ମମତାଙ୍କ ଅଭିଯୋଗ; ମୋଦୀଙ୍କ ବିଜୟ ପଛରେ ଅଛି ବିଦେଶୀ ଶକ୍ତିର ହାତ

କଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣ ମୂଳ କଂଗ୍ରେସ (ଟିଏମ୍‍ସି) ଅଧ୍ୟକ୍ଷା ମମତା ବାନାର୍ଜୀ ସପ୍ତଦଶ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ପଛରେ ବିଦେଶୀ ଶକ୍ତିର ହାତ ଥିବା ଅଭିଯୋଗ କରିଛନ୍ତି।
ଲୋକସଭା ନିର୍ବାଚନରେ ଟିଏମସିର ଆସନ କମିବାକୁ ନେଇ ମମତା ରବିବାର କଲକତାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ଅଭିଯୋଗ କରିଛନ୍ତି। ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ବିଜେପି ଇଭିଏମରେ ଗଡ଼ବଡ଼ କରି ଲୋକସଭା ନିର୍ବାଚନ ଜିତିଛି। ଇଭିଏମରେ ବିଜେପି ପକ୍ଷରେ ପ୍ରୋଗ୍ରାମ କରାଯାଇଛି। ନିର୍ବାଚନ ଜିତିବା ପାଇଁ ବିଜେପି ଲୋକଙ୍କୁ ଧୋକ୍କା ଦେଇଛି। ମୋଦୀଙ୍କ ଏହି ବିଜୟରେ ଅନ୍ୟ ଦେଶର ହାତ ରହିଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭୋଟ କିଣାଯାଇଛି। ସୀମା ସୁରକ୍ଷା ବଳ (ବିଏସ୍‍ଏଫ)ର ଯବାନମାନେ ଲୋକଙ୍କୁ ବଳପୂର୍ବକ ଟେକିନେଇ ମତଦାନ କରିଥିଲେ। ଏହାସହ ଆସାମ ଅର୍ଥ ମନ୍ତ୍ରୀ ତଥା ବିଜେପି ନେତା ହେମନ୍ତ ବିଶ୍ୱ ଶର୍ମା କାହିଁକି ପଶ୍ଚିମବଙ୍ଗରେ ୨ ସପ୍ତାହ ରହିଥିଲେ ବୋଲି ସେ ପ୍ରଶ୍ନ କରିଥିଲେ। ନିର୍ବାଚନ କମିଶନ ଏହି ନିର୍ବାଚନରେ ମ୍ୟାନ ଅଫ ଦି ମ୍ୟାଚ ବୋଲି ସେ କଟାକ୍ଷ କରିଥିଲେ।
ଅପରପକ୍ଷରେ ବିଜେପି ମମତାଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଲୋକସଭା ନିର୍ବାଚନରେ ଟିଏମ୍‍ସିର ଶୋଚନୀୟ ପରାଜୟରେ ମମତା ବାନାର୍ଜୀଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଛି ଓ ସେ ଏପରି ବାଚାଳାମି କରୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।

Comments are closed.