ଅତି ଭୀଷଣ ବାତ୍ୟାର ରୂପ ନେଲା ‘ବୁଲ୍‍ବୁଲ୍‍’

- ପାରାଦ୍ୱୀପଠାରୁ ୨୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ - ଆଜି ମଧ୍ୟରାତ୍ରରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୁଲ୍‍ବୁଲ୍‍ - ବାତ୍ୟା ବୁଲ୍‍ବୁଲ୍‍ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଳାଗୁଡ଼ିକରେ ବର୍ଷା ଜାରି - ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ - ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପ୍ରଭାବିତ ୯ ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା

ସମାଜ ପୋର୍ଟାଲ ଡେସ୍କ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବୁଲ୍‍ବୁଲ୍‍’ ଅତି ଭୀଷଣ ବାତ୍ୟାର ରୂପ ନେଇଛି। ବାତ୍ୟା ବୁଲ୍‍ବୁଲ୍‍ ସନ୍ଧ୍ୟା ସୁଦ୍ଧା ପାରାଦୀପଠାରୁ ୨୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବାବେଳେ ଏହାର ଗତି ଘଣ୍ଟାପ୍ରତି ୨୧ କିଲୋମିଟର ରହିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ‘ବୁଲ୍‍ବୁଲ୍‍’ ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଆଜି (ନଭେମ୍ବର ୯) ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ଜାରି ରହିଛି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବାତ୍ୟା ବୁଲ୍‍ବୁଲ୍‍ ପାରାଦୀପଠାରୁ ୧୩୫ କିଲୋମିଟର ଦୂରରୁ ଅତିକ୍ରମ କରି ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର କ୍ଷେପୁପାରା ମଧ୍ୟରେ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟର ସମସ୍ତ ବନ୍ଦରଗୁଡ଼ିକରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ଗତ ସନ୍ଧ୍ୟାରେ ସମୁଦ୍ର ମଧ୍ୟରେ ଥିବା ପଶ୍ଚିମବଙ୍ଗର ପ୍ରାୟ ୩୭ଟି ମାଛଧରା ବୋଟ୍‍ ଇତିମଧ୍ୟରେ ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ଜେଟୀରେ ଆସି ପହଞ୍ଚିଛନ୍ତି। ସେଥିରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଜେଟୀ ଓ ଏହାର ଆଖାପାଖ ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ଭାବେ ରଖାଯାଇଛି। ତେବେ ଉପକୂଳବର୍ତ୍ତୀ ଅଞ୍ଚଳରେ ବୁଲ୍‍ବୁଲ୍‍’ ପ୍ରଭାବରେ ଗତ କାଲି ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହୁଥିବାବଳେ ଆଜି ଏହାର ବେଗ ବୃଦ୍ଧି ପାଇଁ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗତ କାଲି ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ୍‍ ସଚିବଙ୍କ ସହ ଭିଡ଼ିଓ କନ୍‍ଫରେନ୍ସିଂରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା ମୁକାବିଲା ନେଇ ଆଲୋଚନା ହୋଇଛି। କେନ୍ଦ୍ର କ୍ୟାବିନେଟ୍‍ ସଚିବ ବାତ୍ୟା ‘ବୁଲ୍‍ବୁଲ୍‍’ର ସମୀକ୍ଷା କରିଥିବା ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ତେବେ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ କୁମାର ଜେନା ସମ୍ଭାବ୍ୟ ବାତ୍ୟା ସ୍ଥିତି ଓ ଏହାର ମୁକାବିଲା ପାଇଁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଏକ ଭିଡ଼ିଓ ବାର୍ତ୍ତା ଆଜି ଗଣମାଧ୍ୟମକୁ ଜାରି କରି କହିଛନ୍ତି:

ରାଜ୍ୟର ୯ଟି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସଜାଗ ରହିବା ପାଇଁ ଜିଲ୍ଲାପାଳ, ପୁଲିସ, ଅଗ୍ନିଶମ, ଓଡ୍ରାଫ ଏବଂ ସ୍ଥାନୀୟ ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ପ୍ରବଳ ପବନ ଓ ବର୍ଷାକୁ ଦୃଷ୍ଟିରେ ରଖି ଆଜି ପାଇଁ ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଆଦି ୯ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ତେବେ ପୁରୀ ଜିଲ୍ଲାରେ ବାତ୍ୟା ହେବା ନେଇ କୌଣସି ସ୍ପଷ୍ଟ ସୂଚନା ନ ଥିଲେ ମଧ୍ୟ ପ୍ରଶାସନ ଏହାର ମୁକାବିଲା କରିବାକୁ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ଅଛି ବୋଲି ଜିଲ୍ଲାପାଳ ବଲୱନ୍ତ୍‍ ସିଂହ କହିଛନ୍ତି। ଏଥିପାଇଁ ପୁରୀ ଜିଲ୍ଲାର ୧୧ଟି ବ୍ଲକରେ କଣ୍ଟ୍ରୋଲ୍‍ ରୁମ୍‍ ଖୋଲାଯାଇଛି ତଥା ପୁରୀ ସମୁଦ୍ରକୂଳରୁ ପ୍ରାୟ ୫୦୦ ଉଠା ଦୋକାନୀଙ୍କୁ ସ୍ଥାନାନ୍ତର କରାଯାଇଛି। ଘୂର୍ଣ୍ଣିଝଡ଼ର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଝଡ଼ିବର୍ଷା ଲାଗିରହିଛି। ଏ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି।

ଏହାର ପ୍ରଭାବରେ ଜଗତ୍‍ସିଂହପୁର ଜିଲ୍ଲାରେ ମଧ୍ୟ ବର୍ଷା ଲାଗି ରହିଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦୀପଠାରେ ବାତ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ କହିଛନ୍ତି। ଭଦ୍ରକ ଜିଲ୍ଲାରେ ମଧ୍ୟ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ‘ବୁଲ୍‍ବୁଲ୍‍’ର ପ୍ରଭାବ ବିଶେଷକରି କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଉପରେ ଅଧିକ ପଡ଼ିବାର ସମ୍ଭାବନା ଥିବାରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ଅନେକ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ବଳରାମଗଡ଼ି ଓ ବାହାବଳପୁର ଆଦି ମାଛଧରା ଜେଟିରେ ଡାକବାଜି ଯନ୍ତ୍ର ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି। ବାତ୍ୟା ପ୍ରଭାବରେ କଚ୍ଚାଘର, ଆଜ୍‍ବେଷ୍ଟସ୍‍ ଘର, ଦୁର୍ବଳ ନଦୀବନ୍ଧ, ବିଦ୍ୟୁତ୍‍ ବଣ୍ଟନ ବ୍ୟବସ୍ଥା, ଟେଲି ଯୋଗାଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଏହାର ପୁନଃସ୍ଥାପନ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ଅସିତ୍‍ କୁମାର ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.