ବିଶ୍ୱ ବକ୍ସିଂ ଚମ୍ପିଆନ୍‌ସିପ୍‌: ଅମିତଙ୍କୁ ରୌପ୍ୟ

ଏକାତେରିନ୍‌ବର୍ଗ: ଏକାତେରିନ୍‌ବର୍ଗରେ ଚାଲିିଥିବା ବିଶ୍ବ ବକ୍ସିଂ ଚମ୍ପିଆନ୍‌ସିପ୍‌ରେ ଯୁବ ଭାରତୀୟ ବକ୍ସରଙ୍କ ପ୍ରଭାବଶାଳୀ ଯାତ୍ରା ରୌପ୍ୟପଦକ ସହ ଶେଷହୋଇଛି। ଶନିବାର ହୋଇଥିବା ପୁରୁଷ ୫୨ ବର୍ଗର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଅମିତ ପାଙ୍ଘାଲଙ୍କୁ ଅଲିମ୍ପିକ୍ ଚମ୍ପିଆନ୍ ଉଜ୍‌ବେକିସ୍ତାନର ସାଖୋବିଦିନ୍ ଜୋଇରୋଭ୍‌ ୫-୦ ନିଷ୍ପତ୍ତିରେ ପରାସ୍ତ କରିଛନ୍ତି। ଅମିତ ପାଙ୍ଘାଲ ଫାଇନାଲରେ ପରାସ୍ତ ହୋଇଥିଲେ ହେଁ ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ପ୍ରଥମ ଭାରତୀୟ ମୁଷ୍ଟିଯୋଦ୍ଧା ଭାବେ ୨ୟ ସିଡ୍‌ ଅମିତ ବିଶ୍ବ ବକ୍ସିଂ ଚମ୍ପିଆନ୍‌ସିପ୍‌ରେ ରୌପ୍ୟପଦକ ଜିତିଛନ୍ତି। ପୂର୍ବରୁ କୌଣସି ଭାରତୀୟ ବିଶ୍ବ ବକ୍ସିଂ ଚମ୍ପିଆନ୍‌ସିପ୍‌ର ଫାଇନାଲରେ ପ୍ରବେଶ କରି ପାରିନଥିଲେ।

ଏହି ଚମ୍ପିଆନ୍‌ସିପ୍‌ରେ ଭାଗ ନେଇଥିବା ପୂର୍ବରୁ ଭାରତର ବିଜେନ୍ଦ୍ର ସିଂହ (୨୦୦୯), ବିକାଶ କୃଷ୍ଣନ୍ (୨୦୧୧), ଶିବ ଥାପ୍ପା (୨୦୧୫) ଓ ଗୌରବ ବିଧୁରୀ (୨୦୧୭)ବିଶ୍ବ ବକ୍ସିଂ ଚମ୍ପିଆନ୍‌ସିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ମୋଟ ୭୮ଟି ଦେଶଙ୍କ ମଧ୍ୟରୁ ୯ମ ଦେଶ ଭାବେ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଥିଲେ। ପୁଣି ପ୍ରଥମଥର ପାଇଁ ଭାରତ ଏକ ବିଶ୍ବ ବକ୍ସିଂ ଚମ୍ପିଆନ୍‌ସିପ୍‌ରେ ୨ଟି ପଦକ ଜିତିପାରିଛି। ଅମିତା ପାଙ୍ଘାଲଙ୍କ ରୌପ୍ୟ ପୂର୍ବରୁ ଭାରତର ମନୀଷ କୌଶିକ (୬୩ କେଜି) ବ୍ରୋଞ୍ଜ୍ ପଦକ ଜିତି ପାରିଥିଲେ। ୨୦୧୭ ଏସୀୟ ବକ୍ସିଂ ଚମ୍ପିଆନ୍‌ସିପ୍‌ରେ ଆନ୍ତର୍ଜାତିକ ପଦାର୍ପଣ କରିବା ପରଠାରୁ ଅମିତ ଆନ୍ତର୍ଜାତିକ ସ୍ତରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ହରିୟାଣାର ରୋହ୍‌ତକ ବାସିନ୍ଦା ଅମିତ ପାଙ୍ଘାଲ ୨ୟ ସିଡ୍ ଥିବା ବେଳେ ଫାଇନାଲରେ ତାଙ୍କ ପ୍ରତିପକ୍ଷ ଉଜ୍‌ବେକିସ୍ତାନର ସାଖୋବିଦିନ୍ ଜୋଇରୋଭ୍‌ ଅଣସିଡେଡ୍ ଥିଲେ। ତେବେ ଜୋଇରୋଭ୍‌ ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହେବା ସତ୍ତ୍ବେ ଏସୀୟ କ୍ରୀଡ଼ା ଓ ଏସୀୟ ଚମ୍ପିଆନ୍‌ସିପ୍‌ରେ ରୌପ୍ୟପଦକ ଜିତିଥିଲେ।

Comments are closed.