ଗଳାକାଟି ହତ୍ୟା: ଜେଲ୍‍ ଗଲା ଷ୍ଟୋନ୍‌ମ୍ୟାନ୍‌

କଟକ: କଟକରେ ​ଷ୍ଟୋନମ୍ୟାନ ଆତଙ୍କ ଓ ତିନି ତିନିଟି ହତ୍ୟାକାଣ୍ଡ ଘଟଣାରେ ଅଟକ ଥିବା ଅଭିଯୁକ୍ତ ନାରାୟଣ ସାହୁଙ୍କୁ ପୁଲିସ ଶେଷରେ ଗିରଫ ଦର୍ଶାଇ ଜେଲ ପଠାଇଛି। ତିନିଦିନ କାଳ ଜେରା କରିବା ପରେ ନାରାୟଣକୁ ଗୁରୁବାର ପୁଲିସ କୋର୍ଟ ଚାଲାଣ କରିଛି। ଓଏମପି ଛକରେ ଘଟିଥିବା ୨ଟି ହତ୍ୟାକାଣ୍ଡରେ ନାରାୟଣକୁ ପୁଲିସ ଅଭିଯୁକ୍ତ ଦର୍ଶାଇଛି। ତେବେ ରାଣୀହାଟ ହତ୍ୟାକାଣ୍ଡ ଘଟଣାରେ ତା’ର ସମ୍ପୃକ୍ତି ନେଇ ପୁଲିସ ଆବଶ୍ୟକ ତଥ୍ୟ ହାସଲ କରିପାରିନାହିଁ।
ମାରାଥନ ଜେରା ପରେ ଗୁରୁବାର ସକାଳେ ତଦନ୍ତକାରୀ ଦଳ କଡାସୁରକ୍ଷା ବ୍ୟବସ୍ଥାରେ ନାରାୟଣକୁ ଓଏମପିରେ ଘଟିଥିବା ହତ୍ୟାକାଣ୍ଡ ସ୍ଥଳକୁ ନେଇଥିଲେ। ନାରାୟଣ ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସକୁ ସୂଚନା ଦେବା ସହିତ ଲୁଚାଇଥିବା ମାରଣାସ୍ତ୍ର ପୁଲିସକୁ ଦେଖାଇଥିଲା। ସେଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଟାଙ୍ଗିଆ ସହିତ ସେ ହତ୍ୟାକାଣ୍ଡ ଦିନ ସେ ପିନ୍ଧିଥିବା ଗାମୁଛାକୁ ପୁଲିସ ଜବତ କରିଥିଲା।
ରାଣୀହାଟ ଘଟଣା​‌ରେ ମୃତକଙ୍କ ପରିଚୟ ମିଳିଥିଲେ ହେଁ ଓଏମପି ଛକ ଡବଲ ମର୍ଡର ଘଟଣାର ଏପର୍ଯ୍ୟନ୍ତ ମୃତକଙ୍କ କୌଣସି ପରିଚୟ ମିଳିପାରିନାହିଁ। ୨୪ ଘଣ୍ଟାରେ ଘଟିଥିବା ୩ଟି ହତ୍ୟାକାଣ୍ଡରେ ଗୋଟିଏ ମାରଣାସ୍ତ୍ର ବ୍ୟବହାର କରାଯାଇଛି। ତେଣୁ ଏହି ଅସ୍ତ୍ରରେ ତିନିଜଣଙ୍କୁ ସମାନ ଢ଼ଙ୍ଗରେ ହତ୍ୟା କରାଯାଇଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ରାଣୀହାଟ ହତ୍ୟାକାଣ୍ଡର ତଥ୍ୟ ହାସଲ ସକାଶେ ନାରାୟଣକୁ ପୁଲିସ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ। ଜିମାରେ ଆଣି ରାଣୀହାଟ ଘଟଣା ସମ୍ପର୍କରେ ପଚରାଉଚରା କରାଯିବ।
ଆବଶ୍ୟକ ପଡିଲେ ନାରାୟଣର ପଲିଗ୍ରାଫ ପରୀକ୍ଷା କରାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂହ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଘଟଣାରେ
ସଂପୃକ୍ତ ଥିବା ନେଇ ଧରାପଡିଥିବା ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ ସୁନାମୁହିଁ ଗ୍ରାମର ନାରାୟଣ ସାହୁ(୩୫) ପାଇଗୁଲାର(ହଠାତ୍‍ କ୍ରୋଧାନ୍ୱିତ ହୋଇଯିବା) କାରଣରୁ ଏହି ହତ୍ୟାକାଣ୍ଡ ଘଟାଇଛି। ଜେରାର ତିନିଦିନ ପରେ ବି ନାରାୟଣ ତିନିଟି ନୁହେଁ; କେବଳ ଓଏମପି ଛକରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡରେ ତା’ର ହାତ ରହିଥିବା କହିଛି; କିନ୍ତୁ ରାଣୀହାଟ-ଛତ୍ରବଜାର କେନାଲ ରାସ୍ତାରେ ଘଟିିଥିବା ହତ୍ୟାକାଣ୍ଡରେ ତା’ର କୌଣସି ହାତ ନ ଥିବା କହିଛି। ଏହି ଘଟଣା ପାଇଁ ପୁଲିସ ଅଧିକ ତଥ୍ୟ ଯୋଗାଡରେ ଲାଗିଛି। କେବଳ ଓଏମପି ଛକ ହତ୍ୟାକାଣ୍ଡ ନେଇ ଯଥେଷ୍ଟ ପ୍ରମାଣ ହାତରେ ଲାଗିଥିବାରୁ ତା’ ବିରୋଧରେ ମାମଲା ରୁଜୁ କରାଯାଇଥିବା ଶ୍ରୀ ସିଂହ କହିଛନ୍ତି।
