ପ୍ରଣାମ ! ଦାସେ ଆପଣେ

ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ସମାନ୍ତରାଳ ଭାବେ ଚାଲିଥିଲା ଆଉ ଏକ ସଂଗ୍ରାମ। ତାହାହେଲା ଓଡ଼ିଶାରେ ଗଡ଼ଜାତ ରାଜାମାନଙ୍କର ଅତ୍ୟାଚାର ବିରୁଦ୍ଧରେ ଲଢ଼ାଇ। କେତୋଟି ଗଡ଼ଜାତର ରାଜାମାନେ ନିରୀହ ପ୍ରଜାମାନଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ। ରାଜାମାନଙ୍କ ଅହଙ୍କାର ଓ ଖିଆଲର ଶିକାର ହେଉଥିବା ଏହି ପ୍ରଜାମାନେ ଅନେକ ହୁକୁମକୁ ମାନିନେବା ସତ୍ତ୍ୱେ, ସେସବୁର ଅନ୍ତ ଘଟୁ ନଥିଲା। ଢେଙ୍କାନାଳ ଓ କନିକା ରାଜାଙ୍କର ଅତ୍ୟାଚାର ଏପରି ଲୋମହର୍ଷଣକାରୀ ଯେ ଶୁଣିବା ଲୋକ ମଧ୍ୟ ନିର୍ଯାତନାର ବର୍ଣ୍ଣନା ଶୁଣି ଭୟରେ ଶିହରି ଉଠୁଥିଲେ। ମହାତ୍ମା ଗାନ୍ଧୀଙ୍କର ସତ୍ୟାଗ୍ରହ ସବୁପ୍ରକାରର ଅବିଚାର ପାଇଁ ମହୌଷଧି ଥିଲା ସତ; କିନ୍ତୁ ତା’ର ନେତୃତ୍ୱ ନେବା ପାଇଁ ବ୍ୟକ୍ତିତ୍ୱର ଅଭାବ ଥିଲା। ନିଷ୍ଠୁର ରାଜା ଓ ରାଜକର୍ମଚାରୀ, ଲାଭଖୋର ବ୍ୟବସାୟୀ ଓ ଶିଳ୍ପପତି ତଥା ରାଜାଙ୍କର ଦଲାଲ ସାଜିଥିବା ଜମିଦାରମାନଙ୍କ ସମ୍ମୁଖରେ ତୁଣ୍ଡ ଫିଟାଇବାର ଜୁ ନଥିଲା ସାଧାରଣ ମଣିଷମାନଙ୍କର।
କନିକା ରାଜା ଥିଲେ ସେହିପରି ଜଣେ ନିର୍ଦୟ ପ୍ରଜାମାରକ ଅତ୍ୟାଚାରୀ ରାଜା। ତାଙ୍କ ରାଜତ୍ୱରେ ପ୍ରଜାଙ୍କ ଉପରେ କର ନାମରେ ଶୋଷଣ ସର୍ବଶେଷ ସ୍ତରରେ ପହଞ୍ଚିଥିଲା। ବିଭିନ୍ନ ପ୍ରକାରର ଅନ୍ୟାୟ କର ପ୍ରଜାଙ୍କ ଉପରେ ଲଦି, ଅନାଦାୟରେ ସେ ଲୋକ ପଠାଇ ସ୍ତ୍ରୀଲୋକମାନଙ୍କ ଶରୀରରୁ ଛଡ଼ାଇ ନେଉଥିଲେ ଗହଣା, ଘରୁ ଟଙ୍କା ପଇସା ଲୁଟ କରିନେଇ ପୋଡ଼ି ଦେଉଥିଲେ ଘରଦ୍ୱାର। ଏସବୁରେ ଭୟଭୀତ ହୋଇ ପୁରୁଷମାନେ ଘର ଛାଡ଼ି ଚାନ୍ଦବାଲି, ଆଳି, କାୟେମା ଅଞ୍ଚଳରେ ଆତ୍ମଗୋପନ କରୁଥିଲେ। ସ୍ତ୍ରୀଲୋକମାନେ ଘରୁ ଚାଲିଯାଇ ନଈ ପୋଖରୀରେ ପାଣି ଭିତରେ ଲୁଚି ରହୁଥିଲେ। ଏସବୁର ଖବର ଯେଉଁ ଦୁଃସାହସୀ ମଣିଷ ଖବରକାଗଜରେ ପ୍ରକାଶ କରିପାରୁଥିଲେ, ସେ ହେଲେ ଓଡ଼ିଶାରେ ସତ୍ୟାଗ୍ରହର ପ୍ରବର୍ତ୍ତକ ସତ୍ୟନିଷ୍ଠ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ‘ସମାଜ’ ସମ୍ବାଦପତ୍ରରେ ସେ ନିୟମିତ ଭାବେ ପ୍ରକାଶ କରୁଥିଲେ ଏହି ଅତ୍ୟାଚାରର ଧାରା ବିବରଣୀ।
କନିକା ରାଜାଙ୍କ ଅତ୍ୟାଚାର କାହାରି ଅଗୋଚରରେ ନୁହେଁ, ବରଂ ସମସ୍ତଙ୍କୁ ଅବଗତ କରାଇ ଘଟୁଥିଲା। ଠିକ୍‌ ଆଜିର ମାଓବାଦୀ କାଣ୍ଡ ଭଳି। କେଉଁଠାରେ କାହା ଘର ଲୁଟ ହେବ, ତାହା ରାଜାଙ୍କ ଦୂତମାନେ ପ୍ରାଚୀରପତ୍ର ମାରି ଲୋକଙ୍କୁ ଜଣାଇ ଦେଉଥିଲେ ଓ ନିର୍ଦିଷ୍ଟ ଦିନ ସେଠାରେ ପହଞ୍ଚି ଲୁଟତରାଜ କରୁଥିଲେ। ଏହି କାର୍ଯ୍ୟରେ ଇଂରେଜ ଶାସକଙ୍କ ଦଲାଲ ସାଜିଥିବା ଜଣେ ଉଚ୍ଚପଦସ୍ଥ ପୁଲିସ ଅଫିସର ଶ୍ରୀକୃଷ୍ଣ ମହାପାତ୍ର ସହଯୋଗ କରୁଥିଲେ। ଥରେ କନିକା ରାଜା ଓ ଶ୍ରୀକୃଷ୍ଣ ମହାପାତ୍ର ଏସ୍‌.ଡି.ଓ. ସାହେବ ଲୋକଙ୍କ ଦୁଃଖ ଶୁଣିବାକୁ ଆସୁଛନ୍ତି ବୋଲି ମିଥ୍ୟା ପ୍ରଚାର କରି ଲୋକମାନଙ୍କୁ ଗୋଟିଏ ସ୍ଥାନରେ ମେଳି କଲେ ଓ ଏସ୍‌.ଡି.ଓ.ଙ୍କୁ ଲୋକମାନଙ୍କ ଭିଡ଼ ଦେଖାଇ ଲୋକମାନେ ତାଙ୍କୁ ଆକ୍ରମଣ କରିବାକୁ ଆସୁଛନ୍ତି ବୋଲି କହି, ସେମାନଙ୍କ ଉପରେ ଗୁଳିଚାଳନା କଲେ। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହେଲେ। ସେହିଠାରେ ସ୍ତ୍ରୀଲୋକମାନଙ୍କ ସହ ରାଜକର୍ମଚାରୀମାନେ ଦୁଷ୍କର୍ମ କରିବାକୁ ପଛାଇ ନ ଥିଲେ। ଏହି ଘଟଣା ସମ୍ପର୍କରେ ଗୋପବନ୍ଧୁ ରୀତିମତ ଲେଖନୀ ଚାଳନା କରି ଏପରି ଅତ୍ୟାଚାରର ବିରୋଧ କରିବା ସହ ଲୋକମତକୁ ପ୍ରଭାବିତ କଲେ।
