ଏସ୍‌ସିବିରୁ ମୃତକଙ୍କ ଆଖି ଚୋରି !

ପତ୍ନୀଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ

ଭଦ୍ରକ : କଟକ ଏସସିବି ମେଡିକାଲରେ ଜଣେ ମୃତକର ଆଖିକୁ ତାଡି ନିଆଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ବାଗୁରାଇର ଏକ ଆଦିବାସୀ ପରିବାର ଏଭଳି ଅଭିଯୋଗ ଆଣିବା ପରେ ପୂର୍ବାଞ୍ଚଳ ଆଇଜିଙ୍କ ନିର୍ଦେଶ କ୍ରମେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଆଇଆଇସି ସରୋଜିନୀ ସିଂ ମାମଲାର ତଦନ୍ତ କରୁଛନ୍ତି।
ପୁଲିସ ସୂଚନାନୁଯାୟୀ; କଟକ ଏସସିବି ମେଡିକାଲ କଲେଜରେ ଚକ୍ଷୁଦାନ କାର୍ଯ୍ୟ ସମ୍ପାଦନ କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଏଲଭି ପ୍ରସାଦ ଆଇ ହସପିଟାଲ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗରୁ ଜଣାଯାଇଛି ଯେ ବାଗୁରାଇ ଆଦିବାସୀ କଲୋନୀର ବୀର ଗାଗରାଇ ଗତ ୭ତାରିଖରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୧୧ ତାରିଖରେ ବୀର ଗାଗରାଇଙ୍କ ମୃତ୍ୟୁ ହୋଇଥିଲା। ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ହୋଇଥିଲା। ତେବେ ଶବକୁ ଧରି ପରିବାର ଲୋକେ ଭଦ୍ରକର ବାଗୁରାଇ ଗାଁରେ ପହଞ୍ଚି ଦେଖିବା ବେଳକୁ ଦୁଇଟି ଆଖି ନଥିଲା। ତତ୍‌କ୍ଷଣାତ କେଉଁଠି କିଛି ଅଭିଯୋଗ କରାଯାଇ ନଥିଲା। ୪ଦିନ ପରେ ମୃତକଙ୍କ ପତ୍ନୀ ଚମ୍ପା ଶୁକ୍ରବାର ଭଦ୍ରକ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଆଖି ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ। ଅତିରିକ୍ତ ଜିଲାପାଳ ଏ ସମ୍ପର୍କରେ ପୁଲିସରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଚମ୍ପା ଏ ସମ୍ପର୍କରେ ଜିଲା ପୁଲିସର ଦ୍ୱାରସ୍ଥ ହେବା ପରେ ଜଣେ ସାମାଜିକ କର୍ମୀ ପୂର୍ବାଞ୍ଚଳ ଆଇଜିଙ୍କୁ ଅବଗତ କରାଇଥିଲେ। ଆଇଜି ଦିପ୍ତେଶ ପଟନାୟକଙ୍କ ନିର୍ଦେଶ ମତେ ଶନିବାର ସନ୍ଧ୍ୟାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ତେବେ ପ୍ରାଥମିକ ଅନୁଧ୍ୟାନରୁ ମିଳିଥିବା ଖବର ଅନୁଯାୟୀ; ମୃତକଙ୍କ ପରିବାରକୁ ‘ଚକ୍ଷୁଦାନ’ ସମ୍ପର୍କିତ ପ୍ରମାଣପତ୍ର ମିିଳିଛି; କିନ୍ତୁ ମୃତକର ସ୍ତ୍ରୀ ଏଭଳି ଚକ୍ଷୁଦାନ ସମ୍ପର୍କରେ ସେ ଜାଣନ୍ତି ନାହିଁ ବୋଲି ଅଭିଯୋଗ କରୁଛନ୍ତି। ଉକ୍ତ ଅଭିଯୋଗର ସତ୍ୟତା ପୁଲିସ ଯାଞ୍ଚ ପରେ ହିଁ ଜଣାପଡିବ ବୋଲି କୁହାଯାଇଛି।

Comments are closed.