ଲାଞ୍ଚ ନେଲା ବେଳେ ବିଞ୍ଝାରପୁର ଥାନା ଏଏସଆଇଙ୍କୁ ଧରିଲା ଭିଜିଲାନ୍ସ

ଯାଜପୁର : ଯାଜପୁର ଜିଲା ବିଞ୍ଝାରପୁର ଥାନାର ଏଏସଆଇ ଯୁଧିଷ୍ଠିର ମଲ୍ଲିକ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ଚଢାଉ କରି ନଗଦ ଟଙ୍କା ସହ ତାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ବିଞ୍ଝାରପୁର କଣ୍ଟିପୁର ଅଞ୍ଚଳର ପ୍ରଫୁଲ ମଲ୍ଲିକ କୌଣସି ଜମି ଜମା ଗଣ୍ଡଗୋଳ କାରଣରୁ ଉକ୍ତ ଗ୍ରାମର କରୁଣାକର ମଲ୍ଲିକ ଓ ତାଙ୍କ ପରିବାର ବିରୁଦ୍ଧରେ ଗତ ମାସ ୧୮ ତାରିଖରେ ବିଞ୍ଝାରପୁର ଥାନାରେ ଏତଲା ଦେଇଥିଲେ। ପରେ ଉକ୍ତ ଘଟଣାକୁ ନେଇ କରୁଣାକରଙ୍କ ପତ୍ନୀ କାମିନୀ ମଲ୍ଲିକ ପ୍ରଫୁଲ ଓ ତାଙ୍କ ପରିବାର ବିରୁଦ୍ଧରେ ଏତଲା ଦେଇଥିଲେ। ଏହି ମାମଲାରେ ଏଏସଆଇ ଯୁଧିଷ୍ଠିର ମଲ୍ଲିକ କରୁଣାକରଙ୍କ ପରିବାରକୁ ଧମକାଇବା ସହ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ କରୁଣାକରଙ୍କ ଭାଇ ବାଇଧର ମଲ୍ଲିକ ଯାଜପୁର ଭିଜିଲାନ୍ସର ସହାୟତା ନେଇଥିଲେ। ଏହାପରେ ବିଞ୍ଝାରପୁର ପେଟ୍ରୋଲ ପମ୍ପ ନିକଟରେ ଥିବା ତାଙ୍କ ବାସଭବନରେ ଏଏସଆଇଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ସମୟରେ ଯାଜପୁର ଭିଜିଲାନ୍ସ ଡ଼ିଏସପି ବନମାଳୀ ଧଳ ଓ ଇନ୍ସପେକ୍ଟର ଅନୁସୟା ସେନାପତିଙ୍କ ନେତୃତ୍ୱରେ ଚଢାଉ କରି ଏଏସଆଇଙ୍କୁ ଲାଞ୍ଚ ଟଙ୍କା ସହ ଗିରଫ କରିଥିଲେ।

Comments are closed.