ଦାବି ମାନିନେଲେ ମମତା, ଆନ୍ଦୋଳନ ପ୍ରତ୍ୟାହାର କଲେ ଡାକ୍ତର

କଲକାତା : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁରକ୍ଷାର ପ୍ରତିଶ୍ରୁତି ଦେବା ପରେ ସୋମବାର ପଶ୍ଚିମବଙ୍ଗର ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାରର ଘୋଷଣା କରିଛନ୍ତି। ଡାକ୍ତରମାନେ ମମତାଙ୍କୁ କହିଥିଲେ ଯେ କାର୍ଯ୍ୟ ସମୟରେ ସେମାନେ ଭୟରେ ରହୁଛନ୍ତି। ପ୍ରାୟ ସମୟ ଡାକ୍ତରଙ୍କୁ ମାଡ଼ ଘଟଣା ସାମ୍ନାକୁ ଆସୁଛି। ଏହି ପ୍ରସଙ୍ଗରେ ମମତା ସୁରକ୍ଷାର ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତି ହସ୍ପିଟାଲରେ ପୁଲିସ୍‍ ଅଫିସର ମୁତୟନ କରାଯିବ ବୋଲି ସେ କହିଛନ୍ତି। ଜୁନ ୧୦ରେ କଲକତାର ଏନଆରଏସ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ବିରୋଧ କରି ଡାକ୍ତରମାନେ ଜୁନ ୧୧ରୁ ଆନ୍ଦୋଳନକୁ ଓହ୍ଲାଇଥିଲେ।
ପ୍ରକାଶ ଯେ ଡାକ୍ତରମାନେ ପ୍ରଥମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପାଇଁ ମନା କରିଦେଇଥିଲେ। ରୁଦ୍ଧଦ୍ୱାର କୋଠରୀରେ ସେମାନେ କୌଣସି ଆଲୋଚନା କରିବେ ନାହିଁ ବୋଲି କହିଥିଲେ। କଥାବାର୍ତ୍ତା ଗଣମାଧ୍ୟମ ସାମ୍ନାରେ ହେବ ବୋଲି ମମତା କହିବା ପରେ ଡାକ୍ତରମାନେ ଆଲୋଚନା ପାଇଁ ରାଜି ହୋଇଥିଲେ। ଏହି କ୍ରମରେ ସୋମବାର ଡାକ୍ତରଙ୍କ ଏକ ପ୍ରତିନିଧିମଣ୍ଡଳୀ ମମତାଙ୍କ ସହ ଆଲୋଚନା କରିଥିଲେ। ଡାକ୍ତର ପ୍ରତିନିଧିମଣ୍ଡଳୀ କହିଥିଲେ ଯେ ଏନଆରଏସ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଲୋକଙ୍କୁ କଠୋର ଦଣ୍ଡ ମିଳୁ। ଏହି ପ୍ରସଙ୍ଗରେ ମମତା କହିଥିଲେ ଯେ ଆକ୍ରମଣରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। କୌଣସି ଡାକ୍ତରଙ୍କ ବିରୋଧରେ ପଶ୍ଚିମବଙ୍ଗ ସରକାର ମାମଲା ରୁଜୁ କରିନାହାନ୍ତି। ଏଣିକି ସବୁ ହସ୍ପିଟାଲରେ ଅଭିଯୋଗ ନିରାକରଣ ପ୍ରକୋଷ୍ଠ ଖୋଲିବାକୁ ପ୍ରଚେଷ୍ଠା କରାଯିବ । ପଶ୍ଚିମବଙ୍ଗର ଦୁଇଟି ଆଞ୍ଚଳିକ ଟିଭି ଚ୍ୟାନେଲ ଏହି କଥାବାର୍ତ୍ତାର ସିଧାପ୍ରସାରଣ କରିଥିଲେ ।

ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗ ଡାକ୍ତରମାନେ ସୋମବାର ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଥିଲେ। ଅଖିଳ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ଏହାକୁ ସମର୍ଥନ ଜଣାଇଥିଲା। ଫଳରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଥିଲା। ଚାପରେ ପଶ୍ଚିମବଙ୍ଗ ସରକାର ଡାକ୍ତରଙ୍କ ଦାବି ମାନିନେବାକୁ ବାଧ୍ୟ ହୋଇଛନ୍ତି ।

Comments are closed.