ଭାରତ-ଓପେକ୍‍ ଭାଗିଦାରୀକୁ ମଜବୁତ୍‍ କରିବା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱାରୋପ

କେନ୍ଦ୍ରମନ୍ତ୍ରୀଙ୍କ ଦୁଇଦିନିଆ ୟୁଏଇ ଗସ୍ତର ଅନ୍ତିମ ଦିନ

-ଭିତୋଲ ଗ୍ରୁପର ମୁଖ୍ୟ ଏବଂ ଓପେକ ସାଧାରଣ ସଚିବଙ୍କ ସହ ଆଲୋଚନା
-ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଭିତୋଲ ଗ୍ରୁପ୍‍ କମ୍ପାନୀକୁ ନିମନ୍ତ୍ରଣ
-ଉର୍ଜାର ସୁରକ୍ଷା ଓ ଉର୍ଜା ଦାରିଦ୍ର୍ୟର ସମାଧାନ ପାଇଁ ଭାରତ ସହ ମିଶି କାମ କରିବା ନେଇ ଓପେକ ସଧାରଣ ସଚିବଙ୍କ ସ୍ୱୀକୃତି

ୟୁଏଇ : ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତିମ ଦିନରେ ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍‍ ମିଲ୍ଲରଙ୍କୁ ସାକ୍ଷାତ୍‍ କରି ଭିତୋଲ ଗ୍ରୁପ କମ୍ପାନୀକୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ କରି ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି।
ସେହିପରି ଓପେକର ସାଧାରଣ ସଚିବ ଡ. ମହମ୍ମଦ ବାରକିଣ୍ଡୋଙ୍କୁ ଭେଟି ଭାରତ-ଓପେକ୍‍ ଭାଗିଦାରୀକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ। ଭିତୋଲ ଗ୍ରୁପର ମୁଖ୍ୟଙ୍କ ସାକ୍ଷାତକାଳରେ ଶ୍ରୀ ପ୍ରଧାନ ପଲିସି ଗୁଡିକରେ ସଂସ୍କାର ଅଣାଯିବା କାରଣରୁ ଭାରତର ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ର ପୁଞ୍ଜିନିବେଶ କରିବା ପାଇଁ ଉପଯୋଗୀ ସ୍ଥାନ ହୋଇପାରିଛି। ନିକଟରେ କର୍ପୋରେଟ୍‍ ଟିକସ ହ୍ରାସ, ବ୍ୟବସାୟ ସୁଗମତା ତଥା ବ୍ୟବସାୟ କରିବାରେ ସହଜ ଏବଂ ଇନ୍ଧନ ପ୍ରସଙ୍ଗ ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ।
ସେହିପରି ଓପେକର ସାଧାରଣ ସଚିବ ଡ. ମହମ୍ମଦ ବାରକିଣ୍ଡୋଙ୍କ ସହ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଉଭୟେ ସାଂପ୍ରତିକ ତୈଳ ଏବଂ ଗ୍ୟାସ ମାର୍କେଟର ବିକାଶ ତଥା ବିଶେଷ ଭାବରେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦରରେ ଅସ୍ଥିରତା ଏବଂ ଅଶୋଧିତ ତୈଳ ଯୋଗାଣ ଉପରେ ଆଲୋଚନା କରିଥିଲେ। ଦୁଇ ମନ୍ତ୍ରୀ ଭାରତ-ଓପେକ୍‍ ଭାଗିଦାରୀକୁ ଆଗାମୀ ଦିନରେ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଉର୍ଜାର ସୁରକ୍ଷା ଓ ଉର୍ଜା ଦାରିଦ୍ର୍ୟର ସମାଧାନ ପାଇଁ ମିଶି କାମ କରିବା ପାଇଁ ସମ୍ମତି ଜଣାଇଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନଭେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଥିଲେ। ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳୀ ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ମଧ୍ୟ ମନ୍ତ୍ରୀଙ୍କ ସହ ଏହି ବିଦେଶ ଗସ୍ତରେ ସାମିଲ ଅଛନ୍ତି।
ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ସୋମବାର ଆବୁଧାବୀ ଅନ୍ତର୍ଜାତୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଓ ସମ୍ମିଳନୀ (ଆଡିପେକ-୨୦୧୯)ରେ ଯୋଗଦେଇଥିଲେ। ଏହି ଅବସରରେ ସେ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାର ଲକ୍ଷ୍ୟ ନେଇ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ୍‍ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବାର ଯୋଜନା ଥିବା ସମ୍ମିଳନୀରେ ସୂଚନା ଦେଇଥିଲେ। ସେହିପରି ୟୁଏଇ ମନ୍ତ୍ରୀ ସୁଲତାନ ଅଲ୍‍ ଜାବେରଙ୍କ ସହ ଭାରତ ପାଭିଲିୟନକୁ ମଧ୍ୟ ଉଦଘାଟନ କରିଥିଲେ। ଏହାବ୍ୟତିତ ସେଠାକାର ବିଭିନ୍ନ କମ୍ପାନୀର ମୁଖ୍ୟଙ୍କୁ ଭେଟି ଭାରତ ଓ ୟୁଏଇ ମଧ୍ୟରେ ବ୍ୟବସାୟିକ ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

Comments are closed.