ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟ୍ବେଣ୍ଟି-୨୦; ଦକ୍ଷିଣ ଆଫ୍ରିକା ୯ୱିକଟରେ ବିଜୟୀ, ୧-୧ରେ ସିରିଜ୍ ବରାବର

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ରବିବାର ଖେଳାଯାଇଥିବା ତୃତୀୟ ତଥା‌ ‌‌ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୯ୱିକେଟରେ ପରାସ୍ତ କରିଛି। ଡି କକ୍‌ଙ୍କ ଅପରାଜିତ ୭୯ ରନ୍‌ର ଇନିଂସ ବଳରେ ଭାରତକୁ ୯ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ଶିଖର ଧାୱନଙ୍କ ୩୬ ରନ୍ ସତ୍ତ୍ବେ ମଧ୍ୟକ୍ରମ ବିପର୍ଯ୍ୟୟ ଯୋଗୁଁ ପ୍ରଥମେ ବ୍ୟାଟିଂକରି ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୧୩୪ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ସହଜରେ ବିଜୟଲକ୍ଷ୍ୟର ପିଛାକରି ୧୬.୫ ଓଭରରେ ୧ ୱିକେଟ ହରାଇ ଜିତିଥିଲା। ଫଳରେ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍ ୧-୧ରେ ଅମୀମାଂସିତ ରହିଛି। ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ଯାଇଥିବା ବେଳେ ୨ୟ ଟ୍ବେଣ୍ଟି୨୦କୁ ଭାରତ ସହଜରେ ଜିତିଥିଲା। ଅକ୍ଟୋବର ୨ରୁ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଆରମ୍ଭ ହେବ।
ଅତ୍ୟନ୍ତ ଦୃଢ଼ତାର ସହ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୧୩୫ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା କ୍ବିଣ୍ଟନ୍ ଡି କକ୍ ତାଙ୍କ ଭଲ ଫର୍ମ ବଜାୟ ରଖି ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ରିଜା ହେଣ୍ଡ୍ରିକ୍‌ସ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ୬ ଓଭରର ପାୱରପ୍ଲେ ଶେଷରେ ଦକ୍ଷିଣ ଆଫ୍ରିକା ବିନା ୱିକେଟରେ ୪୩ ରନ୍ କରିଥିଲା। ଓପ୍‌ନିଂ ଯୋଡ଼ି ୧୦ ଓଭରରେ ୭୬ ରନ୍ ସ୍କୋର୍‌କରି ଦଳର ବିଜୟପଥ ସୁଗମ କରିଥିଲେ। ହେଣ୍ଡ୍ରିକ୍‌ସ ୨୬ ବଲ୍‌ରୁ ୪ଟି ଚୌକା ସହ ୨୮ ରନ୍‌କରି ଆଉଟ ହୋଇଥିଲେ। ତେବେ ଅନ୍ୟପଟେ ବାମହାତି ଡି କକ୍ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ଅନଭିଜ୍ଞ ଭାରତୀୟ ବୋଲିଂ ଡି କକ୍‌ଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା। ତେମ୍ବା ବାଭୁମା ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଦୁହେଁ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ବାଭୁମା ୨୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍‌କରି ଅପରାଜିତ ଥିଲେ। ଡି କକ୍ ୫୨ ବଲ୍‌ରୁ ୫ଟି ଛକା ଓ ୬ଟି ଚୌକା ସହ ୭୯ ରନ୍‌କରି ଅପରାଜିତ ଥିଲେ। ବ୍ୟୁରାନ୍ ହେଣ୍ଡ୍ରିକ୍‌ସ ପ୍ଲେୟର ଅଫ୍ ଦି ମ୍ୟାଚ୍ ଏବଂ କ୍ବିଣ୍ଟନ୍ ଡି କକ୍ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।
ଟସ୍ ଜିତି ଭାରତ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକାର ସମସ୍ତ ବୋଲର ଭଲ ବୋଲିଂକରି ସାମୂହିକ ସଫଳତା ହାସଲ କରିବା ସହ ଭାରତୀୟ ଇନିଂସକୁ ନିୟନ୍ତ୍ରଣରେ ରଖି ପାରିଥିଲେ। ୨୨ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ରୋହିତ ଶର୍ମା ୯ ରନ୍‌କରି ବିଦାୟ ନେଇଥିଲେ। ଗତ ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଥିବା ଶିଖର ଧାୱନ ମଧ୍ୟ ଏହି ମ୍ୟାଚ୍‌ରେ ଭଲ ଇନିଂସ ଖେଳିଥିଲେ। ବାମହାତି ଧାୱନ୍ ୨୫ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୬ ରନ୍‌କରି ବିଦାୟ ନେଇଥିଲେ। ଏହାସହ ୩୫ ରନ୍‌ରେ ଭାରତ ୫ଟି ୱିକେଟ ହରାଇ ଅସୁବିଧାରେ ପଡ଼ି ଯାଇଥିଲା। ଅଧିନାୟକ ବିରାଟ କୋହଲି ୯ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ଋଷଭ ପନ୍ତ୍ ଲମ୍ବା ଇନିଂସ ଖେଳିବାର ପ୍ରୟାସ କରିଥିଲେ ହେଁ ଏଥିରେ ବିଫଳ ହୋଇଥିଲେ। ବାମହାତି ପନ୍ତ୍ ୨୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୯ ରନ୍ କରିଥିଲେ। ଶ୍ରେୟାସ ଆୟର ୫ ଏବଂ ପରେପରେ କ୍ରୁନାଲ ପାଣ୍ଡ୍ୟା ୪ ରନ୍‌କରି ବିଦାୟ ନେଇଥିଲେ। ୧୫ଶ ଓଭର​‌େ​‌ର ଭାରତ ୯୮ ରନ୍‌ରେ ୬ଟି ୱିକେଟ ହରାଇଥିଲା। ପରେ ଦୁଇ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜା ଲଢ଼ୁଆ ବ୍ୟାଟିଂ ଦଳକୁ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇ ପାରିଥିଲେ। ଜାଡ଼େଜା ୧୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୯ ରନ୍‌ କରିଥିଲେ। ପାଣ୍ଡ୍ୟା ୧୪ ରନ୍ କରିଥିଲେ। କାଗିସୋ ରାବାଡ଼ା ୩ଟି ଏବଂ ବ୍ୟୋନ୍ ଫୋର୍ଟୱିନ୍ ଓ ବ୍ୟୁରାନ୍ ହେଣ୍ଡ୍ରିକ୍‌ସ ୨ଟି ଲେଖାଏଁ ୱିକେଟ ପାଇଥିଲେ।

