ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ କଂଗ୍ରେସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ଜଳଜୀବ କୃଷିର ବିକାଶ ଅପରିହାର୍ଯ୍ୟ

‘ଇଣ୍ଡ ଆକ୍ୱା’ ଓ ‘ଟ୍ରିଟ ମାଇ ଫିସ’ ମୋବାଇଲ ଆପର ଶୁଭାରମ୍ଭ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ସାଙ୍ଗକୁ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଜଳଜୀବ କୃଷିର ବିକାଶ କ୍ଷେତ୍ରରେ ସମନ୍ୱିତ ଉଦ୍ୟମ ଅପରିହାର୍ଯ୍ୟ ବୋଲି କେନ୍ଦ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ପ୍ରାଣୀ ସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ  ପ୍ରତାପ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି।
ଶୁକ୍ରବାର ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ କେନ୍ଦ୍ରଠାରେ ଆୟୋଜିତ ତିନିଦିନିଆ ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ ଅଧିବେଶନ (ପାଫ) କଂଗ୍ରେସର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଷଡଙ୍ଗୀ ଏହି ମତବ୍ୟକ୍ତ କରିଛନ୍ତି। ଶ୍ରୀ ଷଡ଼ଙ୍ଗୀ କହିଥିଲେ, ଏହି କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରି ଜଳଜୀବ କୃଷିକୁ ଲାଭଜନକ ବ୍ୟବସାୟରେ ପରିଣତ କରିବା ଦିଗରେ ଦୃଢ଼ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଦେଶର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ କର୍ମସଂସ୍ଥାନ ଆବଶ୍ୟକତା ଦୃଷ୍ଟିରୁ ଏଭଳି ସମନ୍ୱିତ ପଦକ୍ଷେପ ଜରୁରି। ତେବେ ଭୂମଣ୍ଡଳୀୟ ପରିବେଶର କ୍ଷତି ନକରି ଏହା କରାଯିବା ଦରକାର। ଅଭିନବ ପ୍ରଯୁକ୍ତି ଏବଂ ସେବା ବିକଶିତ କରିବା ଲାଗି ସେ ସିଫା ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ପ୍ରଶଂସା କରିବା ସହିତ ଏହି ଜ୍ଞାନ ଚାଷୀଙ୍କ ନିକଟରେ ପହଁଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ମଧୁର ଓ ଲୁଣି ଜଳଜୀବ ଚାଷ ସଂଲଗ୍ନ ବୈଷୟିକ ଜ୍ଞାନଗୁଡିକ ସମ୍ପର୍କରେ ସାଧାରଣ ମତ୍ସ୍ୟଚାଷୀମାନଙ୍କୁ ତାଲିମ ମଧ୍ୟ ଦିଆଯିବା ଦରକାର। ରାଜ୍ୟର ବ୍ଲକସ୍ତରରେ ଘରୋଇ ଓ ସରକାରୀ ସହଭାଗୀତାରେ ଏଭଳି ତାଲିମ ପ୍ରତିଷ୍ଠାନମାନ ଖୋଲାଗଲେ ଜଳଜୀବ ଉତ୍ପାଦନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆସିବା ସହ ଏଥିରେ ସମ୍ପୃକ୍ତ ଚାଷୀମାନଙ୍କ ମାନଦଣ୍ଡରେ ମଧ୍ୟ ଉନ୍ନତି ଘଟିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ।
