କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିବସେନା ସାଂସଦ

ନୂଆଦିଲ୍ଲୀ: ଏନସିପିର ସର୍ତ୍ତକୁ ମାନିନେବା ପରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଢ଼ିବା ଏକପ୍ରକାର ସ୍ଥିର ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶିବସେନା ସରକାର ଗଢ଼ିବା ଲାଗି ତତ୍ପର ହୋଇପଡ଼ିଛି। ଏନସିପିର ସର୍ତ୍ତ ଅନୁଯାୟୀ ସୋମବାର ସକାଳେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ଦାୟିତ୍ଵରେ ଥିବା ଅରବିନ୍ଦ ନିଜର ଇସ୍ତଫା ନେଇ ସକାଳେ ଏକ ସାମ୍ବାଦିକ ସମ୍ମିଳୀନରେ ଘୋଷଣା କରିଛନ୍ତି।

ସେ ନିଜ ଟ୍ବିଟରରେ ଲେଖିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ ସରକାର ଗଠନକୁ ନେଇ ଏକ ଫର୍ମୁଲା ସ୍ଥିର ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହି ଫର୍ମୁଲା କାର୍ଯ୍ୟକାରୀ କରିବାକୁ ମନା କରାଯାଉଛି। ବିଜେପି ମିଥ୍ୟା ବଳରେ ମହାରାଷ୍ଟ୍ରରେ ବହୁତ ଆଗକୁ ଯାଇଛି। ଶିବସେନା ସବୁବେଳେ ସତ୍ୟର ସହିତ ଛିଡ଼ା ହୋଇଛି। ଏତେ ମିଥ୍ୟା ପରିବେଶରେ ଦିଲ୍ଲୀ ସରକାରରେ କାହିଁକି ରହିବି ? ସେଥିଲାଗି ମୁଁ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି ବୋଲି ଅରବିନ୍ଦ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସରକାର ଗଢ଼ିବା ଲାଗି ଶିବସେନା ଏନସିପିର ସମର୍ଥନ ଲୋଡ଼ିଥିଲା। ଏହାର ଜବାବରେ ଏନସିପି ସର୍ତ୍ତ ରଖିଥିଲା ଯେ, ରାଜ୍ୟରେ ସରକାର ଗଢ଼ିବାରେ ସେ ସମର୍ଥନ କଲେ ଶିବସେନା ସାଂସଦଙ୍କୁ ମୋଦୀଙ୍କ ମନ୍ତ୍ରିମଣ୍ଡଳ ଛାଡ଼ିବାକୁ ପଡ଼ିବ। ତେଣୁ କୁହାଯାଉଛି ଯେ, ଶିବସେନା କଂଗ୍ରେସ ଏବଂ ଏନସିପି ସହିତ ମିଶି ରାଜ୍ୟରେ ସରକାର ଗଢ଼ିପାରେ। ଏହାକୁ ନେଇ ଆଜି କଂଗ୍ରେସର ବୈଠକ ଡକାଯାଇଛି। ଏ ସମ୍ପର୍କରେ କଂଗ୍ରେସ ନେତା ମଲିକାର୍ଜୁନ ଖାରଗେ କହିଛନ୍ତି, ଆଜି ସକାଳ ୧୦ଟାରେ ଏକ ବୈଠକ ଅଛି। ହାଇକମାଣ୍ଡଙ୍କ ନିର୍ଦେଶ ଅନୁସାରେ ଆମେ ଆଗକୁ ବଢ଼ିବୁ। କିନ୍ତୁ ଆମର ବାସ୍ତବିକ ନିଷ୍ପତ୍ତି ଏବଂ ଜନତାଙ୍କ ନିଷ୍ପତ୍ତି ଏହା ଯେ ଆ​‌ମେ ବିରୋଧୀ ଦଳ ହିସାବରେ ରହୁ। ବର୍ତ୍ତମାନ ଏହି ସ୍ଥିତି ରହିଛି। ଏଥିପାଇଁ ଜୟପୁରରେ ଥିବା କଂଗ୍ରେସ ବିଧାୟକମାନଙ୍କୁ ମୁମ୍ବଇ ଡକାଯାଇଛି।

Comments are closed.