ସ୍କୋରବୋର୍ଡ

ଭାରତ (୨୦ ଓଭର) ୯/୧୩୪
ଧାୱନ କ୍ୟା ବାଭୁମା ବୋ ସାମ୍‌ସି ୩୬
ରୋହିତ କ୍ୟା ରିଜା ​ବୋ ବ୍ୟୁରାନ୍ ୯
କୋହଲି କ୍ୟା ଫେଲୁକ୍ବାୟୋ ​ବୋ ରାବାଡ଼ା ୯
ପନ୍ତ୍‌ କ୍ୟା ଫେଲୁକ୍ବାୟୋ ​ବୋ ଫୋର୍ଟୱିନ୍ ୧୯
ଶ୍ରେୟାସ ଷ୍ଟ ଡି କକ୍ ବୋ ଫୋର୍ଟୱିନ୍ ୫
ହାର୍ଦିକ  କ୍ୟା ମିଲର ବୋ ରାବାଡ଼ା ୧୪
କ୍ରୁନାଲ କ୍ୟା ଡି କକ୍ ବୋ ବ୍ୟୁରାନ୍ ୪
ଜାଡ଼େଜା  କ୍ୟା/ବୋ ରାବାଡ଼ା ୧୯
ସୁନ୍ଦର  ରନ୍‌ଆଉଟ ୪
ଦୀପକ ଚହର   ଅପରାଜିତ ୦
ସୈନି      ଅପରାଜିତ ୦
ଅତିରିକ୍ତ ୧୫
ୱିକେଟ ପତନ: ୧ମ-୨୨, ୨ୟ-୬୩, ୩ୟ-୬୮, ୪ର୍ଥ-୯୦, ୫ମ-୯୨, ୬ଷ୍ଠ-୯୮, ୭ମ-୧୨୭, ୮ମ-୧୩୩, ୯ମ-୧୩୩।
ବୋଲିଂ: ଫୋର୍ଟୱିନ୍ ୩-୦-୧୯-୨, ରାବାଡ଼ା ୪-୦-୩୯-୩, ବ୍ୟୁରାନ୍ ହେଣ୍ଡ୍ରିକ୍‌ସ ୪-୦-୧୪-୨, ଫେଲୁକ୍ବାୟୋ ୪-୦-୨୮-୦, ସାମ୍‌ସି ୪-୦-୨୩-୧, ପ୍ରିଟୋରିୟସ୍‌ ୧-୦-୮-୦।
ଦ. ଆଫ୍ରିକା (୧୬.୫ ଓଭର) ୧/୧୪୦
ହେଣ୍ଡ୍ରିକ୍‌ସ କ୍ୟା କୋହଲି ବୋ ହାର୍ଦିକ ୨୮
ଡି କକ୍‌ ଅପରାଜିତ ୭୯
ବାଭୁମା ଅପରାଜିତ ୨୭
ଅତିରିକ୍ତ ୬
ୱିକେଟ ପତନ: ୧ମ-୭୬।
ବୋଲିଂ:ସୁନ୍ଦର ୪-୦-୨୭-୦, ଦୀପକ ୩-୦-୧୫-୦, ନବଦୀପ୍‌ ୨-୦-୨୫-୦, କ୍ରୁନାଲ୍‌ ପାଣ୍ଡ୍ୟା ୩.୫-୦-୪୦-୦, ହାର୍ଦିକ ପାଣ୍ଡ୍ୟା ୨-୦-୨୩-୧, ଜାଡ଼େଜା ୨-୦-୮-୦।

 

Comments are closed.