ଗୋପବନ୍ଧୁ ଦାସ କଂଗ୍ରେସର ପ୍ରତିନିଧି ହୋଇ ଏହି ଅତ୍ୟାଚାରର ତଦନ୍ତ ପାଇଁ ଭଦ୍ରଖରେ ପହଞ୍ଚି କଂଗ୍ରେସ କର୍ମୀମାନଙ୍କ ସହ ସଭା କରିବା ଅଭିଯୋଗରେ ଗିରଫ ହେଲେ, କିନ୍ତୁ ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଅବଗତ ହେବା ପରେ ଘଟଣାର ସତ୍ୟତା ଅନୁସନ୍ଧାନ କରି ଏସ୍‌.ଡି.ଓ. ଗ୍ରୀୟରସେନ ଅନୁତପ୍ତ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଉତ୍କଳମଣିଙ୍କ ପାଇଁ ଏହା ଏକ ବିରାଟ ନୈତିକ ବିଜୟ ଥିଲା। ତେବେ ସେ ନିର୍ଯାତିତ ପ୍ରଜାଙ୍କ ଦୁଃଖରେ ଅଭିଭୂତ ହୋଇ ଲେଖନୀ ଚାଳନା ଜାରୀ ରଖୁଥିଲେ। ୧୯୨୨ ମସିହା ମେ ୩୧ରେ ଗୋପବନ୍ଧୁଙ୍କୁ ପୁରୀଠାରେ ଯେତେବେଳେ ଗିରଫ କରାଗଲା ସେତେବେଳେ ସେ ହସିହସି କାରାବରଣ ପାଇଁ ପ୍ରସ୍ତୁତ ହୋଇଥିଲେ। ଅଗଣିତ ଜନତା ସେତେବେଳେ ମ୍ରିୟମାଣ ହୋଇପଡ଼ିଥିଲେ ନିଜର ପ୍ରିୟ ନେତା ତଥା କୋଟି ଓଡ଼ିଆର ତ୍ରାଣକର୍ତ୍ତାଙ୍କ ଜେଲଯିବା ଦୁଃଖରେ। ପୁଲିସ ତାଙ୍କୁ ପୁରୀଠାରୁ ରେଳରେ କଟକ ନେଲାବେଳେ ଷ୍ଟେସନ ପରେ ଷ୍ଟେସନରେ ଲୋକଙ୍କ ଅଜସ୍ର ଭିଡ଼ ଜମିଥିଲା। ଅଶ୍ରୁସିକ୍ତ ମଣିଷମାନଙ୍କ ଦୁଃଖଦ ସ୍ଥିତି ସବୁଠାରେ ସୃଷ୍ଟି କରୁଥାଏ ଏକ ବେଦନାବିଧୁର ପରିବେଶ। ଗୋପବନ୍ଧୁ କିନ୍ତୁ ସମସ୍ତଙ୍କୁ କହୁଥିଲେ– “ଖଦଡ଼ ପିନ୍ଧିବ, କଂଗ୍ରେସର ପ୍ରଚାର କରିବ, ଅନ୍ୟାୟର ବିରୋଧ କରିବ ଓ ଅହିଂସା ମାର୍ଗରେ ଚାଲିବ।”
ଗୋପବନ୍ଧୁ ଜେଲ ଯିବା ବାଟରେ ଏହି କାରାବରଣକୁ ତାଚ୍ଛଲ୍ୟ କରି କହିଥିଲେ ଯେ ଇଂରେଜ ସରକାର ତାଙ୍କୁ ଅଧିକ ବିଶ୍ରାମ ଦେବାକୁ ବ୍ୟାକୁଳ। ତାଙ୍କର ସେ ସମୟରେ ମଧ୍ୟ ଅନେକ ଆଶା ଓ ଭରସା ଥିଲା ଓଡ଼ିଶାର ଛାତ୍ରସମାଜ ଉପରେ। ସେ ଚାହୁଁଥିଲେ ଯେ ତାଙ୍କ ଅନୁପସ୍ଥିତିରେ ଓଡ଼ିଶାବାସୀ ଓ ଛାତ୍ରସମାଜ ରାଜନୈତିକ ଅଧିକାର ପାଇଁ ଗାନ୍ଧିଜୀଙ୍କ ଡାକରାର ଉଚିତ ଜବାବ ଦେବେ। କ୍ଷୁଧାର୍ତ୍ତଙ୍କୁ ଅନ୍ନ ଓ ଗରିବ ଲୋକଙ୍କୁ ସହାୟତା ପାଇଁ ତାଙ୍କର ଅନ୍ତର କାନ୍ଦୁଥିଲା ଓ ସେ ଚାହୁଁଥିଲେ ଲୋକମାନେ ପରସ୍ପର ପରସ୍ପରକୁ ସାହାଯ୍ୟ ସହାନୁଭୂତିର ହାତ ବଢ଼ାଇଲେ ହିଁ ବହୁ ସମସ୍ୟାର ସମାଧାନ ହୋଇପାରିବ।
ଉତ୍କଳମଣିଙ୍କୁ ଇଂରେଜ ସରକାର ରଖୁଥିଲେ ସିନା କଟକ ଜେଲରେ; କିନ୍ତୁ ଯେଉଁଦିନ ଅଦାଲତରେ ତାରିଖ ପଡ଼େ, ତା’ ପୂର୍ବରୁ ତାଙ୍କୁ ରେଳଯୋଗେ ନିଆଯାଏ ବାଲେଶ୍ୱର। ସେଠାରେ ସାକ୍ଷ୍ୟ ଗ୍ରହଣ, ଜବାବ ସୁଆଲ ପରେ ରାତି ଗାଡ଼ିରେ ଗୋପବନ୍ଧୁଙ୍କୁ ଫେରାଇ ଅଣାଯାଏ କଟକ। ଭଦ୍ରଖରେ ୧୪୪ ଧାରା ଅବମାନନା ବିଚାରରେ ତାଙ୍କୁ ୫୦ ଟଙ୍କା ଜୋରିମାନା ଓ ନ ଦେଲେ ପୁଣି ଏକ ମାସ ଜେଲଦଣ୍ଡାଦେଶ ହୋଇଥିଲା। ତେବେ ତା’ପରେ ‘ସ୍ୱରାଜ୍ୟ ସେବକ ସଂଘ’ ଗଢ଼ିବା ଅଭିଯୋଗରେ ସେ ଜେଲରେ ରହିଲେ। ୧୪୪ ଧାରା ଅମାନ୍ୟ ବିଚାର ପାଇଁ ବାଲେଶ୍ୱର ଯିବାବେଳେ ଗୋପବନ୍ଧୁଙ୍କ ହାତରେ କଡ଼ା ଓ ଅଣ୍ଟାରେ ଦଉଡ଼ି ବାନ୍ଧି ନିଆଯାଉଥିଲା ଜଣେ ସାଧାରଣ କଏଦୀ ଭଳି। ଏପରିକି ରେଳଗାଡ଼ିରେ ମଧ୍ୟ ଏସବୁ କଢ଼ା ହେଉନଥିଲା। ଥରେ ବିଳମ୍ବିତ ରାତିରେ ଟ୍ରେନ ଯୋଗେ ବାଲେଶ୍ୱରରୁ ଆସି କଟକ ଜେଲ ଫାଟକ ନିକଟରେ ପହଞ୍ଚିଲେ ପୁଲିସ ଓ ଗୋପବନ୍ଧୁ। ଫାଟକ ଖୋଲିଲା ନାହିଁ। ତେଣୁ ଉତ୍କଳମଣି ଜେଲ ବାହାରେ ଅଖିଆ ଅପିଆ ତଳେ ବସି ରାତ୍ରିଯାପନ କରିଥିଲେ। କଟକ ଜେଲରେ ଥିବାବେଳେ ତାଙ୍କୁ ଚଲାଇଚଲାଇ ଅମାନୁଷିକ ଭାବେ ରେଳଷ୍ଟେସନକୁ ନିଆଯାଉଥିଲା ଓ ଲୁହା ଥାଳିରେ ବଗଡ଼ା ଭାତ, ଶାଗ ଆଦି ଖାଇବାକୁ ଦିଆଯାଉଥିଲା।