ତିନିଟି ହତ୍ୟାକାଣ୍ଡ ଘଟିଥିଲେ ବି ହତ୍ୟାକାଣ୍ଡ ସ୍ଥଳରେ ହତ୍ୟାକାରୀ କୌଣସି ପ୍ରମାଣ ଛାଡି ନଥିବାରୁ କିମ୍ବା କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଅଭିଯୁକ୍ତକୁ ଗିରଫ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ୨୪ ତାରିଖ ରାତିରେ ଓଏମପିଛକରେ ୨ଟି ହତ୍ୟାକାଣ୍ଡ ଘଟିଥିଲା। ୨୫ ତାରିଖ ସକାଳ ସାଢ଼େ ୫ଟାରେ ଏସସିବି ହୃଦ୍‌ଶଲ୍ୟ ବିଭାଗ ସମ୍ମୁଖରେ ଜଣକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କର ବେକ ଓ ହାତ କଟିଯାଇଥିଲା। ଅନ୍ୟଦୁଇଟି ଘଟଣା ମଧ୍ୟ ସମାନ ଢ଼ଙ୍ଗରେ ହୋଇଥିଲା। ମେଡିକାଲ ଆଖପାଖ ସିସିଟିଭି ଯାଞ୍ଚ କରାଯିବାରୁ ତାଙ୍କୁ ଏଠାକୁ ଆଣି ଜଣେ ବାଇକ ଚାଳକ ଛାଡି ପଳାଇ ଯାଇଥିବା ଜଣାପଡିଥିଲା। ଉକ୍ତ ବାଇକ ଚାଳକ ହୃଦ୍‌ରୋଗ ବିଭାଗ ସମ୍ମୁଖରେ ପଡିଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଓଏମପି ଛକରୁ ଉଦ୍ଧାର କରିଥିଲେ ବୋଲି ପୁଲିସକୁ କହିଥିଲା। ଉକ୍ତ ବ୍ୟକ୍ତିଠାରୁ ତଥ୍ୟ ମିଳିବା ପରେ ଘଟଣାର ତଦନ୍ତ ପାଇଁ ୫ଟି ସ୍ୱତନ୍ତ୍ର ତଦନ୍ତକାରୀ ଦଳ କରାଯାଇଥିଲା। ପ୍ରଥମେ ରାଣୀହାଟରେ ଥିବା ଏକ ନର୍ସିଂହୋମର ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା। ଜଣେ ବ୍ୟକ୍ତି ଗାମୁଛା ପିନ୍ଧି ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଥିଲା। ୨୪ତାରିଖ ଓଏମପି ଛକ ହତ୍ୟାକାଣ୍ଡ ତନାଘନା କରାଯାଇଥିଲା। କଲେଜଛକ ଅଞ୍ଚଳରେ ଲାଗିଥିବା ଏକ କ୍ୟାମେରାରେ ଗାମୁଛା ପିନ୍ଧିଥିବା ଉକ୍ତ ବ୍ୟକ୍ତିଜଣକ ଫ୍ଲାଇଓଭରରୁ ଆସୁଥିବା ଦେଖାଦେଇଥିଲା। ଅଧିକ ତଦନ୍ତ ପରେ ସେ ହିଁ ହତ୍ୟାକାରୀ ବୋଲି ପୁଲିସ ନିଶ୍ଚିତ ହୋଇଯାଇଥିଲା। ହତ୍ୟାକାଣ୍ଡ ପରେ ଧରାପଡିବା ଭୟରେ ନାରାୟଣ ସେହିଦିନ ସନ୍ଧ୍ୟାରେ ବାଦାମବାଡ଼ିରୁ ବସ୍‍ ଯୋଗେ କଟକ ଛାଡି ପଳାଇ ଯାଇଥିଲା। ଯାଞ୍ଚ ପରେ ସେ ଗଞ୍ଜାମର କୁମ୍ପାଗୁଡ଼ା ଚାଲିଯାଇଥିବା ସୂଚନା ମିଳିଥିଲା। ୨୭ତାରିଖ ରାତିରେ ପୁଲିସ ସେଠାରେ ଚଢ଼ଉ କରିଥିଲେ ହେଁ ତାକୁ ଧରିବାରେ ବିଫଳ ହୋଇଥିଲା। ସ୍ଥାନୀୟ କିଛି ଲୋକଙ୍କୁ ସିସିଟିଭି ଫୁଟେଜ ଫଟୋ ଦେଖାଇବା ପରେ ପୁଲିସ ନାରାୟଣର ଘର ଠିକଣା ନୟାଗଡ଼ର ସୁନାମୁହିଁ ଗ୍ରାମରେ ହୋଇଥିବା ଜାଣିବାକୁ ପାଇଥିଲା। ୨୯ତାରିଖ ସକାଳେ ପୁଲିସ ନାରାୟଣକୁ ଧରି କଟକ ଫେରିଥିଲା।
ଅନ୍ୟପକ୍ଷରେ ନାରାୟଣର ମା’ ସତ୍ୟଭାମା ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ପୁଅ ନିର୍ଦୋଷ। ଯିଏ ରକ୍ତ ଟୋପାଏ ଦେଖିଲେ ବେହୋସ୍‌ ହୋଇପଡେ ସିଏ କ’ଣ ନରହତ୍ୟା କରିପାରେ! ତାଙ୍କ ପୁଅକୁ ମିଛରେ ପୁଲିସ ଫସାଇ ଜେଲ ପଠାଇଛି। ତୁରନ୍ତ ତାକୁ ମୁକ୍ତ କରିବାକୁ ସତ୍ୟଭାମା ଆକୁଳ ନିବେଦନ କରିଛନ୍ତି।

Comments are closed.