ସ୍ବାମୀ ନିତ୍ୟାନନ୍ଦ ଦୁଇ ଝିଅଙ୍କୁ ବଳପୂର୍ବକ ଆଶ୍ରମରେ ରଖିଥିବା ଅଭିଯୋଗ

ଗୁଜରାତ ହାଇକୋର୍ଟରେ ଦମ୍ପତିଙ୍କ ଅଭିଯୋଗ

ଅହମ୍ମଦାବାଦ : ତଥାକଥିତ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ନିତ୍ୟାନନ୍ଦ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି। ସ୍ବାମୀ ନିତ୍ୟାନନ୍ଦ ତାଙ୍କ ଆଶ୍ରମରେ ଦୁଇ ଯୁବତୀ ଝିଅଙ୍କୁ ଜୋର୍‌ ଜବରଦସ୍ତ ରଖିଥିବା ଅଭିଯୋଗ ପୂର୍ବକ ସେମାନଙ୍କୁ ଉଦ୍ଧାର ପାଇଁ ବେଙ୍ଗାଲୁରୁର ଏକ ଦମ୍ପତି ଗୁଜରାତ ହାଇକୋର୍ଟରେ ଆବେଦନ କରିଛନ୍ତି। ଆଶ୍ରମ କର୍ତ୍ତୃପକ୍ଷ ସେମାନଙ୍କ ଦୁଇ ଝିଅଙ୍କୁ ସାକ୍ଷାତ ଅନୁମତି ଦେଉ ନ ଥିବା ସମ୍ପୃକ୍ତ ଦମ୍ପତି ଜନାର୍ଦ୍ଦନ ଶର୍ମା ଓ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସ୍ବାମୀ ନିତ୍ୟାନନ୍ଦଙ୍କ ଦ୍ବାରା ବେଙ୍ଗାଲୁରୁରେ ପରିଚାଳିତ ଶିକ୍ଷାନୁଷ୍ଠାନ ‘ନିତ୍ୟାନନ୍ଦ ଧ୍ୟାନପୀଠମ୍‌’ରେ ଅଧ୍ୟୟନ ପାଇଁ ୨୦୧୩ରେ ଜନାର୍ଦ୍ଦନ ତାଙ୍କର ୭ରୁ ୧୩ ବର୍ଷର ଚାରି ଝିଅଙ୍କୁ ଛାଡ଼ିଥିଲେ। କିଛି ଦିନ ପୂର୍ବେ ଜନାର୍ଦ୍ଦନ ଖବର ପାଇଲେ ଯେ ତାଙ୍କ ଝିଅମାନଙ୍କୁ ଅନ୍ୟତ୍ର ଅବସ୍ଥିତ ନିତ୍ୟାନନ୍ଦ ଧ୍ୟାନପୀଠମ୍‌ର ଏକ ଶାଖା ‘ଯୋଗିନୀ ସର୍ବଜ୍ଞାପୀଠମ୍‌’କୁ ସ୍ଥାନାନ୍ତର କରଯାଇଛି। ଏହି ଶିକ୍ଷାନୁଷ୍ଠାନ ଅହମ୍ମଦାବାଦର ଦିଲ୍ଲୀ ପବ୍ଳିକ ସ୍କୁଲ ନିକଟରେ ଅବସ୍ଥିତ ହୋଇଥିବାରୁ ଜନାର୍ଦ୍ଦନ ଝିଅମାନଙ୍କୁ ଭେଟିବା ପାଇଁ ସ୍ଥାନୀୟ ବିଦ୍ୟାପୀଠକୁ ଯାଇଥିଲେ; କିନ୍ତୁ କର୍ତ୍ତୃପକ୍ଷ ସେମାନଙ୍କୁ ଏଥିପାଇଁ ଅନୁମତି ଦେଇ ନ ଥିଲେ। ପୁଲିସ ଓ ସ୍ଥାନୀୟ ଶିଶୁ ଅଧିକାର ସମିତି ସହାୟତାରେ ସେ ଦୁଇ ସାନ ଝିଅଙ୍କୁ ଭେଟିବା ସହ ଘରକୁ ଫେରାଇ ଆଣିବାରେ ସମର୍ଥ ହୋଇଥିଲେ; କିନ୍ତୁ ଦୁଇ ବଡ଼ ଝିଅ ଲୋପାମୁଦ୍ରା