ଯେଉଁ ସ୍ୱରାଜ୍ୟ ସେବକ ସଙ୍ଘ ଗଠନ ପାଇଁ ସେ କାରାରୁଦ୍ଧ ହୋଇ କଟକଠାରେ ଅଦାଲତର ସାମ୍ନା କରୁଥିଲେ ସେହି ସଙ୍ଘର ପ୍ରତିଜ୍ଞା ପତ୍ରରେ ଉତ୍କଳମଣି ଲେଖିବା ଅବସରରେ ବୁଝାଇଥିଲେ, ‘ମୁଁ ଜଣେ ଭାରତୀୟ। ବିଶେଷରେ ହିନ୍ଦୁ ବ୍ରାହ୍ମଣ। ମୋ ପାଇଁ ଶାନ୍ତିର ସ୍ଥାନ ସର୍ବୋପରି। ବିଶ୍ୱଶାନ୍ତି ମୋର ପ୍ରତିଦିନର ଉପାସନାର ଉଦ୍ଦେଶ୍ୟ ଏବଂ ମୋର ଦୃଢ଼ ବିଶ୍ୱାସ କଂଗ୍ରେସ ଯେପରି ସ୍ୱେଚ୍ଛାସେବୀ ଚାହାନ୍ତି, ପୃଥିବୀର ଭିନ୍ନଭିନ୍ନ ଲୋକଙ୍କ ମଧ୍ୟରେ ଯଦି ସେହିପରି ସ୍ୱେଚ୍ଛାସେବୀ ବାହାରନ୍ତି ଓ ଆତ୍ମତ୍ୟାଗ ତଥା ଶାନ୍ତିର ସାଧନାରେ ସିଦ୍ଧ ହୁଅନ୍ତି, ତେବେ ପୃଥିବୀରୁ ସଂଗ୍ରାମର ଅଶାନ୍ତି ଉଠିଯିବ ଏବଂ ପୃଥିବୀ ବ୍ୟାକୁଳ ହୋଇ ଯେଉଁ ଶାନ୍ତି ଲୋଡ଼ୁଅଛି, ତାହା ପାଇପାରିବ।’
ଗୋପବନ୍ଧୁ ତାଙ୍କ ମାମଲାରେ ଯେଉଁ ଲିଖିତ ଜବାବ ଦେଇଥିଲେ ସେସବୁ ଶାନ୍ତି, ସତ୍ୟ ଓ ଅହିଂସାର ଗୋଟିଏ ଗୋଟିଏ ବେଦ ଭଳି, କିନ୍ତୁ ଗୁଳିରେ ଶାସନ କରିବାରେ ବିଶ୍ୱାସୀ ଇଂରେଜ ସରକାରଙ୍କୁ ତାହା ଛୁଅନ୍ତା କେମିତି? ବିଚାରପତି ମି. ହାଉଲଟନ୍‌ ଗୋପବନ୍ଧୁଙ୍କ ସତ୍ୟାଗ୍ରହୀର ନୀରବତା ଧର୍ମକୁ ଅଭିଯୋଗର ସ୍ୱୀକାର ବୋଲି ଧରିନେଇ ରାଜଦ୍ରୋହ ଅପରାଧରେ ଦଣ୍ଡିତ କଲେ। ସେ ତାଙ୍କୁ ଓ ଭାଗୀରଥି ବାବୁଙ୍କୁ ଦୁଇବର୍ଷ ଜେଲଦଣ୍ଡ ଓ ଅଟଳ ବିହାରୀ ଆଚାର୍ଯ୍ୟଙ୍କୁ ଏକବର୍ଷ ଜେଲଦଣ୍ଡର ରାୟ ଦେଲେ। ଏହି ବିଚାର ଅନୁସାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ୧୯୨୩ ଜାନୁଆରୀ ୨୪ ତାରିଖରେ ହଜାରୀବାଗ ଜେଲକୁ ନିଆଗଲା। କଟକରୁ ହଜାରୀବାଗ ରେଳଯାତ୍ରା ଥିଲା ଗୋପବନ୍ଧୁଙ୍କ ପାଇଁ ଐତିହାସିକ ଓ ଏହି ସମୟରେ ହିଁ ସେ ‘ବନ୍ଦୀର ଆତ୍ମକଥା’ ସହ ରଚନା କରିଥିଲେ ‘କାରାକବିତା’, ‘ଗୋ-ମାହାତ୍ମ୍ୟ’ ଓ ଅନ୍ୟାନ୍ୟ କାଳଜୟୀ କୃତି।
