ପୁଣି ମାତିଲା ପିଏଲଏଫଆଇ ; ୪ ଗିରଫ, ପିସ୍ତଲ, ଗୁଳି, ନଗଦ ଟଙ୍କା ଜବତ

ସୁନ୍ଦରଗଡ଼ : ପି.ଏଲ.ଏଫ.ଆଇ, ନକ୍ସଲ ଓ ଅନ୍ୟାନ୍ୟ ଗୋଷ୍ଠୀର ଗତିବିଧି ଓ କାର୍ଯ୍ୟକଳାପ ଉପରେ ପୁଲିସ ବିଭିନ୍ନ ଶୈଳୀ ଓ ଉପାୟରେ କଡ଼ା ନଜର ରଖିଥିବା ବେଳେ ତଥ୍ୟ ଓ ସୂଚନାର ଆଦାନପ୍ରଦାନ ପାଇଁ ମଧ୍ୟ ପଡ଼ୋଶୀ ରାଜ୍ୟର ପୁଲିସ ସହ ନିୟମିତ ସଂପର୍କ ରଖିଆସିଛି। ଫଳ ସ୍ୱରୂପ ପି.ଏଲ.ଏଫ.ଆଇଙ୍କ କାର୍ଯ୍ୟକଳାପ ସୀମାନ୍ତ ଜିଲା ଅଞ୍ଚଳ ଗୁଡ଼ିକରେ କ୍ରମଶଃ ହ୍ରାସ ପାଉଥିଲେ ହିଁ ନିଜର ପ୍ରଭାବ ଓ ଆତଙ୍କ ଖେଳାଇବା ପାଇଁ ଏହି ଗୋଷ୍ଠୀ ମଝି ମଝିରେ ଗୋଟିଏ ଗୋଟିଏ କାଣ୍ଡ ଭିଆଇ ପୁଲିସକୁ ଝଟକା ଦେଉଥିବାର ମଧ୍ୟ ଚର୍ଚ୍ଚା ହେଉଛି ହେଲେ ଗତ ୧୧ ତାରିଖ ଦିନ ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡାରେ ଥିବା ଏକ ସ୍କାର୍ପ ଗୋଦାମ ଉପରେ ଅଚାନକ ଏରିଆ କମାଣ୍ଡର କୁହାଯାଉଥିବା ଅର୍ଜୁନ ସମେତ ୫ପି.ଏଲ.ଏଫ.ଆଇ ସଦସ୍ୟ ୨ଟି ବାଇକରେ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ ମାତ୍ର କର୍ମଚାରୀ ଜଣକ ଏ ଟଙ୍କା ଦେବାକୁ ମନା କରିବାରୁ ଏହି ଗୋଷ୍ଠୀର ଅର୍ଜୁନ ଓ ଲାଲ ବାବୁ ଇନ୍ଦୁଆର କର୍ମଚାରୀଙ୍କ ପ୍ୟାଣ୍ଟ ପକେଟରେ ଥିବା ୩୨ହଜାର ଟଙ୍କା ନେବା ସହ ଏ ସଂପର୍କରେ କାହାକୁ କହିଲେ ଜୀବନରେ ମାରି ଦେବୁ ବୋଲି ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏ ସଂପର୍କରେ କର୍ମଚାରୀ ସାହାନୁଆଜ ଓରଫ ଲାଲନ ଥାନାରେ ଏତଲା ଦେବାରୁ ପୁଲିସ ଡ଼କାୟତି ସମେତ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସୁନ୍ଦରଗଡ଼ ଏସ.ପି ସୌମ୍ୟା ମିଶ୍ରା ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱତାର ସହ ନେଇ ପଡ଼ୋଶୀ ଜିଲାମାନଙ୍କ ଏସ.ପିଙ୍କ ତୁରନ୍ତ ଯୋଗାଯୋଗ କରି ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ। ବୀରମିତ୍ରପୁର ଥାନା ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏହି ଟିମ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୪ଜଣ ପି.ଏଲ.ଏଫ.ଆଇ ସଦସ୍ୟ ଲାଲ ବାବୁ ମହାନନ୍ଦିଆ ଓରଫ ଇନ୍ଦୁଆର, ପ୍ରମୋଦ ମିଞ୍ଜ, ବୁତରୁ ଖାଡ଼ିଆ ଓରଫ ଅର୍ଜୁନ ଖାଡ଼ିଆ ଓ ରାଜମୋନହ କିଶାନ ଓରଫ ଟିଙ୍କୁ ପ୍ରମୁଖଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ବାଇକ ନଂ-ଓଡ଼ି୧୪ଏମ-୯୩୮୦, ଦୁଇଟି ମୋବାଇଲ, ଲୁଟ କରିନେଇଥିବା ୩୨ହଜାର ଟଙ୍କାରୁ ନଗଦ ୩୦ ହଜାର ଟଙ୍କା, ଗୋଟିଏ ପିସ୍ତଲ ଓ ଦୁଇଟି ଜିଅନ୍ତା ଗୁଳି ଜବତ କରିଥିଲେ ହେଲେ ଏହି ସ୍କ୍ୱାର୍ଡ଼ ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ତଥା ଏରିଆ କମାଣ୍ଡର ଅର୍ଜୁନ ରଣାକୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ। ଗିରଫ ୪ ପି.ଏଲ.ଏଫ.ଆଇ ସଦସ୍ୟାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସହ ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ ଥାନା ଅଞ୍ଚଳରେ କମ୍ବି ଅପରେସନ ଜାରି ରହିଛି। ଆଜି ଜିଲା ପୁଲିସ କାର୍ଯ୍ୟାଳୟଠାରେ ସୁନ୍ଦରଗଡ଼ ଏସ.ପି. ସୌମ୍ୟା ମିଶ୍ରା ଏକ ସାମ୍ବାଦିକ ସମ୍ମିଳନୀରେ ଗିରଫ ୪ ପି.ଏଲ.ଏଫ.ଆଇ ସଦସ୍ୟଙ୍କ ସଂପର୍କରେ ସୂଚନା ଦେବା ସହ ସେମାନଙ୍କ କାର୍ଯ୍ୟକଳାପ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ ହିଁ ଅନେକ ତଥ୍ୟ ତଦନ୍ତକୁ ପ୍ରଭାବିତ କରିବା ଦୃଷ୍ଟିରୁ ପ୍ରକାଶ କରିନଥିଲେ। ସୂଚନା ଯୋଗ୍ୟ, ଏହି ଘଟଣାରେ ସଂପୃକ୍ତ ଥିବା ପିଏଲଏଫଆଇ ସଦସ୍ୟମାନେ ୨୦୧୭ ମସିହାରେ ଗିରଫ ହୋଇ ଜେଲରେ ଥିଲେ। ଗତ ୩/୪ମାସ ପୂର୍ବରୁ ଏମାନେ ଜେଲରୁ ବାହାରିବା ପରେ ପୁନଶ୍ଚ ନିଜର ଗତିବିଧି ଓ କାର୍ଯ୍ୟକଳାପକୁ ସକ୍ରିୟ କରିଥିବାର ଜଣାପଡ଼ିଛି ହେଲେ ଏରିଆ କମାଣ୍ଡର ଅର୍ଜୁନକୁ ଗିରଫ କଲେ ଅନେକ ଅନ୍ୟ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ.ପି ରବିନାରାୟଣ ବାରିକ, ଡ଼ି.ଏସ.ପି ଦାମୋଦର ମାଝି ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.