ଜନାର୍ଦ୍ଦନ ଶର୍ମା (୨୧) ଓ ନନ୍ଦିତା (୧୮)ଙ୍କୁ କର୍ତ୍ତୃପକ୍ଷ ଛାଡ଼ି ନ ଥିଲେ। ଏହି ପରିପ୍ରେକ୍ଷୀରେ ଜନାର୍ଦ୍ଦନ ପୁନର୍ବାର ପୁଲିସର ସହାୟତା ଲୋଡ଼ିଥିଲେ। ବିଦ୍ୟାପୀଠ କର୍ତ୍ତୃପକ୍ଷ ସେମାନଙ୍କ ଦୁଇ ଝିଅଙ୍କୁ ଦୁଇ ସପ୍ତାହରୁ ଅଧିକ କାଳ ଧରି ଅପହରଣ କରିନେବା ସହ ବଳପୂର୍ବକ ଲୁଚାଇ ରଖିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ପୁଲିସ ନିତ୍ୟାନନ୍ଦ ଓ ତାଙ୍କ ଆଶ୍ରମ ବିରୋଧରେ ଏତଲା ରୁଜୁ କରିଥିଲେ ମଧ୍ୟ ଦୁଇ ଝିଅଙ୍କୁ ଉଦ୍ଧାର କ୍ଷେତ୍ରରେ ​‌େ​କ‌ୗଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ବାଧ୍ୟହୋଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜନାର୍ଦ୍ଦନ କହିଛନ୍ତି।
ସ୍ବାମୀ ନିତ୍ୟାନନ୍ଦଙ୍କ ପ୍ରକୃତ ନାମ ଏ. ରାଜଶେଖରନ୍‌। ସେ ନିଜକୁ ପରମଶିବଙ୍କ ଅବତାର ଭାବେ ବର୍ଣ୍ଣନା କରନ୍ତି। ଦକ୍ଷିଣ ଭାରତ ସମେତ ବିଦେଶରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଗୁରୁକୂଳ ଓ ଆଶ୍ରମ ପରିଚାଳିତ ହେଉଛି। ୨୦୧୦ରେ ତାଙ୍କ ବିରୋଧରେ ଗୁରୁତର ଯୌନାଚାର ଅଭିଯୋଗ ଆସିଥିଲା। ପ୍ରଖ୍ୟାତ ତାମିଲ ଅଭିନେତ୍ରୀ ରଞ୍ଜିତାଙ୍କ ସହିତ ସେ ନିଜ ଆଶ୍ରମରେ ଯୌନାଚାରରେ ଲିପ୍ତ ଥିବାର ଭିଡିଓ ‘ସନ୍‌ ଟିଭି’ରେ ପ୍ରସାରିତ ହୋଇଥିଲା। ଏହା ପରେ ଆସିଥିବା ଆହୁରି ଏଭଳି କେତେକ ଅଭିଯୋଗକୁ ନେଇ ନିତ୍ୟାନନ୍ଦ ବିବାଦୀୟ ହୋଇପଡ଼ିଥିଲେ। ଯୁବତୀ ଭକ୍ତମାନଙ୍କୁ ସେ ଆଶ୍ରମରେ ଉପଭୋଗ କରୁଥିବାର ଏକାଧିକ ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଥିଲା। ୨୦୧୮ ଜୁନ୍‌ରେ କର୍ଣ୍ଣାଟକ ଅଦାଲତ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରିଥିଲେ।

Comments are closed.