୧୯୨୪ ଜୁନ ୨୬ ରେ ଗୋପବନ୍ଧୁ କାରାମୁକ୍ତ ହେଲେ ହଜାରୀବାଗ ଜେଲରୁ। ସେଠାରେ ଜେଲ ଫାଟକ ସମ୍ମୁଖରେ ତାଙ୍କୁ ସ୍ୱାଗତ କରିବାପାଇଁ ଅପେକ୍ଷା କରିଥିଲେ ସ୍ୱାଧୀନତା ଆନ୍ଦୋଳନରେ ଆଉ ଦୁଇଜଣ ପୁରୋଧା- ଆଚାର୍ଯ୍ୟ ହରିହର ଓ ପ୍ରଚାରକ ଅନନ୍ତ ମିଶ୍ର। ହଜାରୀବାଗରୁ ଟ୍ରେନ୍‌ ଯୋଗେ ଗୋପବନ୍ଧୁ ଖଡ଼ଗପୁର ଦେଇ ଆସିବାବେଳେ ସେହି ଗାଡ଼ିରେ ଆସିଲେ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ। ୨୭ ତାରିଖ ଦିନ ଟ୍ରେନ କଟକ ଷ୍ଟେସନ ଧରିବା ବେଳକୁ ଜନତାଙ୍କ ସ୍ରୋତ ସତେ କି ଢେଉ ଭାଙ୍ଗୁଛି। ଦୁଇବର୍ଷ ଧରି ଆପଣାର ପ୍ରିୟ ନେତାର ଅଭାବରେ ମ୍ରିୟମାଣ ଜାତି ସେଦିନ ସତେ କି ନବଯୌବନରେ ଉନ୍ମାଦିତ। ତା’ ପରଦିନ ଅପରାହ୍ଣ ୪ଟା ବେଳେ ମ୍ୟୁନିସିପାଲିଟି ମଣ୍ଡପରେ ହଜାରହଜାର କଂଗ୍ରେସ କର୍ମୀ, ସାଧାରଣ ଜନତାର ଉପସ୍ଥିତିରେ ଅନୁଷ୍ଠିତ ହେଲା ସାଧାରଣ ସଭା। ସେଥିରେ ସଭାପତିତ୍ୱ କରି ବଙ୍ଗଳାର ବିଶିଷ୍ଟ ନେତା ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ କହିଲେ– “ଆପଣଙ୍କ ଉତ୍କଳ ଦେଶ ଉତ୍କଳମଣି ଗୋପବନ୍ଧୁଙ୍କୁ ପାଇ ଧନ୍ୟ। ସେହି ଉତ୍କଳମଣି ଗୋପବନ୍ଧୁ ଆପଣଙ୍କ ଦେଶରେ ସ୍ୱାଧୀନତାର ଯେଉଁ ଅଗ୍ନି ଶିଖା ଜାଳି ଦେଇଛନ୍ତି, ତାହା କଦାପି ନିର୍ବାପିତ ହେବ ନାହିଁ। ଓଡ଼ିଶାରେ ଆଜି ଯେ ଏ ଜାଗରଣ ଓ ଉତ୍ସାହ ଆସିଛି ତାହା ଗୋପବନ୍ଧୁଙ୍କ ଯୋଗୁ ସମ୍ଭବ ହୋଇଛି। ଏହିପରି ଯଦି ଶହେ ଗୋପବନ୍ଧୁ ଏ ଦେଶରେ ଜନ୍ମ ନିଅନ୍ତି, ତେବେ ଇଂରେଜ ସରକାରଙ୍କ ଅବସ୍ଥା ଭିନ୍ନ ରୂପ ଧାରଣ କରନ୍ତା। ଗୋପବନ୍ଧୁ ବାସ୍ତବରେ ଉତ୍କଳମଣି, ଉତ୍କଳର ଉଜ୍ଜ୍ୱଳ ରତ୍ନ।”
ସେହି ଦିନଠାରୁ ଗୋପବନ୍ଧୁ ହୋଇଗଲେ ଆମ ସମସ୍ତଙ୍କର ‘ଉତ୍କଳମଣି’।

-ପ୍ରଭାସ ଆଚାର୍ଯ୍ୟ

ସମ୍ପାଦକ, ‘ସମାଜ’ ରିଲିଫ୍‌ କମିଟି, କଟକ
[email protected]