ଆଇସିଏଆର-ସିଫାର ନିର୍ଦ୍ଦେଶକ ଡ. ବି ଆର ପିଲ୍ଲାଇ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଧୁନିକ ଜଳଜୀବ କୃଷିର ଜନକ ଭାବେ ପରିଚିତ ଡ. ଟି.ଭି.ଆର ପିଲ୍ଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ ଅଧିବେଶନ (ପାଫ) କଂଗ୍ରେସ ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଆଇସିଏଆରର ଉପ ମହାନିର୍ଦ୍ଦେଶକ ଡ. ଜେ କେ ଜେନା ଯୋଗ ଦେଇ କହିଥିଲେ ଯେ ଭବିଷ୍ୟତର ଜଳଜୀବ କୃଷି ଜ୍ଞାନ ଆଧାରିତ ହେବା ଆବଶ୍ୟକ। କାରଣ ଉତ୍ପାଦନ ବୃଦ୍ଧି ସହିତ ଦିନକୁ ଦିନ ନିରାପଦ ତଥା ଉନ୍ନତମାନର ଖାଦ୍ୟର ଚାହିଦା ବୃଦ୍ଧି ପାଉଛି। ପ୍ରତିଷ୍ଠାନର ଏବିଆଇ ସୁବିଧାକୁ ସିଫାର ପ୍ରତିଷ୍ଠାତା ଡ. ଭିଆରପି ପିଲ୍ଲେଙ୍କ ନାମରେ ନାମିତ କରିବା ଲାଗି ଏହି ଅବସରରେ ଡ. ଜେନା ଘୋଷଣା କରିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ ତାଙ୍କ ଅଭିଭାଷଣରେ ଚାଷୀମାନଙ୍କୁ ନୀତିଗତ ସହାୟତା ଦେବା ଲାଗି ଆହ୍ୱାନ କରିଥିଲେ। କେନ୍ଦ୍ରରେ ନୂତନ ଭାବେ ମତ୍ସ୍ୟପାଳନ ମନ୍ତ୍ରଣାଳୟ ଗଠନ କରାଯାଇଥିବାରୁ ଏହା ଓଡ଼ିଶାରେ ମତ୍ସ୍ୟପାଳନ ଲାଗି ଜ୍ଞାନ ଓ ଗବେଷଣାର ବିକାଶ ଦିଗରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସଚିବ ଆର ରଘୁପ୍ରସାଦ, ପିଏଏଫର ସଚିବ ଡ. ପି. କେଶବନାଥ, ଏଓଏର ସମ୍ପାଦକ ଡ. ପି.ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ମତ ଉପସ୍ଥାପନ କରିଥିଲେ।
ଶେଷରେ ପ୍ରମୁଖ ବୈଜ୍ଞାନିକ ତଥା ସହ ସମ୍ପାଦକ ଡ. ଏସ କେ ସ୍ୱାଇଁ ଧନ୍ୟବାଦ ଦେବା ସହିତ ତିନିଦିନିଆ ଅଧିବେଶନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।  ଏହି ଅବସରରେ ମଧୁର ଓ ଲୁଣି ଜଳଜୀବ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ସିଫାର ସ୍ମରଣିକା ଓ ଅନ୍ୟାନ୍ୟ ପୁସ୍ତିକା ସହିତ ଦୁଇଟି ମୋବାଇଲ ଆପ ‘ଇଣ୍ଡ ଆକ୍ୱା’ ଓ ‘ଟ୍ରିଟ ମାଇ ଫିସ’ ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଉନ୍ମୋଚନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ଜଳଜୀବ ଉତ୍ପାଦନ ମୂଲ୍ୟ ଶୃଙ୍ଖଳାରେ ନିୟୋଜିତ କର୍ପୋରେଟ ସଂସ୍ଥା,ଷ୍ଟାର୍ଟଅପ ଓ ଜଳଜୀବ ଉଦ୍ୟୋଗୀମାନେ ଯୋଗ ଦେଇଛନ୍ତି। ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ଆଣିବା ଲାଗି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁଦେଶୀୟ ଉଦ୍ୟୋଗୀ, ଘରୋଇ ଉଦ୍ୟୋଗ, ଜଳଜୀବ ଉତ୍ପାଦନକାରୀ, ଗବେଷକ, ଘରୋଇ ସେବା ପ୍ରଦାନକାରୀ, ରାଜ୍ୟ ମତ୍ସ୍ୟପାଳନ ବିଭାଗ ଓ ଅନ୍ୟାନ୍ୟ ବିଭାଗ, ସ୍ୱେଚ୍ଛାସେବୀ ସଂସ୍ଥା ସମେତ ଏହି କ୍ଷେତ୍ର ସହ ଜଡ଼ିତ ଅନ୍ୟ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଷ୍ଠାନର ୨୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଛନ୍ତି। ଏହି ବଅସରରେ ଜଳଜୀବ କୃଷି ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏଥିରେ ପ୍ରତିନିଧିମାନଙ୍କ ଲାଭ ପାଇଁ ୩୦ ଜଣ ଅଂଶୀଦାର ସେମାନଙ୍କ କାର୍ଯ୍ୟ ଓ ସେବାର ପ୍ରଦର୍ଶନ କରୁଛନ୍ତି।
“ବହୁ ରାଷ୍ଟ୍ରୀୟ କମ୍ପାନୀ, ଘରୋଇ ଉଦ୍ୟୋଗୀ ଓ ଜଳଜୀବ ଉତ୍ପାଦନକାରୀ ଚାଷୀଙ୍କ ସହଯୋଗରେ ଦେଶରେ ଜଳ ଜୀବ ଉତ୍ପାଦନ ବୃଦ୍ଧି” ସଂକ୍ରାନ୍ତ ଏହି ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।

Comments are closed.