ସଂସଦରେ ଶିବସେନାକୁ ମିଳିବ ବିରୋଧୀଙ୍କ ଆସନ, ଏନଡିଏ ବୈଠକରେ ଯୋଗଦେବନି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଟକ୍କର ହେବା ପରେ ବିଜେପି ହାତ ଛାଡ଼ିଥିବା ଶିବସେନା ଏବେ ସଂସଦରେ ବିରୋଧୀଙ୍କ ସହିତ ବସିବ। ଶିବସେନା ସାଂସଦଙ୍କୁ ବିରୋଧୀଙ୍କ ଆସନ ଦିଆଯିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ରବିବାର କହିଛନ୍ତି ଯେ, ଶିବସେନା ମନ୍ତ୍ରୀ ଅରବିନ୍ଦ ସାୱନ୍ତ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଏବଂ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଶିବସେନା କଂଗ୍ରେସ ଓ ଏନସିପି ସହିତ ଆଲୋଚନା କରିଛି। ତେଣୁ ସଂସଦର ଉଭୟ ଗୃହରେ ଶିବସେନାକୁ ବିରୋଧୀଙ୍କ ଆସନ ଆବଣ୍ଟନ କରାଯାଇଛି।

ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ଅରବିନ୍ଦ ସାୱନ୍ତ ଏଣିକି ଲୋକସଭାରେ ପ୍ରଥମ ଧାଡ଼ି ବଦଳରେ ୩ୟ ଧାଡ଼ିରେ ବସିବେ। ଶିବସେନାର ଅନ୍ୟ ସାଂସଦମାନଙ୍କୁ ବି ନୂଆ ଆସନ ଆବଣ୍ଟନ କରାଯିବ। ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଶିବସେନାର ଏକମାତ୍ର ସାଂସଦ ଅରବିନ୍ଦ ସାୱନ୍ତ ଗତ ସୋମବାର ଇସ୍ତଫା ଦେଇଥିଲେ। ଶିବସେନା ପକ୍ଷରୁ ଶନିବାର କୁହାଯାଇଥିଲା ଯେ ସଂସଦର ଶୀତକାଳୀଳ ଅଧିବେଶନ ପୂର୍ବ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏନଡିଏ ବୈଠକରେ ସାମିଲ ହେବ ନାହିଁ। ରବିବାର ସର୍ବଦଳୀୟ ବୈଠକରେ ପରେ ଯୋଶୀ କହିଥିଲେ ଯେ, ଶିବସେନା ମନ୍ତ୍ରୀ ଏନଡିଏ ସରକାରରୁ ଇସ୍ତଫା ଦେଇଦେଇଛନ୍ତି। ଶିବସେନା ଏନଡିଏ ବୈଠକରେ ସାମିଲ ହେବ ନାହିଁ।

Comments are closed.