ଗୋଲାପୀ ବଲ୍‌ରେ ଭାରତୀୟ କ୍ରିକେଟର୍‌ଙ୍କ ଅଭ୍ୟାସ

ଇନ୍ଦୋର : ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଗୁରୁବାରରୁ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଦିନବେଳା ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ କଲକାତାରେ ଦିବାରାତ୍ର ଭାବେ ଆୟୋଜିତ ହେବ। ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଗୋଲାପୀ ବଲ୍‌ରେ ଖେଳାଯିବାକୁ ଥିବା ବେଳେ ମଙ୍ଗଳବାର ଭାରତୀୟ କ୍ରିକେଟ୍ ଦଳ ଇନ୍ଦୋର ଷ୍ଟାଡ଼ିୟମରେ ଗୋଲାପୀ ବଲ୍‌ରେ ଅଭ୍ୟାସ ଆରମ୍ଭ କରିଛନ୍ତି।
ପ୍ରଥମ ଟେଷ୍ଟ ମ୍ୟାଚ୍‌ ପାରମ୍ପରିକ ନାଲି ବଲ୍‌ରେ ଖେଳାଯିବ। ତେବେ କଲକାତାରେ ଭାରତୀୟ ଦଳ ପ୍ରଥମଥର ପାଇଁ ଗୋଲାପୀ ବଲ୍‌ରେ ଦିବାରାତ୍ର ଖେଳିବାକୁ ଯାଉଥିବାରୁ ଭାରତୀୟ କ୍ରିକେଟର୍‌ଙ୍କୁ ଏଥିପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଦଳୀୟ ମ୍ୟାନେଜେଣ୍ଟ ମଙ୍ଗଳବାର ଅଭ୍ୟାସରେ ଗୋଲାପୀ ବଲ୍‌ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ ଅଭ୍ୟାସ କରିବାକୁ ଓହ୍ଲାଇଥିଲେ। ମୂଳରୁ ଗୋଲାପୀ ବଲ୍‌ର ମୁକାବିଲା କରିବାରେ ସେ କିଛିଟା ଅସୁବିଧାରେ ପଡ଼ିଥିଲେ। ସେ କେତେକ ବଲ୍‌କୁ ଠିକଣା ଭାବେ ମାରି ପାରିନଥିଲେ। ତେବେ ପରବର୍ତ୍ତୀ ସମୟରେ କୋହଲି ଠିକ୍‌ଠାକ୍‌ ବ୍ୟାଟିଂ କରିଥିଲେ। ଏହାପରେ ଭାରତୀୟ ଦଳର ଅନ୍ୟ ଖେଳାଳିମାନେ ଗୋଲାପୀ ବଲ୍‌ରେ ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରିଥିଲେ। ଗତସପ୍ତାହରେ ଏସ୍‌ଜି କମ୍ପାନୀ ତରଫରୁ ବିସିସିଆଇକୁ ଅନେକ ସଂଖ୍ୟାରେ ଗୋଲାପୀ ବଲ୍‌ ପ୍ରଦାନ କରାଯାଇଥିଲା। ୨୦୧୬-୧୮ରେ ଘରୋଇ ଦୁଲିପ୍‌ ଟ୍ରଫି ମ୍ୟାଚ୍‌ ଗୋଲାପୀ ବଲ୍‌ରେ ଖେଳାଯାଇଥିଲା। ସେତେବେଳେ କୋକୋବୁରା ଓ ଡ୍ୟୁକ୍‌ କମ୍ପାନୀର ବଲ୍‌ ବ୍ୟବହାର କରାଯାଉଥିଲା। ପ୍ରଥମଥର ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଏସ୍‌ଜି କମ୍ପାନୀର ବଲ୍‌ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଛି।
କଲକାତାରେ ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳକୁ ପ୍ରତିନିଧିତ୍ବ କରିବା ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ବରିଷ୍ଠ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ। ଇତିମଧ୍ୟରେ ବିସିସିଆଇ ତରଫରୁ ଏକ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ପୂଜାରା ଓ ରାହାଣେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ସଂପର୍କରେ ନିଜ ମତାମତ ଦେଇଛନ୍ତି। ପୂଜାରା କହିଛନ୍ତି ପୂର୍ବରୁ ସେ ଦୁଲୀପ ଟ୍ରଫି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଗୋଲାପୀ ବଲ୍‌ରେ ଖେଳି ସାରିଥିବା ବେଳେ ବାଂଲାଦେଶ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଗୋଲାପୀ ବଲ୍‌ରେ ଖେଳିବାକୁ ଯାଉଥିବାରୁ ବେଶ୍‌ ଉତ୍ସାହିତ ଅଛନ୍ତି। ସେହିପରି ରାହାଣେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଗୋଲାପୀ ବଲ୍‌ରେ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ତାଙ୍କ ସହ ଅନ୍ୟ ଭାରତୀୟ କ୍ରିକେଟର୍‌ମାନେ ବେଶ୍‌ ଖୁସି ଅଛନ୍ତି। ନୂଆ ନୂଆ ହୁଏତ କିଛିଟା ଅସୁବିଧା ହୋଇପାରେ ତେବେ ଦଳ ଯେତେ​‌ ଅଧିକ ମ୍ୟାଚ୍‌ ଖେଳିବ ସେ ଅଭିଜ୍ଞତା ହାସଲ କରିବ। ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଭାରତୀୟ କ୍ରିକେଟର୍‌ମାନେ ଗୋଲାପୀ ବଲ୍‌ରେ ଅଭ୍ୟାସ କରିବାର ସୁଯୋଗ ପାଉଥିବାରୁ ସବୁ ଖେଳାଳି ନିଜନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତେଣୁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ସମୟରେ ଗୋଲାପୀ ବଲ୍‌ରେ ଖେଳିବା ଭାରତୀୟ କ୍ରିକେଟର୍‌ଙ୍କ ନିମନ୍ତେ କଷ୍ଟକର ହେବ ନାହିଁ ବୋଲି ଆଶା ରହିଛି।
ସୂଚନାଥାଉକି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ବିସିସିଆଇ ତରଫରୁ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା। ବାଂଲାଦେଶ କ୍ରିକେଟ୍‌ ବୋର୍ଡ ସବୁଜ ସଙ୍କେତ ଦେବା ପରେ ଦୁଇ ଦେଶ ମଧ୍ୟରେ କଲକାତାର ଇଡେନ୍‌ ଗାର୍ଡେନ୍‌ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା। ବିସିସିଆଇର ନବନିଯୁକ୍ତ ସଭାପତି ସୌରଭ ଗାଙ୍ଗୁଲି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆୟୋଜନ ନେଇ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ମତାମତ ଲୋଡିଥିଲେ। କୋହଲି ତତ୍‌କ୍ଷଣାତ୍‌ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ଥିବା କହିଥି​‌େ​‌ଲ।

Comments are closed.