ସିଡ଼ିଏମଓ ନିଲମ୍ବନ ପ୍ରସଙ୍ଗ, କୁହୁଳୁୁଛି ଅସନ୍ତୋଷ, ଥମି ନାହିଁ ପ୍ରତିବାଦ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା.ପଙ୍କଜ କୁମାର ପଟେଲଙ୍କ ନିଲମ୍ବନ ଆଦେଶର ୫ଦିନ ପରେ ମଧ୍ୟ ସହରବାସୀ ଓ ସଦର ମହକୁମା ହସ୍ପିଟାଲର ଅଧିକାରୀଙ୍କ ଠୁ ନେଇ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଅପରପକ୍ଷରେ ଦିନକୁ ଦିନ ପ୍ରତିବାଦର ସ୍ୱର ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ ଚାଲିଛି। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ, ଦିନେ ଦୁଇ ଦିନ ମଧ୍ୟରେ ସରକାର ନିଲମ୍ବନ ଆଦେଶ ଉପରେ କୌଣସି ଠୋସ ପଦକ୍ଷେପ ନ ନେଲେ ଆନ୍ଦୋଳନର ରୂପରେଖ କେଉଁ ଆଡ଼କୁ ଯିବ ତାହା କହିହେବ ନାହିଁ। ନିଲମ୍ବନ ଆଦେଶକୁ ନେଇ ସହରର ପାନ ଦୋକାନଠୁ ନେଇ ସରକାରୀ ଦପ୍ତରରେ ଆଲୋଚନା ଓ ଚର୍ଚ୍ଚା ଜାରି ରହିଛି। ଆଜି ମଧ୍ୟ ସୁନ୍ଦରଗଡ଼ ସଦର ହସ୍ପିଟାଲରେ କାର୍ଯ୍ୟରତ ପ୍ରଥମ ଶ୍ରେଣୀ ଅଧିକାରୀ (ଡାକ୍ତର ଓ ବିଶେଷଜ୍ଞ) ସମେତ ସମସ୍ତ ବର୍ଗର କର୍ମଚାରୀମାନେ ଏକ ହୋଇ ଏକ ନୀରବ ଶୋଭାଯାତ୍ରା ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଘଟଣା ସହରରେ ପୁଣି ଚର୍ଚ୍ଚାର ବଜାରକୁ ଗରମ କରିଦେଇଛି। ଡାକ୍ତରଙ୍କଠାରୁ ନର୍ସ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରତିବାଦ ସ୍ୱରୂପ ପ୍ଲା କାର୍ଡ଼ ଧରି ‘ଆମେ ମଧ୍ୟ ମଣିଷ, ଆମ ଉପରେ ଏପରି କଳଙ୍କ ଲଗାନଯାଉ (ଡା.ପଟେଲଙ୍କ ଉଦ୍ଦେଶ୍ୟରେ)’ ନୀରବ ଶୋଭାଯାତ୍ରା ମାଧ୍ୟମରେ ସମଗ୍ର ହସ୍ପିଟାଲ ପରିସରରେ ପରିକ୍ରମା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରେରଣ କରାଯାଇଥିବାର ଜଣାପଡ଼ିଛି। ଜଣେ ନିଷ୍ଠାପର ଓ ସଚ୍ଚୋଟ ଡାକ୍ତର ୩୦ବର୍ଷ ସେବା ପ୍ରଦାନ କରିବା ପରେ ଅବସର ନେବାର ଶେଷ ପର୍ଯ୍ୟାୟରେ ତାଙ୍କୁ ଯେଭଳି ଭାବେ ବେଆଇନ ଦଣ୍ଡବିଧାନ କରାଗଲା ତାହା ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ମାନସିକ ଅଶାନ୍ତିର କାରଣ ହୋଇଛି। ଏପରିକି ଡା.ପଟେଲଙ୍କ ନିଲମ୍ବନ ଆଦେଶ ସହରବାସୀ ହଜମ କରି ପାରୁନଥିବା ବେଳେ ତାଙ୍କୁ ନ୍ୟାୟ ପ୍ରଦାନ କିପରି କରାଯିବ ସେ ନେଇ ତୁହାକୁତୁହା ବୈଠକ, ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି। ସୂଚନା ଯୋଗ୍ୟ, ଗତ ୧୩ ତାରିଖ ଦିନ ୫-ଟି ସଚିବ ଓ ତାଙ୍କ ଟିମ ହସ୍ପିଟାଲ ପରିଦର୍ଶନ କରି କର୍ତ୍ତବ୍ୟନିଷ୍ଠ ଭାରପ୍ରାପ୍ତ ସିଡ଼ିଏମଓ ଡା. ପଙ୍କଜ ପଟେଲଙ୍କୁ ନିଲମ୍ବନ ଆଦେଶ ଦେବା ସହ ଜିଲା ସ୍ୱାସ୍ଥ୍ୟ ସମିତିର ଅଧ୍ୟକ୍ଷ ତଥା ଜିଲାପାଳ ନିଖିଳ ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

Comments are closed.