ବୁଦ୍ଧିମତୀ ବିଦ୍ୟା

ମୁମ୍ବଇ : ଭଲ କାମ କରୁଥିଲେ, ଏହାର ପୁରସ୍କାର ନିଶ୍ଚୟ ମିଳିବ ବୋଲି ବେଶ୍ ଦୃଢ଼ୋକ୍ତିର ସହ କହିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ୍। ଟେଲିଭିଜନରୁ କ୍ୟାରିୟର ଆରମ୍ଭ କରିଥିବା ବିଦ୍ୟା ବଲିଉଡରେ ଏବେ ଜଣେ ଆଗଧାଡ଼ିର ଅଭିନେତ୍ରୀ। କିଛି ମାସ ତଳେ ସ୍ପଷ୍ଟ ହୋଇଥିଲା ଯେ ସ୍ବର୍ଗୀୟା ଜୟଲଳିତାଙ୍କ ବାୟୋପିକ୍‌ରେ ସେ ଅଭିନୟ କରିବେ। ବିଦ୍ୟା ନିଜେ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ସ୍ବୀକାର କରିଥିଲେ, କିନ୍ତୁ ହଠାତ୍ ଯେମିତି ସବୁକିଛି ଓଲଟପାଲଟ ହୋଇଗଲା। ଏବେ ଜଣାପଡ଼ିଛି ଯେ ବିଦ୍ୟାଙ୍କ ପରିବର୍ତ୍ତେ ଏଥିରେ କଙ୍ଗନା ରଣାୱତ୍ ଅଭିନୟ କରିବେ। ଏ ବାବଦରେ ବିଦ୍ୟାଙ୍କ ଯୁକ୍ତି ହେଲା, କଙ୍ଗନାଙ୍କର ସେ ଜଣେ ବଡ଼ ପ୍ରଶଂସକ। ଏହା ସହ ସେ ନିଶ୍ଚିତ ଯେ କଙ୍ଗନା ଏଇ ଭୂମିକାକୁ ଖୁବ୍ ସୁନ୍ଦର ଭାବେ ଚିତ୍ରାୟିତ କରିବେ। ଆଉ ରହିଲା ତାଙ୍କୁ ବାଦ୍ ଦିଆଯିବା ପ୍ରସଙ୍ଗ, ଏହା ନିର୍ମାତାଙ୍କର ବ୍ୟକ୍ତିଗତ ଇଚ୍ଛା। ଗୋପନୀୟ ସୂତ୍ରରୁ ପ୍ରକାଶ ଯେ ବିଦ୍ୟା ନିଜ ଭୂମିକା ନେଇ ନିର୍ମାତାଙ୍କୁ ବାରମ୍ବାର ପ୍ରଶ୍ନ ପଚାରି ଅଥୟ କରିଦେଲେ। ନିର୍ମାତା ଦେଖିଲେ ସୁଟିଂ ଆରମ୍ଭ ପୂର୍ବରୁ ଯଦି ଏଭଳି ଅବସ୍ଥା, ତେବେ ସୁଟିଂ ପରେ କ’ଣ ନ ହେବ? ସେଇ ଭୟରେ ନିର୍ମାତା ବିଦ୍ୟାଙ୍କୁ ବାଦ୍ ଦେଇ କଙ୍ଗନାଙ୍କୁ ସୁଯୋଗ ଦେଲେ।

Comments are closed.