ସଂକଳ୍ପର ଶକ୍ତି

ପ୍ରସିଦ୍ଧ ଗଣିତଜ୍ଞ ଓ ଜ୍ୟୋତିଷ ଭାସ୍କରାଚାର୍ଯ୍ୟ କନ୍ୟା ଲୀଳାବତୀଙ୍କୁ ସେ ସମୟର ପ୍ରଥା ଅନୁଯାୟୀ ଅତି କମ୍‌ ବୟସରେ ବିବାହ କରାଇଥିଲେ। ବିଡ଼ମ୍ବନା ଏହା ଥିଲା ଯେ ବିବାହର କମ୍‌ ଦିନ ପରେ ସେ ବିଧବା ହୋଇଥିଲେ। ଏହି ଦୁଃଖ ଅସହ୍ୟ ଥିଲା ଲୀଳାବତୀଙ୍କ ପାଇଁ। ସର୍ବଦା ମନଦୁଃଖରେ ରହୁଥାନ୍ତି। ଭାସ୍କରାଚାର୍ଯ୍ୟ ଝିଅର ଏଭଳି ଦୁଃଖକୁ ସହି ପାରିନଥିଲେ। ଶଶୁରାଳୟରୁ ନିଜ ଘରକୁ ନେଇ ଆସିଥଲେ। ପିତ୍ରାଳୟରେ ରହି ମଧ୍ୟ ଲୀଳାବତୀ ସର୍ବଦା ମନଦୁଃଖରେ ବସି ରହନ୍ତି। ନିଜର ଭାଗ୍ୟକୁ ନିନ୍ଦି ଆଖିରୁ ଲୁହ ଝରାନ୍ତି। ନା ଭଲରେ ଖାଉଥିଲେ ନା ଶୋଇପାରୁଥିଲେ। ଅଧିକାଂଶ ସମୟ ଚିନ୍ତାମଗ୍ନ ରହି ଶୂନ୍ୟ ଆକାଶକୁ ଚାହିଁ ରହୁଥିଲେ।

ଏହା ଲକ୍ଷ୍ୟକରି ଦିନେ ଭସ୍ମରାଚାର୍ଯ୍ୟ ଝିଅକୁ କହିଥିଲେ ଝିଅ! ମୁଁ ତୋର ଦୁଃଖ ବୁଝିପାରୁଛି। ହେଲେ ଯାହା ହୋଇଯାଇଛି ତାହାକୁ ଆଉ କୌଣସି ପ୍ରକାରେ ଫେରାଇ ଆଣି ହେବନି। ତାହା ହୁଏତ ବିଧିର ନିର୍ଦେଶ ଥିଲା। ଯଦି ତୁ ଏମିତି ନଖାଇ ନପିଇ ଭୋକଉପାସରେ ରହି ଦିନରାତି ଆଖିରୁ ଲୁହ ଗଡ଼ାଉ ତୋର ଅସ୍ତିତ୍ବ ଓ ବ୍ୟକ୍ତିତ୍ବର ନାମଗନ୍ଧ ରହିବ ନାହିଁ। ସବୁମାଟିରେ ମିଶିଯିବ। ତୁ ଜୀବନକୁ ଏପରି ବ୍ୟର୍ଥ କରିଦେବା ଉଚିତ ନୁହେଁ। ବ୍ୟକ୍ତିତ୍ବକୁ ସାର୍ଥକ ରୂପ ଦେବାକୁ ପ୍ରୟାସ  କରିବା ଉଚିତ।

ଏହାଶୁଣି ଲୀଳାବତୀ କହିଥିଲେ ‘ପିତା! ମୁଁ କ’ଣ ବା କରିପାରିବି? ମୁଁ କିଛି ଜାଣିପାରୁନାହିଁ କି ବୁଝିପାରୁନାହିଁ। ଆପଣ ମୋତେ ମାର୍ଗ ବତାଇ ଦିଅନ୍ତୁ।’

