଶର ୧୩୮୨ଟି କାରାଗାରରେ ବନ୍ଦୀମାନେ ଅତି ଅମାନବୀୟ ସ୍ଥିତିରେ ରହିବାକୁ ବାଧ୍ୟ ହେଉଛନ୍ତି; କାରଣ ସେଗୁଡ଼ିକରେ ଯେତିକି କଏଦୀ ରହିବାର ବ୍ୟବସ୍ଥା ରହିଛି, ତା’ଠାରୁ ୧୫୦ରୁ ୬୦୯ ଶତାଂଶ ପର୍ଯ୍ୟନ୍ତ ଅଧିକ କଏଦୀଙ୍କୁ ରଖାଯାଇଛି। ନ୍ୟାୟାଳୟ ଏହା ଜାଣିବା ପରେ ରାଜ୍ୟ ସରକାରମାନଙ୍କୁ ‘ସେମାନଙ୍କର ଅଙ୍ଗୀକାରବଦ୍ଧତାର ଅଭାବ ଯୋଗୁଁ ଏପରି ସ୍ଥିତି ଉପୁଜିଛି’ ବୋଲି କଡ଼ାଭାଷାରେ ସମାଲୋଚନା କରିଥିଲେ। ନ୍ୟାୟାଳୟ କହିଥିଲେ ଯେ ବନ୍ଦୀମାନଙ୍କର ମଧ୍ୟ ମାନବିକ ଅଧିକାର ରହିଛି ଓ ସେମାନଙ୍କୁ ପଶୁଙ୍କ ପରି କାରାଗାରରେ ରଖାଯାଇପାରିବ ନାହିଁ। ଏଥିପାଇଁ ‘ଅଣ୍ଡର୍‌ ଟ୍ରାଏଲ୍ ରିଭ୍ୟୁ କମିଟି’(ୟୁଟିଆର୍‌ସି)ଗୁଡ଼ିକ ମଧ୍ୟ ନିଜ ଦାୟିତ୍ବକୁ ଠିକ୍‌ଭାବେ ତୁଲାଉନଥିବା ପ୍ରକାଶ କରିଥିଲେ।
କାରାଗାର ଏକ ସୁଧାର ଗୃହ ଭଳି ହେବା ଆବଶ୍ୟକ; କିନ୍ତୁ ବାସ୍ତବରେ ଏହାର ଓଲଟା ସ୍ଥିତି ରହିଛି। ବର୍ତ୍ତମାନ କାରାଗାରଗୁଡ଼ିକ ଏକ ପ୍ରକାର ଅପରାଧୀଙ୍କ ଆଡ୍ଡା ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ସେଗୁଡ଼ିକରେ ନିତି ଗୋଷ୍ଠୀସଂଘର୍ଷ, ହତ୍ୟା ଭଳି ଘଟନା ଘଟୁଥିବାବେଳେ ବଡ଼ବଡ଼ ଅପରାଧୀମାନେ କାରାଗାର ଭିତରୁ ହିଁ ବାହାର ଅପରାଧକୁ ନିୟନ୍ତ୍ରଣ କରୁଛନ୍ତି। ମଝିମଝିରେ ଚଢ଼ଉବେଳେ ସେମାନଙ୍କ ପାଖରୁ ବିପୁଳ ପରିମାଣର ମୋବାଇଲ ଫୋନ୍, ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ମିଳୁଛି। କାରାଗାର କର୍ମଚାରୀଙ୍କ ବିନା ସହାୟତାରେ ଏହା ଆଦୌ ସମ୍ଭବ ନୁହେଁ। ଏଥିରୁ କାରାଗାରର ସୁରକ୍ଷା ଓ ନିୟମକାନୁନ କାର୍ଯ୍ୟକାରିତା କେତେ କୋହଳ, ତାହା ସହଜେ ଅନୁମେୟ। ଅନ୍ୟପକ୍ଷରେ, କାରାଗାରଗୁଡ଼ିକରେ କ୍ରମବର୍ଦ୍ଧିଷ୍ଣୁ କଏଦୀଙ୍କ ସଂଖ୍ୟା ଗୁରୁତର ଅବସ୍ଥା ସୃଷ୍ଟି କଲାଣି। ଏହାର ଦୁଇ-ତୃତୀୟାଂଶ ହେଲେ ବିଚାରାଧୀନ କଏଦୀ, ଯେଉଁମାନେ ମୋକଦ୍ଦମାର ଶୁଣାଣିବେଳେ ଦୋଷସିଦ୍ଧି ବା ଦୋଷମୁକ୍ତି ପର୍ଯ୍ୟନ୍ତ କାରାଗାରରେ ରହିବାକୁ ବାଧ୍ୟ। ଏହାର ମୁଖ୍ୟ କାରଣ ଆମର ସୁଦୀର୍ଘ ଓ ଜଟିଳ ଆଇନ ପ୍ରକ୍ରିୟା ଓ ପ୍ରତ୍ୟହ ବଢ଼ିଚାଲିଥିବା ମାମଲା ସଂଖ୍ୟା। ଶୀଘ୍ର ଶୁଣାଣି ହୋଇପାରୁନଥିବାରୁ ଅନେକ ସମୟରେ କଏଦୀମାନଙ୍କୁ ଦଣ୍ଡାଦେଶ ଅବଧିରୁ ଅଧିକ ସମୟ ମଧ୍ୟ କାରାଗାରରେ ବିତାଇବାକୁ ପଡ଼ୁଛି। ଅନେକ ଛୋଟକାଟର ଅପରାଧ କରିଥିଲେ ହେଁ ସେମାନଙ୍କୁ ମଧ୍ୟ ବର୍ଷବର୍ଷ ଧରି ଅମାନବୀୟ ସ୍ଥିତିରେ ରଖାଯାଉଛି।
ମହାତ୍ମା ଗାନ୍ଧୀଙ୍କ ଦେଢ଼ଶହତମ ଜୟନ୍ତୀ ପାଳନ ଅବସରରେ ଦଣ୍ଡର ଅଧା ଅବଧି ପୂରଣ କରିଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ବନ୍ଦୀ ଓ ୫୫ ବର୍ଷରୁ ଊର୍ଦ୍ଧ୍ବ ମହିଳା ବନ୍ଦୀମାନଙ୍କୁ କାରାଗାରମୁକ୍ତ କରାଯିବାକୁ ଏବେ କେନ୍ଦ୍ର ସରକାର ଘୋଷଣା କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଅନ୍ତତଃ, ଏହାକୁ ସବୁ ରାଜ୍ୟ ଠିକ୍‌ଭାବେ କାର୍ଯ୍ୟକାରୀ କରିପାରିଲେ କାରାଗାରଗୁଡ଼ିକର ବୋଝ କିଛିଟା କମିବ। ରାଜ୍ୟ ସରକାରଗୁଡ଼ିକ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ କାରାଗାର ସଂସ୍କାର ପାଇଁ ନିଜର କାର୍ଯ୍ୟ ଯୋଜନା (ଆକ୍ସନ ପ୍ଲାନ) ପ୍ରସ୍ତୁତ କରିବା ଆବଶ୍ୟକ।

Comments
Loading...