ନିଜ ଫର୍ମୁଲାରେ ଫସିଲା ଶିବସେନା; ଏନସିପି ଚାହୁଁଛି ଅଢ଼େଇ ବର୍ଷର ମୁଖ୍ୟମନ୍ତ୍ରୀ ପଦବୀ

ମୁମ୍ବଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ କସରତ ଚାଲିଥିବାବେଳେ ଏହା ପ୍ରତି ମୁହୂର୍ତ୍ତରେ ନାଟକୀୟ ମୋଡ଼ ନେଉଛି। ରାଜ୍ୟପାଳଙ୍କ ଆମନ୍ତ୍ରଣ ପରେ ଶିବସେନା ସରକାର ଗଢ଼ିବାରେ ବିଫଳ ହେବାରୁ ଏବେ ଏନସିପି ପାଳି ପଡ଼ିଛି। ରାଜ୍ୟପାଳ ଏନସିପିକୁ ଦେଇଥିବା ୨୪ ଘଣ୍ଟାର ମହଲତ ମଙ୍ଗଳବାର ଶେଷ ହେଉଛି। ତେଣୁ ଏନସିପି କଂଗ୍ରେସ ଏବଂ ଶିବସେନା ସହିତ ମିଶି ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ଏନସିପିର ନୂଆ ଦାବି ଶିବସେନା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଶିବସେନା ଏବେ ନିଜ ୫୦-୫୦ ଫର୍ମୁଲାରେ ଫସିଯାଇଛି। କାରଣ ଏନସିପି ଶିବସେନା ସହିତ ମିଶି ସରକାର ଗଠନ କଲେ ଦୁଇ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ବଣ୍ଟନ ଚାହୁଁଛି। ଅର୍ଥାତ ଉଭୟ ଦଳ ଅଢ଼େଇ ବର୍ଷ ଲେଖାଏ ମୁଖ୍ୟମନ୍ତ୍ରୀ ପଦବୀ ନିଜ ହାତରେ ରଖିବେ ବୋଲି ଏନସିପି ଦାବି କରୁଛି।

ସରକାର ଗଠନରେ ବିଳମ୍ବ ପାଇଁ ଏନସିପି କଂଗ୍ରେସକୁ ଦାୟୀ କରିଥିଲା। କିନ୍ତୁ କଂଗ୍ରେସ ନିଜର ପକ୍ଷ ରଖି କହିଛି, ବିଳମ୍ବ ତାଙ୍କ ତରଫରୁ ନହେଁ, ବରଂ ଏନସିପି ମୁଖ୍ୟ ଶରଦ ପୱାରଙ୍କ ତରଫରୁ ହେଉଛି। ଶିବସେନା ଏବଂ ଏନସିପି ଅଢ଼େଇ ବର୍ଷ ଲେଖାଏ ମୁଖ୍ୟମନ୍ତ୍ରୀ ପଦ ମିଳୁ ବୋଲି ଶରଦ ପୱାର ଚାହୁଁଥିବା କଂଗ୍ରେସ କହୁଛି। ଫଳରେ ଶିବସେନା ଯେଉଁ ୫୦-୫୦ ଫର୍ମୁଲା ପାଇଁ ବିଜେପି ସହିତ ୩୦ ବର୍ଷର ସମ୍ପର୍କ ତୁଟାଇଲା, ବର୍ତ୍ତମାନ ସେହି ଫର୍ମୁଲାରେ ନିଜେ ଫସିଯାଇଥିବା କୁହାଯାଉଛି।

Comments are closed.