‘ଝିଅ! ତୁ ପ୍ରଖର ବୁଦ୍ଧିମାନ ବୋଲି ମୁଁ ଜାଣଛି। ଆପଣା ମନ ଗଣିତ ଶିଖିବାରେ ନିବେଶ କର। ଏହା ତୋର ସମସ୍ତ ଗ୍ଲାନି, ଅବସାଦ ତଥା  ଦୁଃଖ ଭୁଲିବାରେ ନିଶ୍ଚୟ ସାହାଯ୍ୟ କରିବ। ଖାଲି ସେତିକି ନୁହେଁ, ତୋ ପାଇଁ ଜିଇ ରହିବାର ନୂତନ ଦିଶା ପ୍ରଦାନ କରିବ’- ପିତା ଆଶ୍ବାସନା ଦେଇ କହିଥିଲେ।

ପିତାଙ୍କଠାରୁ ଏପରି ଉତ୍ସାହପ୍ରଦ କଥା ଶୁଣି ଲୀଳାବତୀ ସେଇ ମୁହୂର୍ତ୍ତରେ ପ୍ରକୃତିସ୍ଥ ହେଲେ। ଲକ୍ଷ୍ୟ ସ୍ଥିର କରି ଗଣିତ ଶିଖିବାରେ ମନୋନିବେଶ କଲେ। ଧୀରେଧୀରେ ସେ ନିଜର ସକଳଦୁଃଖ ଭୁଲିଗଲେ। ଏବେ ଆଉ ନିଜ ଜୀବନକୁ ଅଭିଶପ୍ତ ମଣିଲେ ନାହିଁ। ଦିନରାତି ଗଣିତ ସମ୍ପର୍କିତ ଜଟିଳ ପ୍ରଶ୍ନର ସମାଧାନରେ ମଜ୍ଜି ରହିଲେ। କଠୋର ପରିଶ୍ରମ ପରେ ସେ ଗଣିତର ଅନେକ ନୂଆ ନିୟମ ନିର୍ଦ୍ଧାରିତ କରିବାରେ ସକ୍ଷମ ହୋଇଥିଲେ। ଗଣିତ ଉପରେ ଅନେକ ଗ୍ରନ୍ଥ ମଧ୍ୟ ରଚନା କଲେ। ଲୀଳାବତୀ ପିତା ଭାସ୍କରାଚାର୍ଯ୍ୟଙ୍କୁ ଗଣିତ ସମ୍ବନ୍ଧୀୟ ଅତି ଜଟିଳ ପ୍ରଶ୍ନର ସମାଧାନର ଏପରି ସହଯୋଗ କଲେ ଯେ ପିତା ବହୁତ ଖୁସି ହୋଇ ନିଜ ରଚିତ ଏକ ଗ୍ରନ୍ଥର ନାମ ‘ଲୀଳାବତୀ’ ରଖିଥିଲେ। ଏହି ଗ୍ରନ୍ଥ ହିଁ ଲୀଳାବତୀ ଓ  ଭାସ୍କରାଚାର୍ଯ୍ୟଙ୍କୁ ଅମର କରି ଦେଇଛି। ଏହି ଭାବରେ ଲୀଳାବତୀ ସମଗ୍ର ଦୁନିଆକୁ ଏହା ଦେଖାଇ ଦେଇଥିଲେ ଯେ ଯଦି ବ୍ୟକ୍ତି ଥରେ ଦୃଢ଼ ସଂକଳ୍ପ ନେଇଯାଆନ୍ତି ତେବେ କଠିନରୁ ଅତି କଠିନତମ ପରିସ୍ଥିତିରୁ ନିଜକୁ ଉଦ୍ଧାର କରିବାରେ ସକ୍ଷମ ହେବାସହ ନିଜ ପାଇଁ ଏକ ସୁଗମ ରାସ୍ତା ତିଆରି କରିପାରିବ। ଦୁଃସ୍ଥିତିରୁ ରକ୍ଷା ପାଇବାର ଏହାହିଁ ଏକମାତ୍ର ଉପାୟ। ଭାଗ୍ୟକୁ ନିନ୍ଦି ଲୁହ ଝରାଇଲେ ଏହା ବେଡ଼ି ଉପରେ କୋରଡ଼ା ହୋଇ ଜୀବନକୁ ଅଭିଶପ୍ତ କରି ଦେଇଥାଏ ଓ ଜିଇ ରହିବାର ସକଳ ଆଶା ଲୋପ  କରିଦେଇଥାଏ।

Comments are closed.