ଦିଲ୍ଲୀ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟର ରାୟ : ଶ୍ବାସରୁଦ୍ଧ କରି ମାରିବା ଅପେକ୍ଷା ବିସ୍ଫୋରଣରେ ମାରିଦିଅ

ନୂଆଦିଲ୍ଲୀ: ଫସଲର ଅବଶିଷ୍ଟା ଅଂଶ ଜାଳିବା ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରାଯିବା ସତ୍ତ୍ବେ ଉତ୍ତରପ୍ରଦେଶ, ହରିୟାଣା ଓ ପଞ୍ଜାବର ଏହା ବନ୍ଦ ହେବାର ନାଁ ନେଉନାହିଁ। ଏହାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି। ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ମାତ୍ରାକୁ ଦୃଷ୍ଟରେ ରଖି ଅଦାଲତ ସଲିସିଟର ଜନେରଲଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ, ଲୋକଙ୍କୁ ଗ୍ୟାସ୍ ଚ୍ୟାମ୍ବରରେ ଶ୍ବାସରୁଦ୍ଧ କରି ମାରିବା ଅପେକ୍ଷା ବିସ୍ଫୋରଣ କରି ଏକାଥରେ ମାରିଦିଅ। ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଦିଲ୍ଲୀ ଅବସ୍ଥା ନର୍କ ଠାରୁ ମଧ୍ୟ ହୀନ।

ଏହା ସହ ପଞ୍ଜାବ ମୁଖ୍ୟ ସଚିବଙ୍କୁ ସୁପ୍ରିମକୋର୍ଟ ଚେତାଇ କହିଛନ୍ତି ଯେ, ପ୍ରଦୂଷଣ କାରଣରୁ ଦିଲ୍ଲୀବାସୀଙ୍କୁ କିପରି ମରିବା ପାଇଁ ଛାଡି ଦେବ। ଦିଲ୍ଲୀରେ ଚାଲୁଥିବା କଳକାରଖାନାର ପର୍ଯ୍ୟାବରଣ ପରିବେଶ ଉପରେ ପକାଉଥିବା ପ୍ରଭାବର ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)କୁ ନିଦେର୍ଶ ଦେଇଛନ୍ତି। ୧୦ ଦିନ ଭିତରେ ସହରରେ ବାୟୁ ବିଶୁଦ୍ଧୀକରଣ ଲାଗି ଯୋଜନାର ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

Comments are closed.