ଏନଆରସି ସଂଯୋଜକଙ୍କୁ ମଧ୍ୟପ୍ରଦେଶ ବଦଳି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସାମ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି)ର ସଂଯୋଜକ ପ୍ରତୀକ ହାଜେଲାଙ୍କୁ ମଧ୍ୟପ୍ରଦେଶକୁ ଡେପୁଟେସନରେ ପଠାଇବା ଲାଗି ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୭ ଦିନ ଭିତରେ ଏ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ କରିବାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ଜଷ୍ଟିସ ଏସ. ଏ. ବୋବଡେ ଏବଂ ଜଷ୍ଟିସ ଆର. ନରିମନଙ୍କ ପୀଠ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ତାଙ୍କ ବଦଳିର କୌଣସି କାରଣ ଦର୍ଶାଇ ନାହାନ୍ତି।

ଏ ସମ୍ବନ୍ଧରେ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ କୋର୍ଟରେ ପ୍ରଶ୍ନ ଉଠାଇବାରୁ ପ୍ରଧାନ ବିଚାରପତି କହିଥିଲେ ଯେ କାରଣ ନ ଥାଇ କୌଣସି ନିର୍ଦ୍ଦେଶ ଦିଆଯାଏ ନାହିଁ। ତେବେ ହାଜେଲାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ୨୦୧୩ ସେପ୍ଟେମ୍ବର ୫ରେ ତାଙ୍କୁ ଆସାମ ଏନଆରସି ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏନଆରସିରେ ଜାଲିଆତି ନେଇ ଗତ ମାସରେ ହାଜେଲାଙ୍କ ବିରୋଧରେ ଜଣେ ଆଇନଜୀବୀ ଏବଂ ନିଖିଳ ଆସାମ ଗୋରିୟା-ମୋରିୟା ଯୁବ ଛାତ୍ର ପରିଷଦ ପକ୍ଷରୁ ଦିବ୍ରୁଗଡ଼ ଓ ଗୌହାଟୀଠାରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି।

Comments are closed.